କାଳବୈଶାଖୀ ଓ ବଜ୍ରପାତ ପରେ ବିଦ୍ୟୁତ ଯୋଗାଣ ତ୍ବରାନ୍ବିତ ପ୍ରସଙ୍ଗ : ବିତରଣ କମ୍ପାନୀଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ  | News Room Odisha

କାଳବୈଶାଖୀ ଓ ବଜ୍ରପାତ ପରେ ବିଦ୍ୟୁତ ଯୋଗାଣ ତ୍ବରାନ୍ବିତ ପ୍ରସଙ୍ଗ : ବିତରଣ କମ୍ପାନୀଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ 

ଭୁବନେଶ୍ବର- ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କାଳବୈଶାଖୀ , ବଜ୍ରପାତ ଆଦି ପରେ ବିଦ୍ୟୁତ ଯୋଗାଣକୁ ତ୍ବରାନ୍ବିତ କରିବା ପାଇଁ ବିତରଣ କମ୍ପାନୀ ( ଡିସକମ୍‌ ) ମାନଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ , ଓଇଆରସିର ନିର୍ଦ୍ଦେଶକ ( ନିୟାମକ ) , ଡିସକମର ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ମୁଖ୍ୟ ଅପରେଟିଂ ଅଫିସର , ଗ୍ରିଡକୋର ପରିଚାଳନା ନିର୍ଦ୍ଦେଶକ ଏବଂ ନିର୍ଦ୍ଦେଶକ ( ଫାଇନାନ୍ସ ଓ କର୍ପୋରେଟ୍ ବ୍ୟାପାର ) ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ ଯେ , ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ , ଯାହା ଦ୍ବାରା ବିଦ୍ୟୁତ୍ ବାଧାପ୍ରାପ୍ତ ହୋଇପାରେ । ତେଣୁ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟକୁ ରୋକିବା ଏବଂ ବିଦ୍ୟୁତ୍ ଚାଲିଗଲେ ଶୀଘ୍ର ପୁନରୁଦ୍ଧାର ପାଇଁ ଡିସକମଗୁଡ଼ିକ ପର୍ଯ୍ୟାପ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ମାନବ ସମ୍ବଳ ଏବଂ ସାମଗ୍ରୀ ସଂଗ୍ରହ ବିଷୟରେ ଡିସକମର ସିଇଓମାନେ ଅବଗତ କରାଇଥିଲେ । ସୋସିଆଲ ମିଡିଆରେ ଗ୍ରାହକଙ୍କ ଅଭିଯୋଗର ଉତ୍ତର ଦେବା ପାଇଁ ନିୟୋଜିତ କଷ୍ଟମର କଲ୍ ସେଣ୍ଟର ଏବଂ ଉତ୍ସର୍ଗୀକୃତ ଟିମର କ୍ଷମତା ବୃଦ୍ଧି ବିଷୟରେ ମଧ୍ୟ ବିଦ୍ୟୁତ ବିତରଣ କମ୍ପାନୀମାନେ ସୂଚନା ଦେଇଥିଲେ । ଡିସକମ୍ ତରଫରୁ କୁହାଯାଇଥିଲା ଯେ , ସିଷ୍ଟମ ମଜବୁତ କରିବା ପାଇଁ କ୍ୟାପେକ୍ସ ପ୍ରସ୍ତାବ ଓଇଆରସି ଅନୁମୋଦନ ପାଇଁ ଦାଖଲ କରାଯାଇଛି । ଶକ୍ତି ବିଭାଗ ଅତିରିକ୍ତ ସଚିବ କହିଛନ୍ତି ଯେ , ପ୍ରାକ୍ ମୌସୁମୀ ଗଛ କାଟିବା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଶକ୍ତି ବିଭାଗ ଡିସକମ୍ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି , ଯାହାଦ୍ବାରା ବାତ୍ୟା ଓ କାଳବୈଶାଖୀ ଜନିତ କ୍ଷୟକ୍ଷତି କୁ କମ୍ କରାଯାଇପାରିବ । ସେ ମଧ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଉନ୍ନତମାନର ଇନସୁଲେଟର ଲଗାଇବା ଏବଂ କ୍ଷତିଗ୍ରସ୍ତ ଇନସୁଲେଟରଗୁଡିକୁ ବଦଳାଇବାକୁ ଡିସକମମାନଙ୍କୁ ପରାମର୍ଶ ଦେଇଥିଲେ , ଯାହାଦ୍ବାରା କଣ୍ଡକ୍ଟର ନଷ୍ଟ ବା କ୍ଷୟକ୍ଷତିକୁ ଏଡ଼ାଇ ଦିଆଯାଇପାରିବ । ପ୍ରବଳ ଗରମ ଏବଂ ଅଧିକ ଗୁଳୁଗୁଳିକୁ ଦୃଷ୍ଟିରେ ରଖ୍ ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁଯାୟୀ ବିଭିନ୍ନ କାର୍ଯ୍ୟକଳାପକୁ ସୁନିଶ୍ଚିତ କରିବାକୁ ଡିସକମଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ଡିସକମଗୁଡ଼ିକୁ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିବାକୁ ପରାମର୍ଶ ଦିଆଯାଇଥିଲା । ବିଭିନ୍ନ ପ୍ଲାଟଫର୍ମରେ ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ପ୍ରତି ଶୀଘ୍ର ଓ ନିର୍ଦ୍ଦିଷ୍ଟ ହେବା ଉଚିତ୍ ବୋଲି ସେ କହିଥିଲେ । ଆସନ୍ତା ୧୦ – ୧୫ ବର୍ଷର ବିଦ୍ୟୁତ୍ ଚାହିଦା ଅଭିବୃଦ୍ଧି ଓ ଶିଳ୍ପାୟନ ପାଇଁ ଦୀର୍ଘମିଆଦୀ ଟ୍ରାନ୍ସମିସନ୍ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ଓପିଟିସିଏଲ୍ ଓ ଡିସକମମାନଙ୍କୁ ପରାମର୍ଶ ଦିଆଯାଇଛି ।

ବାର୍ଷିକ କ୍ୟାପେକ୍ସ ଯୋଜନା ପରିବର୍ତ୍ତେ ଡିସକମମାନଙ୍କୁ ୩ରୁ ୫ ବର୍ଷ ପାଇଁ ବହୁବର୍ଷିଆ କ୍ୟାପେକ୍ସ ପ୍ଲାନ୍ ଦାଖଲ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଭୁବନେଶ୍ବର , କଟକ , ପୁରୀ , ବାଲେଶ୍ବର , ବ୍ରହ୍ମପୁର , ସମ୍ବଲପୁର ଓ ରାଉରକେଲା ଆଦି ବିଭିନ୍ନ ମହାନଗର ନିଗମ , ପୌରାଂଚଳ ଆଦି ସମେତ ଗ୍ରାମାଂଚଳରେ ମଧ୍ୟ ଆକଳିତ ଲୋଡ୍ ଅଭିବୃଦ୍ଧିକୁ ପୂରଣ କରିବା ପାଇଁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ଡିସକମ୍ ମାନଙ୍କୁ ପରାମର୍ଶ ଦିଆଯାଇଛି । ଡିସକମଗୁଡ଼ିକ ସେମାନଙ୍କ କ୍ୟାପେକ୍ସ ଯୋଜନା ଅଧୀନରେ ବିଭିନ୍ନ ସିଷ୍ଟମ୍ ଉନ୍ନତି କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିବାରୁ ବିଦ୍ୟୁତ୍ ନିୟାମକ ଆୟୋଗଙ୍କୁ ଏହାକୁ ତତ୍ପରତାର ସହ ଧ୍ୟାନ ଦେଇ ଆବଶ୍ୟକ ଅନୁମୋଦନ ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବାକୁ ଡିସକମ୍ ମାନଙ୍କୁ ପରାମର୍ଶ ଦିଆଯାଇଛି ।

ବିଜନେସ୍ ଆସୋସିଏଟ୍ ଦ୍ବାରା ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଡିସକମ୍ ଚବିଶ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍ ଚଳାଇବା ଉଚିତ୍ । ସେମାନେ ପର୍ଯ୍ୟାପ୍ତ ମାନବ ସମ୍ବଳ ଏବଂ ଉପକରଣ ଯଥା ପୋଲ ଇରେକ୍ଟର / ପୋଲ ମାଷ୍ଟର , ଡିଜି ସେଟ୍ , ଇନଫ୍ଲେଟେବଲ୍‌ ଟାୱାର ଲାଇଟ୍ ଇଦ୍ୟାଦି କାର୍ଯ୍ୟ ପାଇଁ ପାଳିରେ ଡ୍ୟୁଟି କରିବା ଆବଶ୍ୟକ । ଡିସ୍କମମାନଙ୍କରେ ରହିଥିବା ଡିଭିଜନ , ସବ୍ ଡିଭିଜନ ଏବଂ ସେକ୍ସନଗୁଡ଼ିକର କାର୍ଯ୍ୟଦକ୍ଷତା ନିୟମିତ ଭାବେ ତଦାରଖ କରାଯିବା ସହ ବ୍ୟବସ୍ଥାରେ ଥିବା ଅକ୍ଷମତାକୁ ଦୂର କରିବାକୁ ହେବ । ବିଳମ୍ବିତ ସମାଧାନ ଆବଶ୍ୟକ କରୁଥିବା ନିର୍ଦ୍ଦିଷ୍ଟ ସମସ୍ୟା ଥିଲେ ଉପଭୋକ୍ତାଙ୍କୁ ଆଗୁଆ ପର୍ଯ୍ୟାପ୍ତ ସୂଚନା ଦିଆଯାଇପାରିବ । ତେବେ ଏଭଳି ପରିସ୍ଥିତିକୁ ଏଡ଼ାଇ ବା ସର୍ବନିମ୍ନ ସ୍ତରକୁ ହ୍ରାସ କରାଯିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଛନ୍ତି ।