ଅଣସର ସମୟରେ କାହିଁକି ରହିଛି ଅଲାରନାଥଙ୍କୁ ଦର୍ଶନ କରିବାର ପରମ୍ପରା | News Room Odisha

ଅଣସର ସମୟରେ କାହିଁକି ରହିଛି ଅଲାରନାଥଙ୍କୁ ଦର୍ଶନ କରିବାର ପରମ୍ପରା

ସମସ୍ତ ବେଦଙ୍କ ଅଗୋଚର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚାଲିଛି ଅନବସର ବା ଅଣସର ଲୀଳା। ଏହି ସମୟରେ ଭକ୍ତମାନେ ଶ୍ରୀଜୀଉ ମାନଙ୍କ ଶ୍ରୀମୁଖ ଦର୍ଶନରୁ ସମ୍ପୂର୍ଣ୍ଣ ବଞ୍ଚିତ । ଦାରୁବ୍ରହ୍ମଙ୍କୁ ସିନା କେହି ଏହି ସମୟରେ ଦର୍ଶନ କରିପାରିବେ ନାହିଁ। କିନ୍ତୁ ତାଙ୍କର ଅଭିନ୍ନତନୁ ଶ୍ରୀ ଶ୍ରୀ ଅଲାରନାଥଙ୍କୁ ଦର୍ଶନକରି ସେହି ଦାରୁବ୍ରାହ୍ମଙ୍କ ଦର୍ଶନର ସ୍ୱାନନ୍ଦ ରସ ଆସ୍ଵାଦନ କରିପାରିବେ। ତେବେ କିପରି ଏହା ସମ୍ଭବ ହୋଇ ପାରିଲା, ଆସନ୍ତୁ ଜାଣିବା ଏହି କିମ୍ବଦନ୍ତୀରୁ।

ପରମ ତାନ୍ତ୍ରିକ ବାବା ଅଲବନ୍ଦାଚାର୍ଯ୍ୟ ନାମକ ଜଣେ ତନ୍ତ୍ର ସାଧକ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିଥିବା ସମୟରେ ଅଣସର ହେତୁ ଦର୍ଶନ ପାଇ ପାରି ନ ଥିଲେ । ନିଜର ତନ୍ତ୍ର ସାଧନା ପ୍ରୟୋଗ କରି ସେ ଏକ ଭ୍ରମର ରୂପରେ ଅଣସର ଗୃହକୁ ପ୍ରବେଶ କରିଥିଲେ । ଅଣସର ଗୃହରେ ଏକ ଅଷ୍ଟଦଳ ପଦ୍ମ ଦେଖି ଅଲ୍‌ବନ୍ଦା ପଦ୍ମ ଉପରେ ବସିବାକୁ ଉଦ୍ୟମ କରିବା ବେଳେ ପଦ୍ମର ପାଖୁଡ଼ା ଗୁଡିକ ଜଣେ ଜଣେ ସୁନ୍ଦରୀ ନାରୀରେ ପରିଣତ ହୋଇ ଭ୍ରମରକୁ ଉପହାସ କରିଥିଲେ । ଫଳରେ ଅଲ୍‌ବନ୍ଦାଚାର୍ଯ୍ୟ ଅପମାନ ପୂର୍ବକ ଜଗନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇ ସମୁଦ୍ରରେ ପ୍ରାଣ ବିସର୍ଜନ ନିମନ୍ତେ ଉଦ୍ୟମ ହୁଅନ୍ତେ ହଠାତ୍ ଏକ ବିରାଟ କାୟ ମର୍କଟ ତାଙ୍କ ସମ୍ମୁଖରେ ଲମ୍ଫ ପ୍ରଦାନ କରି ଦକ୍ଷିଣ ଦିଗକୁ ଗତି କରିଥିଲା । ଏହା ଭଗବାନଙ୍କ ନିର୍ଦ୍ଦେଶ ଭାବି ସେ ଦକ୍ଷିଣାଭିମୁଖୀ ଦିଗରେ ଯାତ୍ରା କରି ବ୍ରହ୍ମଗିରିସ୍ଥ ଅଲାରନାଥ ପୀଠରେ ପହଞ୍ଚି ସେଠାରେ ଶିଳାରୂପୀ ବିଷ୍ଣୁ ବିଗ୍ରହଙ୍କୁ ଦର୍ଶନ କରି ଭାବ ବିହ୍ୱଳିତ ହୋଇଯାଇଥିଲେ । ସେବେଠାରୁ ଅଲ୍ ବିନ୍ଦାଙ୍କ ପ୍ରଭୁ ବା ନାଥ ଅଲ୍ ବିନ୍ଦାନାଥ ଓ ପରେ ଅପଭ୍ରଂଶ ହୋଇ ଅଲାରନାଥ ନାମରେ ନାମିତ ହୋଇଛନ୍ତି ।

ଦୀର୍ଘ ୧୫ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରୁହେ । ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ପ୍ରବାଦ ରହିଛି । କାରଣ ଭଗବାନ ଅଲାରନାଥ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା ।

ଶ୍ରୀରାମନୁଜ ଓ ଶ୍ରୀ ଚୈତ୍ୟନ୍ୟ ମହାପ୍ରଭୁ ଏହି ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ଭାବବିଷ୍ଟ ହୋଇଥିଲେ। ପ୍ରମାଣ ସ୍ୱରୂପ ଆଜିବି ଶ୍ରୀ ଚୈତ୍ୟନ୍ୟ ମହାପ୍ରଭୁଙ୍କ ଶିଳା ବିଗଳିତ ଅଷ୍ଟାଙ୍ଗ ଚିହ୍ନ ଭକ୍ତମାନେ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି।