୯୩ଟି ହସ୍ପିଟାଲରେ ଆହାର କେନ୍ଦ୍ର ଖୋଲିବାକୁ ନଗର ଉନ୍ନୟନ ସଚିବଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି | News Room Odisha

୯୩ଟି ହସ୍ପିଟାଲରେ ଆହାର କେନ୍ଦ୍ର ଖୋଲିବାକୁ ନଗର ଉନ୍ନୟନ ସଚିବଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ୱର – ୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ ‘ଆମ ହସ୍ପିଟାଲ’ ଯୋଜନାରେ ସାମିଲ ହୋଇଥିବା ସମସ୍ତ ୧୪୭ଟି ସରକାରୀ ହସ୍ପିଟାଲ ମଧ୍ୟରୁ ବାକି ଥିବା ୯୩ଟି ହସ୍ପିଟାଲରେ ଆହାର କେନ୍ଦ୍ର ଖୋଲିବା ସହ ୭ଦିନ ଯାକ ଖୋଲା ରଖିବାକୁ ଅନୁରୋଧ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ନଗର ଉନ୍ନୟନ ସଚିବ ଜି. ମାଥିଭାଥାନନଙ୍କୁ ଚିଠି ଲେଖିଛନ୍ତି।

ସ୍ୱାସ୍ଥ୍ୟ ସଚିବ ଚିଠିରେ ଦର୍ଶାଇଛନ୍ତି ଯେ, ୫-ଟି ଅନ୍ତର୍ଗତ ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୪୭ଟି ହସ୍ପିଟାଲର ଉନ୍ନତିକରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସମସ୍ତ ଉନ୍ନତିକରଣ କାର୍ଯ୍ୟ ଚଳିତବର୍ଷ ଅକ୍ଟୋବର ୩୧ତାରିଖ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁ ୧୪୭ଟି ହସ୍ପିଟାଲକୁ ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମରେ ସାମିଲ ପାଇଁ ଚିହ୍ନଟ କରାଯାଇଛି ସେଥିରୁ ୫୪ଟି ହସ୍ପିଟାଲରେ ହିଁ ଏବେ ଆହାର କେନ୍ଦ୍ର ଚାଲୁଛି ।

ଆହାର କେନ୍ଦ୍ରଗୁଡ଼ିକ ଯେହେତୁ ରୋଗୀମାନଙ୍କ ସହାୟକଙ୍କ ପାଇଁ ବେଶ୍ ଉପଯୋଗୀ ହେଉଥିବାରୁ ଅବଶିଷ୍ଟ ୯୩ଟି ହସ୍ପିଟାଲରେ ଆହାର କେନ୍ଦ୍ର ଖୋଲିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ନଗର ଉନ୍ନୟନ ସଚିବ ଜି. ମାଥିଭାଥାନନଙ୍କୁ ଅନୁରୋଧ କରିଛନ୍ତି । ଆହାର କେନ୍ଦ୍ରଗୁଡ଼ିକ ରବିବାର ବନ୍ଦ ରହୁଥିବାରୁ ରୋଗୀଙ୍କ ସହାୟକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରୀ ହସ୍ପିଟାଲଗୁଡ଼ିକୁ ସବୁଦିନେ ରୋଗୀ ଆସୁଥିବାରୁ ଆହାର କେନ୍ଦ୍ରଗୁଡ଼ିକ ୭ ଦିନ ଯାକ ଖୋଲା ରଖିବା ପାଇଁ ବିଚାର କରିବାକୁ ସ୍ବାସ୍ଥ୍ୟ ସଚିବ , ନଗର ଉନ୍ନୟନ ସଚିବଙ୍କୁ ଅନୁରୋଧ କରିଛନ୍ତି ।