ଗୋପାଳପୁରରେ ରଜ ପର୍ବର ମାହୋଲ, ବେଳାଭୂମିରେ ଭିଡ଼ | News Room Odisha

ଗୋପାଳପୁରରେ ରଜ ପର୍ବର ମାହୋଲ, ବେଳାଭୂମିରେ ଭିଡ଼

ଗୋପାଳପୁର: ଗୋପାଳପୁରରେ ରଜ ପର୍ବର ମାହୋଲ ଦେଖିବାକୁ ମିଳିଛି। ସ୍ଥାନୀୟ ପାନ୍ଥ ନିବାସ, ଜରାଶ୍ରମରେ ପହିଲି ରଜ ପର୍ବ ପାଳିତ ହୋଇଥିବା ବେଳେ ରଜ ସଂକ୍ରାନ୍ତି ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି। ବେଳାଭୂମିରେ ଲୋକଙ୍କ ଗହଳିଚହଳି ଦେଖିବାକୁ ମିଳିଛି।

ପାନ୍ଥ ନିବାସ ପରିସରରେ ସୁସଜ୍ଜିତ ରଜ ଦୋଳି ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ସକାଶେ ଆରମ୍ଭ ହୋଇଛି। ଏଥିସହ ଆରିସା, କାକରା, ମଣ୍ଡା, ଚକୁଳି, ପୋଡ଼ ପିଠା, ବରା, ଦହିବରା ଆଦି ପିଠା ପ୍ରସ୍ତୁତ କରି ବିତରଣ କରାଯାଇଥିଲା।ପର୍ଯ୍ୟଟକମାନେ ଦୋଳିରେ ଝୁଲି ମଜା ନେଇଥିଲେ। ପାନ୍ଥ ନିବାସ ମ୍ୟାନେଜର୍ ବାପି ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ୩ ଦିନିଆ ରଜ ଉତ୍ସବର ଆୟୋଜନ କରାଯାଇଛି। ଏହାକୁ ଏନ୍ଏସି ଅଧ୍ୟକ୍ଷ ଏ.ଜାନକୀ ରାମ ଉଦଘାଟନ କରି ବେଳାଭୂମି ସହର ତଥା ଜାତୀୟ ସ୍ତରର ପର୍ଯ୍ୟଟନସ୍ଥଳୀ ଗୋପାଳପୁରରେ ଆମ ପରମ୍ପରାର ନିଦର୍ଶନ ସ୍ବରୂପ ରଜ ପର୍ବ ଆୟୋଜିତ ହେବା ଆନନ୍ଦର କଥା ବୋଲି କହିଛନ୍ତି। ସମ୍ମାନିତ ଅତିଥି ଥିଲେ ଏନ୍ଏସି ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ଗୋପାଳପୁର ଥାନାଧିକାରୀ ସାରଦା ପ୍ରସନ୍ନ ଦାଶ ପ୍ରମୁଖ। ପାନ୍ଥ ନିବାସରେ ରହୁଥିବା ପର୍ଯ୍ୟଟକ ଓ କର୍ମଚାରୀମାନେ ରଜ ମଉଜର ଆନନ୍ଦ ଉଠାଇଥିଲେ।

ସୁଭଦ୍ରା ମହତାବ ସେବା ସଦନ ତଥା ଜରାଶ୍ରମରେ ପହିଲି ରଜ ପାଳିଛନ୍ତି ଅନ୍ତେବାସୀ। ଅନ୍ତେବାସୀଙ୍କ ପାଇଁ ଦୋଳି ବନ୍ଧା ଯିବା ସହ ପୋଡ଼ ପିଠା, ମଣ୍ଡା, ଇଡିଲି ଓ ରଜ ପାନ ଆଦି ପ୍ରସ୍ତୁତ କରି ସମସ୍ତେ ମିଶି ଖାଇଥିଲେ। ସେବା ସଦନ ପରିଚାଳିକା ସାବିତ୍ରୀ ଦେବତାଙ୍କ ତତ୍ତ୍ଵାବଧାନରେ ଅନ୍ତେବାସୀ ମହିଳାମାନେ ନୂତନ ବସ୍ତ୍ର ପିନ୍ଧିବା ସହ ସଧବାମାନେ ପାଦରେ ଅଳତା ଲଗାଇ ଲୁଡୁ, କ୍ୟାରମ୍ ଖେଳିଥିଲେ ।ରଜ ପାନ ଖାଇ ଦୋଳିରେ ଝୁଲିଥିଲେ।

ଛୁଟି ଥିବା ସହ ପାଗ ଅନୁକୂଳ ଥିବାରୁ ପହିଲି ରଜରେ ବେଳାଭୂମିରେ ଭିଡ଼ ଜମିଥିଲା। ବିଶେଷ କରି ସନ୍ଧ୍ୟାରେ ଲୋକେ ସପରିବାର ବେଳାଭୂମିରେ ପହଞ୍ଚିଥିଲେ। ବିଭିନ୍ନ ରକମର ପିଠା ସାଙ୍ଗରେ ଆଣି ତା’ର ସ୍ୱାଦର ମଜା ଉଠାଇଥିଲେ। ସମୁଦ୍ରରେ ସ୍ନାନ, ଫଟୋ ସେସନ୍ ଓ ସେଲଫି ଉଠାଇ ମଜା କରିଥିଲେ। ଲୋକଙ୍କ ସୁରକ୍ଷା ପାଇଁ ଲାଇଫ ଗାର୍ଡ ଓ ପୋଲିସ ମୁତୟନ ହୋଇଥିଲେ। ପହିଲି ରଜରେ ଯୁବତୀ ଓ ମହିଳାମାନେ ନୂତନ ବସ୍ତ୍ର ପିନ୍ଧି ବେଳାଭୂମିରେ ବିଭିନ୍ନ ଖେଳକୁଦର ମଜା ନେଇଥିଲେ।