ବନ୍ୟା ଆଶ୍ରୟସ୍ଥଳରେ ମକ୍ ଡ୍ରିଲ ଅନୁଷ୍ଠିତ | News Room Odisha

ବନ୍ୟା ଆଶ୍ରୟସ୍ଥଳରେ ମକ୍ ଡ୍ରିଲ ଅନୁଷ୍ଠିତ

ସମ୍ବଲପୁର: ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆନୁକୂଲ୍ୟରେ ଜିଲ୍ଲାରେ ଥିବା ୪ ଗୋଟି ବନ୍ୟା ଆଶ୍ରୟ ସ୍ଥଳରେ ସାମୂହିକ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ବିନାଖଣ୍ଡି, ସମଲେଶ୍ୱରୀ, ଧମା ଏବଂ ଚାଉଁରପୁର ବନ୍ୟା ଆଶ୍ରୟ ସ୍ଥଳରେ ମକ୍ ଡ୍ରିଲ କରାଯାଇଛି। ମକ୍ ଡ୍ରିଲ ରେ ବନ୍ୟା ଆଶ୍ରୟ ସ୍ଥଳ ର ସମସ୍ତ ସଦସ୍ୟ, ପରିଚାଳନା କମିଟି, ସ୍ବେଛାସେବୀ, ଗୋଷ୍ଠୀ, ସ୍ଥାନୀୟ ଜନପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ଆଶ୍ରୟସ୍ଥଳରେ ଥିବା ଜେନେରେଟର, ଆସ୍କା ଲାଇଟ, ପାୱାର କଟର ପାନୀୟ ଜଳ ସହ ଅନ୍ୟ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ତଦାରଖ କରାଯାଇଛି।

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ। ବିପର୍ଯ୍ୟୟ ସମୟରେ ମୃତ୍ୟୁ ହାର ଓ କ୍ଷୟକ୍ଷତିକୁ ନ୍ୟୁନତମ କରିବା ତାହା କର୍ମଚାରୀଙ୍କ ସହଯୋଗ ଓ ସମନ୍ଵୟ ରୁ ହିଁ ସଫଳ ହେବ ତାହା ମକ୍ ଡ୍ରିଲ ରେ ଦେଖିବାକୁ ମିଳିଛି। ଆଶ୍ରୟସ୍ଥଳୀ ରେ ବିପର୍ଯ୍ୟୟ ପ୍ରାକ ପ୍ରସ୍ତୁତି କେମିତି ରହିବ ଓ ସର୍ବସାଧାରଣରେ ବିପର୍ଯ୍ୟୟକୁ କେମିତି ପ୍ରତିହତ କରିହେବ ତାହା ଉପରେ ସମସ୍ତ ଆଶ୍ରୟସ୍ଥଳୀରେ ଜ୍ଞାନ କୌଶଳ ପ୍ରଦର୍ଶନ କରାଯାଇଥିଲା। ବିପର୍ଯ୍ୟୟ ପ୍ରାକ ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ଓ ପରେ ବିପର୍ଯ୍ୟକୁ ହ୍ରାସ କରିବା ପଦ୍ଧତି ଇତ୍ୟାଦି ପ୍ରଦର୍ଶନ କରିଥିଲେ। ମକ ଡ୍ରିଲ ରେ ପ୍ରାକ ସୂଚନାର ଯଥା ଶୀଘ୍ର ପ୍ରସାରଣ, ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ, ସମ୍ପୃକ୍ତ ଅଧିକାରୀ ଙ୍କ ଭୂମିକା, ସନ୍ଧାନ ଓ ଉଦ୍ଧାର, ପ୍ରାଥମିକ ଚିକିତ୍ସା, ଯନ୍ତ୍ର ଓ ଉପକରଣ ବ୍ୟବହାର, ରିଲିଫ ବଣ୍ଟନ ଏବଂ ପ୍ରସ୍ତୁତି ଉପରେ ମୁଖ୍ୟତଃ ଆଧାରିତ ଥିଲା। ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଆଦିତ୍ୟ ପଣ୍ଡା, ଏନଫୋର୍ସମେଣ୍ଟ ଅଫିସର ଶୁଭଙ୍କର ମହାନ୍ତି ପ୍ରମୁଖ ମକ ଡ୍ରିଲ ରେ ଉପସ୍ଥିତ ଥିଲେ।