ରାଜପ୍ରସାଦ ବିଜେ ନୀତି, ମହାପ୍ରଭୁ ସୁସ୍ଥତା ଲାଭ କଲେଣି ବୋଲି ଅବଗତ ହୁଅନ୍ତି ଗଜପତି ମହାରାଜ | News Room Odisha

ରାଜପ୍ରସାଦ ବିଜେ ନୀତି, ମହାପ୍ରଭୁ ସୁସ୍ଥତା ଲାଭ କଲେଣି ବୋଲି ଅବଗତ ହୁଅନ୍ତି ଗଜପତି ମହାରାଜ

ସବୁ କ୍ଷେତ୍ରରେ ଜଗନ୍ନାଥ ହିଁ ‘ରାଜା’, ତେଣୁ ତାଙ୍କ ପ୍ରସାଦ ‘ରାଜପ୍ରସାଦ’। ଅଣସର ଏକାଦଶୀ ଦିନ ଦଶମୂଳ ମୋଦକ ଲାଗି ପରେ ଠାକୁରମାନେ ସୁସ୍ଥ ହୋଇ ଉଠନ୍ତି। ସେଦିନ ସେମାନଙ୍କୁ ଚନ୍ଦନଲାଗି କରାଯାଏ। ସେହି ଘୋରା ଚନ୍ଦନରେ କର୍ପୂର, କେଶର ଆଦି ମିଶିଥାଏ। ସେହିଦିନ ରାଘବ ଦାସ ମଠ ଦେଇଥିବା ୨୨ ହାଣ୍ଡି ଖଇ ଓ କୋରା ଏବଂ କଦଳୀ, ପଣସ, ଆମ୍ବ ଆଦି ଫଳ ଭୋଗ ହୁଏ। ସେହିଦିନ ମଧ୍ୟ ପାଳିଆ ଖୁଣ୍ଟିଆ ସେବକ ମଣିମା ଡାକ ଦେଇଥାଆନ୍ତି ଏବଂ ହଡ଼ପ ନାୟକ ସେବକ ବିଡ଼ିଆ (ପାନ) ମଣୋହି ଯୋଗାଇଥାଆନ୍ତି।ପୂର୍ବରୁ କେବଳ ସୁବାସିତ ଶୁକ୍ଳପୁଷ୍ପ ଲାଗି ହେଉଥିବା ବେଳେ, ସେହିଦିନଠାରୁ ଶ୍ରୀବିଗ୍ରହମାନେ ବିଭିନ୍ନ ରଙ୍ଗର ସୁବାସିତ ଫୁଲ ଓ ତୁଳସୀ ଆଦି ଲାଗି ହୁଅନ୍ତି। ଏହାପରେ ଅନୁଷ୍ଠିତ ହୋଇଥାଏ ଅଣସର ଦ୍ୱାଦଶୀ ନୀତି। ଏହି ନୀତି ବିଶେଷ ମହତ୍ତ୍ବପୂର୍ଣ୍ଣ । କାରଣ, ଏହିଦିନ ରାଜପ୍ରାସାଦକୁ ରାଜପ୍ରସାଦ ବିଜେ କରାଯାଏ। ରାଜପ୍ରାସାଦ ହେଉଛି ଶ୍ରୀମନ୍ଦିର ସିଂହଦ୍ୱାରର ଅନତିଦୂରରେ,ବଡ଼ଦାଣ୍ଡର ରଥଖଳା ଠାରେ ଥିବା ଶ୍ରୀନଅର। ଏହା ଗଜପତି ରାଜାଙ୍କ ନିବାସ।

ରାଜପ୍ରସାଦ ହେଉଛି ରାଜ୍ୟର ରାଜା ରୂପେ ସ୍ୱୀକୃତ ଶ୍ରୀଜଗନ୍ନାଥଙ୍କର ପ୍ରସାଦ। ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ପରମ୍ପରାକ୍ରମେ ଗଜପତି ରାଜାମାନେ ଶ୍ରୀଜଗନ୍ନାଥଙ୍କୁ ହିଁ ରାଜ୍ୟର ରାଜା ରୂପେ ସ୍ୱୀକାର କରି, ନିଜେ ରାଉତ ବା ତାଙ୍କ ସେବକ ରୂପେ ତାଙ୍କର ସେବା କରି ଆସିଛନ୍ତି। ଶ୍ରୀଜଗନ୍ନାଥ ସ୍ୱୀକୃତ ହୋଇଛନ୍ତି ରାଷ୍ଟ୍ରଦେବତା ରୂପେ। ଏଣୁ ଅଣସର ଦ୍ୱାଦଶୀ ଦିନ ରାଜାଙ୍କ ପ୍ରାସାଦକୁ ରାଜପ୍ରସାଦ ବିଜେ ହୋଇଥାଏ।

ଏହି ଦ୍ୱାଦଶୀ ଦିନ ଗଜପତି ମହାରାଜା ଅବଗତ ହୁଅନ୍ତି ମହାପ୍ରଭୁ ସୁସ୍ଥ ହେଲେଣି ବୋଲି। କାରଣ କାରଣ ଏକାଦଶ ଦିବସ ବ୍ୟାପି ମହାପ୍ରଭୁଙ୍କ ଉପଚାର ଚାଲିଥିଲା। ବୈଦରାଜ ପରାମର୍ଶ କ୍ରମେ ମହାପ୍ରଭୁ କ୍ରମଶଃ ସୁସ୍ଥ ହେଲେଣି।ଏଣୁ ଏ ବାର୍ତା ତାଙ୍କର ପ୍ରଥମ ସେବକ ଗଜପତିଙ୍କୁ ତାଙ୍କର ଶ୍ରୀଅଙ୍ଗ ପ୍ରସାଦ ଦେଇ ଦଇତାପତି ସେବକମାନେ ଜଣାଇଥାନ୍ତି।ଏହି ବିଶେଷ ନୀତି କୁ ରାଜ ପ୍ରସାଦ ବିଜେ ନୀତି କୁହାଯାଇ ଥାଏ।