ମହିଳା ଏମର୍ଜିଂ ଏସିଆ କପ୍: ସହଜ ବିଜୟରୁ ଭାରତର ଅଭିଯାନ | News Room Odisha

ମହିଳା ଏମର୍ଜିଂ ଏସିଆ କପ୍: ସହଜ ବିଜୟରୁ ଭାରତର ଅଭିଯାନ

ମଙ୍ଗକକ୍ (ହଂକଂ): ଉଦୀୟମାନ ଅଲରାଉଣ୍ଡର ଶ୍ରେୟଙ୍କା ପାଟିଲଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ବିଜୟରୁ ମହିଳା ଏମର୍ଜିଂ ଏସିଆ କପ୍‌ରେ ନିଜ ଅଭିଯାନ ଆରମ୍ଭ କରିଛି । ଶ୍ରେୟଙ୍କା ମାତ୍ର ଦୁଇ ରନ୍ ଦେଇ ୫ଟି ୱିକେଟ୍ ନେଇଥିବା ବେଳେ ଭାରତ ଅଣ୍ଡର -୨୩ ମହିଳା ଦଳ ଅନଭିଜ୍ଞ ହଂକଂ ଦଳକୁ ୯ ୱିକେଟରେ ହରାଇଛି ।

ପ୍ରଥମ ମହିଳା ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅନ୍ୟତମ ସଫଳ ଖେଳାଳି ୨୦ ବର୍ଷୀୟା ଶ୍ରେୟଙ୍କାଙ୍କ ଅଫ୍ ସ୍ପିନ୍ ବୋଲିଂ ସମ୍ମୁଖରେ ହଂକଂ ଦଳ ସଂଘର୍ଷ କରି ୧୪ ଓଭରରେ ମାତ୍ର ୩୪ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ହଂକଂ ପାଇଁ ଓପନର୍ ମାରିକୋ ହିଲ୍ ୧୯ଟି ବଲରେ ସର୍ବାଧିକ ୧୪ ରନ୍ ସଂଗ୍ରହ କରିଥିଲେ।

ଅଣ୍ଡର-୧୯ ବିଶ୍ୱକପ ଭାରତର ଷ୍ଟାର ଖେଳାଳି ବାମହାତୀ ସ୍ପିନର ମନାତ କାଶ୍ୟପ (୨/୨) ଏବଂ ଲେଗ୍ ସ୍ପିନର ପାର୍ଶ୍ଵବୀ ଚୋପ୍ରା (୨/୧୨) ମଧ୍ୟ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

ଏହାର ଜବାବରେ ଜି ତ୍ରିଶାଙ୍କ ଅପରାଜିତ ୧୯ ରନ୍ ଇନିଂସ୍ ବଳରେ ଭାରତ ୫.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।