କିମ୍ବଦନ୍ତୀ ଆଧାରରେ ଅଲାରନାଥଙ୍କୁ ଲାଗି ହେଉଛି ଖିରି ପ୍ରସାଦ ଭୋଗ | News Room Odisha

କିମ୍ବଦନ୍ତୀ ଆଧାରରେ ଅଲାରନାଥଙ୍କୁ ଲାଗି ହେଉଛି ଖିରି ପ୍ରସାଦ ଭୋଗ

ଲୀଳାମୟ ଶ୍ରୀ ଜଗନ୍ନାଥ ହେଉଛନ୍ତି ଉଦାରତାର ଦେବତା। ସ୍ୱୟଂ ମହିମାନିତ୍ୟ ହେବା ସହ ଅନ୍ୟ ସମସ୍ତ ଦେବ ବୃନ୍ଦଙ୍କୁ ତାଙ୍କ ନିଜ ମହିମାରେ ମଣ୍ଡିତ କରାଇ ନିଜର ସମ୍ପୂର୍ଣ୍ଣ ଉଦାରତା ର ପରିଚୟ ଦେଇ ଛନ୍ତି। ନିଜର ପ୍ରସାଦ ମହାପ୍ରସାଦ ଜଗତ ପ୍ରସିଦ୍ଧ ହୋଇଥିବା ବେଳେ ସ୍ଥାନ ଓ କାଳ ବିଶେଷ ରେ ଅନ୍ୟ ଦେବ ପ୍ରସାଦ ମଧ୍ୟ ଅନେକ ପ୍ରସିଦ୍ଧି ଲାଭ କରିଛି। ସେଥି ମଧ୍ୟରେ ଅଲାରନାଥଙ୍କ ଖିରି ପ୍ରସାଦ ଅନ୍ୟତମ। ଅଣସର ସମୟରେ ଭକ୍ତ ମାନେ ଶ୍ରୀ ଜଗନ୍ନାଥଙ୍କ ବଦଳରେ ଅଲାରନାଥଙ୍କୁ ଦର୍ଶନ କରି ଯିବାବେଳେ ସମସ୍ତଙ୍କ ମନ ଥାଏ ତାଙ୍କ ଖିରି ପ୍ରାସାଦରେ।

କାହିଁକି ଏତେ ପ୍ରସିଦ୍ଧି ଲାଭ କରିଛି ଏହି ପ୍ରସାଦ ଆସନ୍ତୁ ଜାଣିବା ଏହା ପଛରେ ଥିବା କିମ୍ବଦନ୍ତୀରୁ।

ଶ୍ରୀମନ୍ଦିର ଭୋଗନୀତି ପରି ଏଠାରେ ମଧ୍ୟ ଭୋଗ ଅନୁଷ୍ଠିତ ହୁଏ । ସକାଳ ୮ଟାରେ ବାଳଭୋଗ, ସକାଳ ଧୂପରେ ଅଣ୍ଡି, ଖେଚେଡ଼ି, ଡାଲି ଓ ତରକାରୀ ଭୋଗ କରାଯାଏ । ମାଧ୍ୟାହ୍ନରେ କ୍ଷୀର ଭୋଗ କରାଯାଇ ପହୁଡ଼ ପଡ଼େ । ରାତିରେ ଦହି ପଖାଳ ଓ ଭଜା ଭୋଗ କରାଯାଏ । ଶ୍ରୀଅଲାରନାଥଙ୍କ କ୍ଷୀରି ଭୋଗ ସବୁଠାରୁ ପ୍ରିୟ । ଶ୍ରୀମନ୍ଦିର ଭଳି ଏଠାରେ ପ୍ରଭୁ ଅଲାରନାଥଙ୍କ ଦୈନଦିନ ଆଳତୀ, ଅବକାଶ, ବଲ୍ଲଭ, ଅନ୍ନଭୋଗ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ପହୁଡ଼ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ । ବିଶେଷ କରି ଅଣସର ସମୟରେ ଉକ୍ତ ମନ୍ଦିରରେ ଦ୍ୱାର ଫିଟା, ମଙ୍ଗଳ ଆରତୀ, ଅବକାଶ, ଅଣସର ବେଶ, ଚନ୍ଦନ ତୁଳସୀ ଲାଗି, ବଲ୍ଲଭ ଭୋଗ, ସର୍ବସାଧାରଣ ଦର୍ଶନ, ସକାଳ ଧୂପ, ଦ୍ୱିପହର ଧୂପ (କ୍ଷୀର ଭୋଗ), ଦିବା ପହୁଡ଼, ଚିଆଁ ପହୁଡ଼, ସର୍ବସାଧାରଣ ଦର୍ଶନ, ସନ୍ଧ୍ୟା ଆଳତୀ, ମଇଲମ, ଅଣସର ବେଶ, ସର୍ବସାଧାରଣ ଦର୍ଶନ, ସନ୍ଧ୍ୟା ଧୂପ, ବଡ଼ ସିଂହାର ବେଶ ଓ ତତ୍ପରେ ପହୁଡ଼ ନୀତି ହୋଇ ମନ୍ଦିର ଦ୍ୱାର ବନ୍ଦ ହୋଇଥାଏ । ଅଣସର ସମୟରେ ଭକ୍ତମାନଙ୍କର ପ୍ରବଳ ଜନସମାଗମ ହେତୁ ଅଲାରନାଥଙ୍କ କ୍ଷୀରି ପ୍ରସାଦର ଚାହିଦା ଅତ୍ୟଧିକ ହୋଇଥାଏ । ଏହି ସମୟରେ ପ୍ରତ୍ୟହ ମନ୍ଦିରର ରୋଷଘରେ ୫୦ହଣ୍ଡା କ୍ଷୀରି ପ୍ରସ୍ତୁତ ହୋଇଥାଏ । ଦଶ ସେର କ୍ଷୀରରେ ଏକ ହଣ୍ଡା କ୍ଷୀରି ପ୍ରସ୍ତୁତ ହୁଏ । ଏଥିରେ ଆବଶ୍ୟକ ପରିମାଣର ଚାଉଳ, ଚିନି, ଅଳେଇଚ, ଖିସ୍ ମିସ୍ ଇତ୍ୟାଦି ପକାଯାଏ ।

ଅଲାରନାଥଙ୍କ କ୍ଷୀରିଭୋଗ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ଏଠାରେ ପ୍ରଚଳିତ । ଏକଦା ସେବା କାର୍ଯ୍ୟରେ ନିୟୋଜିତ ଅଲାରନାଥଙ୍କ ପୂଜକ କାର୍ଯ୍ୟବଶତଃ ଅନ୍ୟ ଗ୍ରାମକୁ କେତେଦିନ ପାଇଁ ଚାଲିଯାଇଥିଲେ । ଯିବା ପୂର୍ବରୁ ସେ ତାଙ୍କର ନାବାଳକ ପୁତ୍ରକୁ ଠାକୁରଙ୍କ ନିକଟରେ କ୍ଷୀରିଭୋଗ କରିବା ପାଇଁ କହି ଯାଇଥିଲେ । ଅଜ୍ଞାନ ବାଳକ ପୂଜା ପଦ୍ଧତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ସୁଦ୍ଧା କ୍ଷୀରି ହାଣ୍ଡି ଧରି ଠାକୁରଙ୍କ ପାଖରେ ପହଞ୍ଚି ତାର ଚପଳ ବୁଦ୍ଧି ଓ ଭକ୍ତି ସହକାରେ ଆଖି ବନ୍ଦ କରି ଠାକୁରଙ୍କୁ ଆବାହନ କରିବା ପରେ ଦେଖିଲା ହାଣ୍ଡିରେ କିଛି କ୍ଷୀରି ନାହିଁ । ଘରକୁ ଖାଲି ହାଣ୍ଡି ଧରି ଫେରି ତା’ମା ଆଗରେ ସମସ୍ତ ଘଟଣା କହିଲେ ସୁଦ୍ଧା ମା’ର ବିଶ୍ୱାସ ହେଲା ନାହିଁ । ବିଲେଇ କ୍ଷୀରି ବୋଧହୁଏ ଖାଇ ଦେଇଥିବ କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଥିବ, ଏହି ଆଶଙ୍କାରେ ପୁତ୍ରର ମା’ ରାତ୍ରି ସାରା ଶୋଇ ପାରି ନ ଥିଲେ । ତା ପରଦିନ ପୁଅକୁ କ୍ଷୀରି ହାଣ୍ଡି ସହ ପଠାଇ ବାଳକଟିର ମାଆ ଅଲାରନାଥ ବିଗ୍ରହଙ୍କର ପଶ୍ଚାତ୍ ଭାଗରେ ଲୁଚି ରହିଥିଲେ । କ୍ଷୀରି ଖାଇବା ପାଇଁ ବାଳକଟି ଠାକୁରଙ୍କୁ ଆବାହନ କଲା ମାତ୍ରେ, ପ୍ରଭୁ ଅଲାରନାଥ ନଇଁ ପଡ଼ି କ୍ଷୀରି ଖାଉଥିବା ବେଳେ ବାଳକଟିର ମା’ ଭୟରେ ଚିତ୍କାର କରିଥିଲେ । ଗରମ କ୍ଷୀରି ପ୍ରଭୁଙ୍କ ହାତ ଓ ମୁହଁରେ ପଡ଼ି ଫୋଟକା ହୋଇଯାଇଥିଲା । ଅଦ୍ୟାବଧି ଏହାର ସ୍ମୃତି ସ୍ୱରୂପ ସ୍ଥାନୀୟ ପୂଜକମାନେ ବିଗ୍ରହଙ୍କର ମୁହଁରେ ଥିବା ଫୋଟକା ଚିହ୍ନ ଦେଖାଇଥାନ୍ତି । ସ୍ଥାନୀୟ ଅଧିବାସୀଙ୍କ ବିଶ୍ୱାସ ଯେ, ପ୍ରଭୁ ଅଲାରନାଥ ସ୍ୱୟଂ କ୍ଷୀରିକୁ ଏଠାରେ ଆଘ୍ରାଣ କରି ଥାଆନ୍ତି, ଯାହାଫଳରେ କି ଏଠାରେ କ୍ଷୀର ଭୋଗ ଅତ୍ୟନ୍ତ ସୁସ୍ୱାଦୁ ଓ ପ୍ରସାଦ ରୂପେ ଭାରତ ବର୍ଷର ସମସ୍ତ ଭକ୍ତମାନଙ୍କ ଗ୍ରହଣୀୟ ହୋଇଛି।