ବ୍ରହ୍ମପୁର: ପୂର୍ବ ବର୍ଷ ପରି ଚଳିତ ଥର ମଧ୍ୟ ରଥଯାତ୍ରାରେ ରେଶମ ସହରର କିଛି ଯୁବ ପ୍ରତିଭା ନିଆରା କଳାକୃତି ସୃଷ୍ଟି କରିଛନ୍ତି। ବ୍ରହ୍ମପୁର ଆମ୍ବପୁଆ ମାରୁତିନଗର ୩ୟ ଗଳିର ମନିଷା କୁମାରୀ ପଣ୍ଡା ସେମାନଙ୍କ ମଧ୍ୟରୁ ଜଣେ। ଚାଉଳ, ଗହମ, ଧାନ, ଶାଗୁ ଦାନା, ମାଣ୍ଡିଆ, ତେଜପତ୍ର, ଡାଲଚିନି, ଲବଙ୍ଗ, ଗୁଆ, ଅଳେଇଚ, ପଣସ ମଞ୍ଜି, କଉଡ଼ି, ହରିଡ଼ା, ମଗଜ ମଞ୍ଜି, ଆଲମଣ୍ଡ୍ ଭଳି ଖାଦ୍ୟଶସ୍ୟରେ ସେ ଆଙ୍କିଛନ୍ତି ୨୪ଟି କିସମର କ୍ଷୁଦ୍ର ପ୍ରତିମା। ଏଥିସହ ଧାନ, ଚାଉଳ, ଗୁଡ଼ି, ଦିଆସିଲି, ବାଲି, କଏନ୍, ଶାମୁକା, ସାର୍ଟ ବୋତାମ, ଗହମ, ଓସ୍ତ ପତ୍ର, ପ୍ଲାଷ୍ଟିକ୍ ଚାମଚ, ମୟୁର ପିଞ୍ଚ, ରଙ୍ଗୀନ କାଗଜରେ ମଧ୍ୟ ଆହୁରି କିଛି ବଡ଼ ଆକାରର କଳାକୃତି ପ୍ରସ୍ତୁତ କରିଛନ୍ତି। ଏହା କେବଳ କଳାକୃତି ନୁହେଁ, ଭାବର ଠାକୁର ତଥା ଜଗତର ନାଥଙ୍କ ପ୍ରତି ମୋର ଭକ୍ତି ବୋଲି କହିଛନ୍ତି ମନିଷା। ଏହି ସମସ୍ତ କଳାକୃତି କରିବାକୁ ତାଙ୍କୁ ସପ୍ତାହେ ସମୟ ଲାଗିଥିଲା। ବ୍ରହ୍ମପୁର ନିକଟ ଶୀତଳାପଲ୍ଲୀସ୍ଥିତ ପାରଳା ମହାରଜା ଇଞ୍ଜିନିୟରିଂ କଲେଜର ସିଭିଲ ବ୍ୟାଚ୍ ପ୍ରଥମ ବର୍ଷର ଛାତ୍ରୀ ମନିଷା କଲେଜରେ ଖରା ଛୁଟି ଅବସରରେ ଏହି କଳାକୃତି କରିଥିବା କହିଛନ୍ତି। ବାପା ନୀଳମାଧବ ପଣ୍ଡା ଓ ମାଆ ନକ୍ଷତ୍ରମାଳା ପଣ୍ଡାଙ୍କ ଝିଅ ମନିଷାଙ୍କ ଅନେକ ନିଆରା ଓ ସୂକ୍ଷ୍ମ କଳାକୃତି ପୂର୍ବରୁ ନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛି।
ଘୋଷଯାତ୍ରା ଉପଲକ୍ଷେ ହରିଡ଼ା, ବାହାଡ଼ା, ଅଁଳା ଫଳରେ ଯଥାକ୍ରମେ ଶ୍ରୀଜଗନ୍ନାଥ, ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ତିଆରି କରିଛନ୍ତି ବ୍ରହ୍ମପୁର ଶ୍ରୀରାମନଗର ଶାନ୍ତି ମାର୍ଗର ଶିଳ୍ପୀ ହରିଗୋବିନ୍ଦ ମହାରଣା। ଜଗନ୍ନାଥ ଓ ବଳଭଦ୍ରଙ୍କ ରଥ ୨ ଇଞ୍ଚର ଥବା ବେଳେ ମୂର୍ତ୍ତି ୧ ସେଣ୍ଟିମିଟରରୁ କମ୍ ରହିଛି। ସେହିଭଳି ସୁଭଦ୍ରାଙ୍କ ରଥ ୧.୭୫ ଇଞ୍ଚ ଉଚ୍ଚ ଥବା ବେଳେ ମୂର୍ତ୍ତି ୦.୭ ସେଣ୍ଟିମିଟରର ଅଟେ। ଗ୍ୟାରେଜ ଚଳାଉଥିବା ହରିଗୋବିନ୍ଦ ଦିନକୁ ୨ ଘଣ୍ଟା ସମୟ ଦେଇ ୧୫ ଦିନରେ ଏହି କଳାକୃତି ପ୍ରସ୍ତୁତ କରିଛନ୍ତି।
ସେହିପରି ପୁରୁଣା ଖବରକାଗଜରେ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ଏହି ରଥର ଉଚ୍ଚତା ୭ ଇଞ୍ଚ ଏବଂ ଓସାର ୪.୫ ଇଞ୍ଚ ରହିଥିବା ବେଳେ ଏହାର ଓଜନ ମାତ୍ର ୪୫ ଗ୍ରାମ୍। ନନ୍ଦିଘୋଷ ରଥ ଭଳି ଏହି ରଥରେ ମଧ୍ଯ ୧୬ଟି ଚକ, ୪ଟି ଘୋଡ଼ା, ୨ଟି ଓଲଟା ଶୁଆ, ଦଧିନଉତି, ପତିତପାବନ ବାନା ଏବଂ ସାରଥୀ ଶୋଭା ପାଉଛି। ଏହି କଳାକୃତି କରିବାକୁ ଗୋଟିଏ ଦିନ ସମୟ ଲାଗିଥିବା ସତ୍ୟ କହିଛନ୍ତି।