କର୍ଣ୍ଣାଟକର ସ୍କୁଲ, କଲେଜରେ ସମ୍ବିଧାନର ପ୍ରସ୍ତାବନା ପଢ଼ିବା ବାଧ୍ୟତାମୂଳକ | News Room Odisha

କର୍ଣ୍ଣାଟକର ସ୍କୁଲ, କଲେଜରେ ସମ୍ବିଧାନର ପ୍ରସ୍ତାବନା ପଢ଼ିବା ବାଧ୍ୟତାମୂଳକ

ବେଙ୍ଗାଲୁରୁ: କର୍ଣ୍ଣାଟକର ସିଦ୍ଧରମୈୟା ସରକାର ରାଜ୍ୟର ସମସ୍ତ ସରକାରୀ, ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ ଏବଂ କଲେଜ ଗୁଡ଼ିକରେ ସମ୍ବିଧାନର ପ୍ରସ୍ତାବନା ପଠନ ବାଧ୍ୟତାମୂଳକ କରିଛନ୍ତି । ପ୍ରାର୍ଥନା ସମୟରେ ପିଲାମାନେ ଏଣିକି ଦେଶର ସମ୍ବିଧାନର ପ୍ରସ୍ତାବନା ମଧ୍ୟ ପଢ଼ିବେ । ଏହା ସହିତ ସମସ୍ତ ସରକାରୀ ଏବଂ ଅର୍ଦ୍ଧ ସରକାରୀ କାର୍ଯ୍ୟାଳୟରେ ସମ୍ବିଧାନର ପ୍ରସ୍ତାବନାର ଚିତ୍ର ପ୍ରଦର୍ଶନ କରିବା ଜରୁରି ବୋଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

ଏହି ନିଷ୍ପତ୍ତି ସମ୍ପର୍କରେ କର୍ଣ୍ଣାଟକର ସାମାଜିକ କଲ୍ୟାଣ ମନ୍ତ୍ରୀ ଏଚ୍.ସି ମହାଦେବପ୍ପା କହିଛନ୍ତି, ସ୍ୱାଧୀନତା ସଂଗ୍ରାମ ଏବଂ ସମ୍ବିଧାନ ପ୍ରସ୍ତୁତି ପଛରେ ଥିବା ବିଚାରକୁ ଦୃଷ୍ଟିରେ ରଖି ଲୋକମାନେ ବିଶେଷ କରି ଛାତ୍ରଛାତ୍ରୀ ବାଧ୍ୟତାମୂଳକ ଭାବେ ସମ୍ବିଧାନର ପ୍ରସ୍ତାବନା ପଢ଼ିବା ଉଚିତ | ସେ କହିଛନ୍ତି ଯେ ଏହା ଯୁବକମାନଙ୍କୁ ରାଷ୍ଟ୍ର ନିର୍ମାଣରେ ସହାୟକ ହେବ ଏବଂ ସମସ୍ତ ସମ୍ପ୍ରଦାୟ ମଧ୍ୟରେ ଭାଇଚାରାକୁ ପ୍ରୋତ୍ସାହିତ କରିବ।

କର୍ଣ୍ଣାଟକର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ୍) ପ୍ରତିଷ୍ଠାତା କେଶବ ବଳିରାମ ହେଡଗେୱାର ଏବଂ ବି.ଡି. ସାବରକର ଅଧ୍ୟାୟ ହଟାଇ ଦିଆଯାଇଛି ।

ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କନ୍ନଡ ସିଲାବସ୍ ଏବଂ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକର ସଂଶୋଧନକୁ କର୍ଣ୍ଣାଟକ କ୍ୟାବିନେଟ୍ ଅନୁମୋଦନ କରିଛି। ସାବିତ୍ରୀବାଇ ଫୁଲେ, ଇନ୍ଦିରା ଗାନ୍ଧୀ, ଜବାହାରଲାଲ ନେହେରୁ ଓ ଡକ୍ଟର ବିଆର୍ ଆମ୍ବେଦକରଙ୍କ ଉପରେ ବିଷୟବସ୍ତୁକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି।