ଅଣସର ଘରେ ଶ୍ରୀଜୀଉ, ବିଧି ଅନୁସାରେ ସେବନ କରୁଛନ୍ତି ଅଣସର ପଣା:- ଆସନ୍ତୁ ଜାଣିବା ଏହି ପଣାର ମାହାତ୍ମ୍ୟ | News Room Odisha

ଅଣସର ଘରେ ଶ୍ରୀଜୀଉ, ବିଧି ଅନୁସାରେ ସେବନ କରୁଛନ୍ତି ଅଣସର ପଣା:- ଆସନ୍ତୁ ଜାଣିବା ଏହି ପଣାର ମାହାତ୍ମ୍ୟ

ଦେବସ୍ନାନ ପୂର୍ଣ୍ଣିମା ରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲାପରେ ଶ୍ରୀଜୀଉ ମାନେ ଲୋକାଚାରରେ ଅସୁସ୍ଥ। ଏହି ସମୟ ରେ ପ୍ରଭୁ ଅଣସର ଘରେ ନେଉଛନ୍ତି ବିଶ୍ରାମ। ଚାଲିଛି ପାରମ୍ପରିକ ଉପଚାର। ଶାସ୍ତ୍ରୀୟ ବିଧାନ ମତେ ନୀଳାଦ୍ରି ମହୋଦୟ ଗ୍ରନ୍ଥର ର ପଞ୍ଚଦଶ ଅଧ୍ୟାୟରେ ଏ ସଂପର୍କରେ ସୁନ୍ଦର ବର୍ଣ୍ଣନା ରହିଛି । ସେଥିରେ ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ପଚାରିଛନ୍ତି- ହେ ବ୍ରହ୍ମନ୍! ଅଣସର ଘରେ ଦାରୁରୂପୀ ଚାରି ଠାକୁରଙ୍କର ଏହି ବିଧି କିପରି ହୁଏ? ମୋ ପ୍ରତି ଅନୁଗ୍ରହ ଥିଲେ ଅତିଶୀଘ୍ର କହନ୍ତୁ ! ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଏହି ଆଗ୍ରହ ଓ ଅନୁରୋଧର ଉତ୍ତରରେ ବ୍ରହ୍ମା କହିଛନ୍ତି- ହେ ରାଜା ! ତୁମ୍ଭେ ନୀଳାଦ୍ରିସିଂହ (ଶ୍ରୀଜଗନ୍ନାଥ)ଙ୍କର ପରମ ଭକ୍ତ ଅଟ । ଏଣୁ ତୁମ୍ଭଙ୍କୁ ବିଷ୍ଣୁଙ୍କର ଏହି ଗୋପନୀୟ ତଥ୍ୟ ସଂକ୍ଷେପରେ କହୁଛି ।

ଏହି ପ୍ରସଙ୍ଗରେ ଅଣସର ଘରେ ଜରରେ ପଡ଼ିଥିବା ଠାକୁରମାନଙ୍କର ପଣାଭୋଗ କଥା କୁହାଯାଇଛି । ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି, ହେ ରାଜା ! ଅଣସର ଘରେ ବିଦ୍ୟାପତି ବଂଶର ସେବକମାନେ ପନ୍ଦର ଦିନ ଧରି କର୍ପୂର ମିଶା ମିଶ୍ରିପଣା ବିଷ୍ଣୁଙ୍କୁ ଭୋଗ ଲଗାଇ ପୂଜା କରିବେ । ମିଶ୍ରିପଣାରେ କ୍ଷୀର-ସର ମିଶାଇ, ପରଂବ୍ରହ୍ମଙ୍କୁ ଚିନ୍ତା କରି ସମର୍ପଣ କରିବେ । ଆମେ ଯେପରି ଜର ହେଲେ ସାଗୁ, ବାର୍ଲି ଆଦି ତରଳ ଖାଦ୍ୟ ଖାଇଥାଉ, ଏହା ସେହିପରି ବ୍ୟବସ୍ଥା ।

ଏହି ସମୟର ଅଣସର ତାଟି ଭିତରେ ଥିବା ଠାକୁରମାନେ ଅସୁସ୍ଥ ଥିବାରୁ, ସେମାନେ ସଂକ୍ଷିପ୍ତ ଶୁକ୍ଳବସ୍ତ୍ର ପରିଧାନ କରିଥାଆନ୍ତି ଏବଂ ସେମାନଙ୍କୁ କେବଳ ଶୁକ୍ଳ ଫୁଲ ଲାଗି ହୋଇଥାଏ । ଏହାର ବିଧି ଓ ନିଷେଧ ସଂପର୍କରେ ‘ନୀଳାଦ୍ରି ମହୋଦୟ’ ରେ କୁହାଯାଇଛି- ହେ ରାଜା ! ଯେତେ ଶ୍ରଦ୍ଧା ଭକ୍ତି ଥିଲେ ମଧ୍ୟ ପ୍ରଭୁଙ୍କ ଶ୍ରୀଅଙ୍ଗର ମାଳ ଚନ୍ଦନ ଆଦି ନିର୍ମାଲ୍ୟ କଦାପି ବାହାରକୁ ନେବ ନାହିଁ ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଏହି କ୍ଷୀର-ସର ମିଶା ମିଶ୍ରିପଣା ପତି ମହାପାତ୍ର ସେବକ ଅଣସର ତାଟି ଭିତରେ ଦାରୁଦେବତାମାନଙ୍କୁ ସମର୍ପଣ କରନ୍ତି । ପରେ ଦଇତାସେବକମାନେ ସେହି ଭୋଗରେ ଅଧିକ କ୍ଷୀର-ସର ଓ ମିଶ୍ରି ମିଶାଇ, ତାହାକୁ ଭକ୍ତମାନଙ୍କୁ ବିତରଣ କରିଥାଆନ୍ତି । ଏହା ‘ଅଣସର ପଣା’ ଭାବରେ ପ୍ରସିଦ୍ଧ ।

ପ୍ରତିବର୍ଷ ଅଣସର ବେଳେ, ଏହି ପଣା ପାଇବାକୁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥାଏ । କିନ୍ତୁ ଅଣସର ତାଟି ଭିତରର ପ୍ରକୃତ ଗୁପ୍ତସେବା ଅତ୍ୟନ୍ତ ରହସ୍ୟମୟ । ଯାହା ସର୍ବସାଧାରଣ ରେ ପ୍ରକାଶ୍ୟ ହୋଇନପାରେ।