ରାଜ୍ୟରେ ଅଗ୍ନିବର୍ଷା : ୪୩ ଡିଗ୍ରୀ ଉପରେ ୧୬ଟି ସହରର ତାପମାତ୍ରା, ସମ୍ବଲପୁରରେ ରେକର୍ଡ ତାତି | News Room Odisha

ରାଜ୍ୟରେ ଅଗ୍ନିବର୍ଷା : ୪୩ ଡିଗ୍ରୀ ଉପରେ ୧୬ଟି ସହରର ତାପମାତ୍ରା, ସମ୍ବଲପୁରରେ ରେକର୍ଡ ତାତି

ଭୁବନେଶ୍ୱର – ରାଜ୍ୟର ସବୁଆଡେ ଆଜି ଭୀଷଣ ଗରମ ଅନୁଭୂତ ହୋଇଛି । ପ୍ରବଳ ତାତି ଲୋକଙ୍କୁ ଡହଳ ବିକଳ କରିଛି । ଘରୁ ବାହାରିବା ମୁସ୍କିଲ ହୋଇ ଯାଇଛି। ଆଜି ରାଜ୍ୟର ୧୬ଟି ସହରରେ ପାରଦ ୪୩ ଡିଗ୍ରୀ ଉପରେ ରହିଛି । ପଶ୍ଚିମ ଓଡ଼ିଶାରେ ଭୀଷଣ ତାତି ଅନୁଭୂତ ହେଉଥିବା ବେଳେ ତାପମାତ୍ରା ଦୃଷ୍ଟିରୁ ରେକର୍ଡ କରିଛି ସମ୍ବଲପୁର। ଏଠାରେ ଆଜି ପାରଦ ୪୬ ଡିଗ୍ରୀ ସେଲସିୟସ ପାର୍ କରିଛି । ଏଠାରେ ତାପମାତ୍ରା ୪୬ ଦଶମିକ ୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା କି ଏ ବର୍ଷର ସର୍ବାଧିକ। ସମ୍ବଲପୁର ପଛକୁ ହୀରାକୁଦ ଆଜି ଦ୍ୱିତୀୟ ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ଥିଲା ୪୫ ଦଶମିକ ୬ ଡିଗ୍ରୀ ସେଲସିୟସ । ସୋନପୁରରେ ୪୫ ଓ ବରଗଡ଼ରେ ୪୪.୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ପାରଦ ଏ ବର୍ଷ ପ୍ରଥମ ଥର ପାଇଁ ୪୪ ଡିଗ୍ରୀ ପାର୍ କରିଛି । ଭୁବନେଶ୍ୱରରେ ଆଜିର ତାପମାତ୍ରା ଥିଲା ୪୪.୩ ଡିଗ୍ରୀ ସେଲସିୟସ। ବଲାଙ୍ଗୀର, ବୌଦ୍ଧ, ଟିଟିଲାଗଡ, ନୟାଗଡ଼ ଓ ତାଳଚେରରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଅନୁଗୁଳରେ ୪୩ .୯ , ଝାରସୁଗୁଡାରେ ୪୩.୪, ରାଉରକେଲା, ଢେଙ୍କାନାଳ ଓ କଟକରେ ୪୩ .୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।  ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଉପକୂଳ ଅଞ୍ଚଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ।