ବରଦାନ ସାଜିଲା ବିଏସକେଓ୍ୱାଇ, କର୍କଟ ରୋଗରେ ପଡ଼ି କଷ୍ଟ ଜର୍ଜରିତ ହୋଇଥିଲା ଜୀବନ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପରିବାର | News Room Odisha

ବରଦାନ ସାଜିଲା ବିଏସକେଓ୍ୱାଇ, କର୍କଟ ରୋଗରେ ପଡ଼ି କଷ୍ଟ ଜର୍ଜରିତ ହୋଇଥିଲା ଜୀବନ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପରିବାର

ବରଗଡ଼: ନିଜ ଭୁଲ ପାଇଁ କର୍କଟ ରୋଗର ଶିକାର ହୋଇଥିଲେ । ପ୍ରଶ୍ଚାତାପ ପାଇଁ ସମୟ ବି ପାଇନଥିଲେ । ଜୀବନ ସହ କେବଳ ସଂଗ୍ରାମ ରହିଥିଲା ଶେଷ ବାଟ । ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ହେଲେ ରାଜ୍ୟ ସରକାରଙ୍କ ବିଏସକେଓ୍ବାଇ ସାଜିଲା ବରଦାନ । ବିନା ଅର୍ଥରେ ଚିକିତ୍ସା ପରେ କ୍ୟାନସରକୁ ହରାଇବାରେ ସକ୍ଷମ ହୋଇଛନ୍ତି ବରଗଡ଼ ବ୍ଲକ ବରଡୋଲ ଗାଁର ପୂର୍ଣ୍ଣ ଜେନା । ଅତ୍ୟଧିକ ଗୁଟଖା ଖାଇବା ଦ୍ବାରା ମୁଖରେ ଏକ ଘା’ ହୋଇଥିଲା । ସେହି ଘା’ ବଢ଼ିବାରୁ ସେ ବୁର୍ଲା ମେଡିକାଲରେ ଦେଖାଇଥିଲେ । ବିଭିନ୍ନ ଟେଷ୍ଟ ପରେ ଏହା ମୁଖ କର୍କଟ ବୋଲି କହିଥିଲେ ଡାକ୍ତର । କର୍କଟ ଚିକିତ୍ସା ପାଇଁ ଆବଶ୍ୟକ ଥିବା ଲକ୍ଷ ଲକ୍ଷ ଟଙ୍କା ଗରିବ ପରିବାର କେଉଁଠୁ ଯୋଗାଡ଼ କରିବେ ବୋଲି ଚିନ୍ତାରେ ପଡ଼ିଥିଲେ । ହେଲେ ଏକ ସମାଜସେବୀ ସଙ୍ଗଠନ ଠାରୁ ଏହାର ଖବର ପାଇଁ ସମସ୍ତ ସହାୟତା ଯୋଗାଇଛନ୍ତି ରାଜ୍ୟ ସରକାର । ରାୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ବିନା ଟଙ୍କାରେ ବିଏସକେଓ୍ବାଇ କାର୍ଡ ମାଧ୍ୟମରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ଏନେଇ ପୂର୍ଣ୍ଣ ଏବଂ ପୂରା ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।