ଲଗାତାର ଦ୍ୱିତୀୟ ଥର ଡବ୍ଲୁଟିସି ଫାଇନାଲରେ ହାରିଲା ଭାରତ, ସବୁ ଫର୍ମାଟରେ ଆଇସିସି ଟ୍ରଫି ଜିତିବାରେ ଅଷ୍ଟ୍ରେଲିଆ ପ୍ରଥମ ଦଳ | News Room Odisha

ଲଗାତାର ଦ୍ୱିତୀୟ ଥର ଡବ୍ଲୁଟିସି ଫାଇନାଲରେ ହାରିଲା ଭାରତ, ସବୁ ଫର୍ମାଟରେ ଆଇସିସି ଟ୍ରଫି ଜିତିବାରେ ଅଷ୍ଟ୍ରେଲିଆ ପ୍ରଥମ ଦଳ

ଲଣ୍ଡନ: ଆଇସିସି ନକ୍ ଆଉଟ୍ ମ୍ୟାଚରେ ଭାରତର ଝୁଣ୍ଟିବା ଧାରା ଜାରି ରହିଛି । କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ଫାଇନାଲ ମ୍ୟାଚ୍ ହାରିଛି । ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ଡବ୍ଲୁଟିସି ଫାଇନାଲରେ ଲଜ୍ଜାଜନକ ଭାବେ ୨୦୯ ରନରେ ହାରିଛି ଭାରତ । ଭାରତ ୨୦୨୧ରେ ମଧ୍ୟ ଉଦଘାଟନୀ ଡବ୍ଲୁଟିସି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିଲା ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଏହା ପ୍ରଥମ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଟାଇଟଲ୍ । ଏଥିସହ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସବୁ ଫର୍ମାଟରେ ଆଇସିସି ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି ।

ଅଷ୍ଟ୍ରେଲିଆ ପ୍ରଦତ୍ତ ୪୪୪ ରନ୍‌ର ଟାର୍ଗେଟ୍ ଜବାବରେ ଭାରତ ଚତୁର୍ଥ ଦିନ ଖେଳ ସୁଦ୍ଧା ୩ ଓ୍ବିକେଟ୍ ହରାଇ ୧୬୪ ରନ୍ କରିଥିଲା । ପଞ୍ଚମ ତଥା ଶେଷ ଦିବସରେ ଭାରତକୁ ଆଉ ୨୮୦ ରନ୍ ଆବଶ୍ୟକ ହେଉଥିଲା । ଭାରତୀୟ ଦଳ ଶେଷ ପର୍ଯ୍ୟନ୍ତ ଲଢ଼ିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଆଜି ପ୍ରଥମ ସେସନରେ ହିଁ ଆତ୍ମସମର୍ପଣ କରିଦେଇଥିଲେ ଭାରତୀୟ ବ୍ୟାଟର । ଭାରତ ଦ୍ବିତୀୟ ଇନିଂସରେ ୨୩୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଆଉ ୭୦ ରନରେ ଅବଶିଷ୍ଟ ୭ଟି ଓ୍ବିକେଟ୍ ହରାଇଥିଲା ଭାରତ । ଦ୍ୱିତୀୟ ଇନିଂସରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ୫୦ ଟପିନଥିଲେ। ବିରାଟ କୋହଲି ସର୍ବାଧିକ ୪୯ ରନ୍ କରିଥିବା ବେଳେ ଅଜିଙ୍କ୍ୟ ରାହାଣେ ୪୬ ରନ୍ କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ସ୍ପିନର ନାଥନ ଲାୟନ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ସ୍କଟ୍ ବୋଲାଣ୍ଡ ୩ଟି ଓ୍ବିକେଟ୍ ହାସଲ କରିଥିବା ବେଳେ ମିଚେଲ ଷ୍ଟାର୍କ ୨ଟି ଓ୍ବିକେଟ୍ ପାଇଥିଲେ । ପ୍ରଥମ ଇନିଂସର ଶତକ ହାସଲକାରୀ ଟ୍ରାଭିସ୍ ହେଡ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଏହି ପରାଜୟ ସହ ଆଇସିସି ଟ୍ରଫି ପାଇଁ ଭାରତର ଅପେକ୍ଷା ଆହୁରି ଲମ୍ବିଛି । ଭାରତ ଶେଷଥର ଏସ୍ଏସ୍ ଧୋନିଙ୍କ ନେତୃତ୍ୱରେ ୨୦୧୩ରେ ଏକ ଆଇସିସି ଟାଇଟଲ୍ ଜିତିଥିଲା ।

ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ୪୬୯ ରନ୍ ଜବାବରେ ଭାରତୀୟ ଦଳ ୨୯୬ ରନ୍ କରି ଆଉଟ୍ ହୋଇଥିଲା । ବୃହତ ୧୭୩ ରନର ଅଗ୍ରଣୀ ସହ ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସରେ ୨୭୦/୮ ରେ ପାଳି ଘୋଷଣା କରିଥିଲା । ଫଳରେ ଭାରତ ଆଗରେ ୪୪୪ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।