ସାରାରାଜ୍ୟରେ ପ୍ରଚଣ୍ଡ ତାତି : ପଶ୍ଚିମ ଓଡ଼ିଶାର ତିନି ସହରରେ ପାରଦ ୪୫ ଟପିଲା, ସୋନପୁର ସର୍ବାଧିକ ଉତ୍ତପ୍ତ | News Room Odisha

ସାରାରାଜ୍ୟରେ ପ୍ରଚଣ୍ଡ ତାତି : ପଶ୍ଚିମ ଓଡ଼ିଶାର ତିନି ସହରରେ ପାରଦ ୪୫ ଟପିଲା, ସୋନପୁର ସର୍ବାଧିକ ଉତ୍ତପ୍ତ

ଭୁବନେଶ୍ୱର – ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ସାରା ଓଡ଼ିଶା ବ୍ୟତିବ୍ୟସ୍ତ। ପଶ୍ଚିମ ସହିତ ଉପକୂଳ ଓଡ଼ିଶାରେ ଆଜି ପ୍ରଚଣ୍ଡ ଗରମ ଅନୁଭୂତ ହୋଇଛି। ଆଜି ରାଜ୍ୟର ୨୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ଏହାଠାରୁ ଅଧିକ ରହିଛି। ପଶ୍ଚିମ ଓଡ଼ିଶାରେ ଆଜି ତିନିଟି ସହରର ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଛି । ସୋନପୁର, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ଆଜି ପାରଦ ୪୫ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି। ୪୫ ଦଶମିକ ୬ ଡିଗ୍ରୀ ସେଲସିୟସ ସହ ସୋନପୁର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଝାରସୁଗୁଡାରେ ୪୫ ଦଶମିକ ୪ ଓ ବଲାଙ୍ଗୀରରେ ୪୫.୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ରାଜଧାନୀ ଭୁବନେଶ୍ଵରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୬ ଡିଗ୍ରୀ ସେଲସିୟସ ଥିଲା ।

ପାଣିପାଗ ବିଭାଗର ଆକଳନ ଅନୁସାରେ ଉପକୂଳ ଓଡ଼ିଶାରେ ଆଉ ତିନି ଦିନ ଓ ପଶ୍ଚିମ ଓଡ଼ିଶାରେ ଆହୁରି ୫ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।