୬୬ ଗ୍ୟାସ୍ ସିଲିଣ୍ଡର୍ ଜବତ, ଡେଲିଭରି ବୟଙ୍କୁ ସାଧା ପୋଷାକରେ କାବୁ କଲା ପୋଲିସ  | News Room Odisha

୬୬ ଗ୍ୟାସ୍ ସିଲିଣ୍ଡର୍ ଜବତ, ଡେଲିଭରି ବୟଙ୍କୁ ସାଧା ପୋଷାକରେ କାବୁ କଲା ପୋଲିସ 

ବ୍ରହ୍ମପୁର: ଖାଉଟିଙ୍କ ଘରେ ପହଞ୍ଚାଇବା ପୂର୍ବରୁ ପ୍ରତିଟି ଏଲପିଜି ସିଲିଣ୍ଡରରୁ ୧ରୁ ୨ କେଜି ଗ୍ୟାସ୍ ଚୋରାରେ ବାହାର କରି ନେଉଥିଲେ। ଏଭଳି କରି ବାହାର କରୁଥିବା ଅତିରିକ୍ତ ସିଲିଣ୍ଡର୍ ଗୁଡ଼ିକୁ ଖୋଲା ବଜାରରେ ବିକି ନିଜ ପକେଟରେ ଟଙ୍କା ପୁରାଇ ଲାଭବାନ ହେଉଥିଲେ ଠକ ଡେଲିଭରି ବୟ। ତେଣେ ଖାଉଟି କ୍ଷତି ସହୁଥିଲା। ତେବେ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍ ଙ୍କ ନିକଟରେ ଏ ନେଇ ଏକାଧିକ ଅଭିଯୋଗ ପହଞ୍ଚିଥିଲା। ଏସପିଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିଲା ଏକ ସ୍ବତନ୍ତ୍ର ଟିମ୍ ଯେଉଁମାନେ ସାଦା ପୋଷାକରେ ଘୁରି ବୁଲି ଏହି ରାକେଟର ପର୍ଦ୍ଦାଫାଶ ପାଇଁ ଲାଗି ପଡ଼ିଥିଲେ। ଗୁରୁବାର ମଧ୍ୟାହ୍ନରେ ପୋଲିସକୁ ମିଳିଛି ସଫଳତା। ବ୍ରହ୍ମପୁର ଆଙ୍କୁଲି ନିକଟ ଜଳେଶ୍ଵରଖଣ୍ଡିରେ ଗତ କିଛି ଦିନ ଧରି ଏହି କଳା କାରନାମା ଚାଲିଥିବା ବେଳେ ସାଦା ପୋଷାକରେ ପୋଲିସ ଟିମ ଉକ୍ତ ଗୋଦାମରେ ଚଢ଼ାଉ କରି ୬୬ଟି ସିଲିଣ୍ଡର୍ ଜବତ କରିଛି। ଗ୍ୟାସ୍ ଚୋରି ଅଭିଯୋଗରେ ସମ୍ପୃକ୍ତ ଏକାଧିକ ଡେଲିଭେରି ବୟ ଓ ଗୋଦାମ କର୍ମଚାରୀଙ୍କୁ ଅଟକ ରଖିଛି। ଏହି ଗ୍ୟାସ୍ ସିଲିଣ୍ଡର୍ ଗୁଡ଼ିକ ବ୍ରହ୍ମପୁର ଇଣ୍ଡେନ୍ ଓ ଋଷିକୁଲ୍ୟା ଗ୍ୟାସ୍ ସଂସ୍ଥାର ବୋଲି ଯୋଗାଣ ବିଭାଗ ସୂଚନା ଦେଇଛି। ପୋଲିସ ଠାରୁ ଖବର ପାଇ ଯୋଗାଣ ବିଭାଗ ଟିମ୍ ଘଟଣାସ୍ଥଳକୁ ଯାଇ ସିଲିଣ୍ଡର୍ ଗୁଡ଼ିକ ମାପଚୁପ କରିବା ସହ ଅଭିଯୋଗ ନେଇ ଯାଞ୍ଚ କରିଛି।