ଦିଗପହଣ୍ଡି ବ୍ଲକ୍‌ ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ | News Room Odisha

ଦିଗପହଣ୍ଡି ବ୍ଲକ୍‌ ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ତି ବ୍ଲକ୍‌ ଅଧ୍ୟକ୍ଷା ସୁନିତା ସେଠୀଙ୍କ ରବିବାର ଅପରାହ୍ଣରେ ଅକାଳ ବିୟୋଗ ଘଟିଛି। ଗୋକର୍ଣ୍ଣପୁର ପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇ ସେ ବ୍ଲକ୍‌ ଅଧ୍ୟକ୍ଷା ହୋଇଥିଲେ। ପରିବାର ଲୋକ ତଥା ଦିଗପହଣ୍ଡି ଡାକ୍ତରଖାନାର ଡାକ୍ତରଙ୍କ କହିବା ମୁତାବକ ସୁନିତା ସିକଲସେଲ୍ ଆନିମିଆ ରୋଗରେ ଆକ୍ରାନ୍ତ ଥିବାରୁ ପ୍ରାୟ ଦୁଇ ବର୍ଷ ତଳେ ବିଶାଖାପାଟଣା ଠାରେ ଚିକିତ୍ସିତ ହୋଇଥିଲେ। ଦୁଇ ଦିନ ତଳେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ସାମାନ୍ୟ ସୁସ୍ଥ ହେବାରୁ ତାଙ୍କୁ ଘରକୁ ଫେରାଇ ଅଣାଯାଇ ଥିଲା। ତେବେ ଆଜି ମଧ୍ୟାହ୍ଣରେ ପୁଣି ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିବାରୁ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିଲା। ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ପରୀକ୍ଷା ପରେ ମୃତଦେହକୁ ଗୋକର୍ଣ୍ଣପୁର ଘରକୁ ଅଣାଯାଇଛି। ଘରେ ଦଳୀୟ ନେତା, କର୍ମୀ, ସାଧାରଣ ଲୋକଙ୍କ ଭିଡ଼ ଜମିଛି।