କନ୍ଧମାଳର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବ ଡ୍ରୋନ୍ | News Room Odisha

କନ୍ଧମାଳର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବ ଡ୍ରୋନ୍

ଫୁଲବାଣୀ: ଦୁର୍ଗମ ଭୌଗୋଳିକ ସ୍ଥିତିସମ୍ପନ୍ନ ଜିଲ୍ଲା କନ୍ଧମାଳରେ ପାହାଡ଼, ନଦୀ, ଝରଣା, ଖାଲଖମା ପାର କରି ଉପାନ୍ତ ତଥା ଦୂରଦୂରାନ୍ତ ଅଞ୍ଚଳକୁ ଯିବା ଓ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପ୍ରଶାସନ ତଥା ସେହି ବିଭାଗ ପାଇଁ ସର୍ବଦା ଚ୍ୟାଲେଞ୍ଜିଂ ରହି ଆସିଛି। ତଥାପି ଏହି ଜିଲ୍ଲାରୁ ଏମିତି ବି ନଜିର ଆସିଛି ଯେଉଁଠି ମାଓ ଭୟ, ଦୁର୍ଗମ ପାର୍ବତ୍ୟାଞ୍ଚଳକୁ ବି ଖାତିର ନକରି କିଛି ଯୁବ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆମ୍ବୁଲାନ୍ସ ଡ୍ରାଇଭର୍ ଓ ସହାୟକ, ଏପରିକି ସୁରକ୍ଷା କର୍ମୀମାନେ ରୋଗୀ, ଗର୍ଭବତୀଙ୍କୁ ଅପହଞ୍ଚ ଇଲାକାରୁ ଆଣି ଡାକ୍ତରଖାନାରେ ପହଞ୍ଚାଇଛନ୍ତି। ସେମାନଙ୍କୁ ସ୍ବାସ୍ଥ୍ୟସେବା ମିଳିପାରିଛି। ଏଭଳି କ୍ଷେତ୍ରରେ ଏହି ଜିଲ୍ଲାରେ ନିର୍ମାଣାଧୀନ ମେଡିକାଲ କଲେଜ ଓ ହସ୍ପିଟାଲ୍ ଯାହାର ନିର୍ମାଣ ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପନ୍ନ ହେବ ଏବଂ ଆସନ୍ତା ବର୍ଷରୁ ପାଠପଢ଼ା ସହ ଚିକିତ୍ସା ସେବା ଆରମ୍ଭ ହେବ ତାହା ଏକ ଆଶାର ଆଲୋକ ଆଣି ଦେଇଛି।

ଏବେ ଏ କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ିଛି ସ୍ୱାସ୍ଥ୍ୟ ବିଭାଗ। ରାସ୍ତାଘାଟ ଓ ଯୋଗାଯୋଗ ଅଭାବରୁ ଠିକ୍ ସମୟରେ ଲୋକଙ୍କ ପାଖରେ ଆମ୍ବୁଲାନ୍ସ କିମ୍ବା ଔଷଧ ପହଞ୍ଚି ପାରୁ ନଥିବା ସମସ୍ୟାର
ସମାଧାନ ପାଇଁ ଏବେ ଅତ୍ୟାଧୁନିକ ବୈଷୟିକ କୌଶଳ ପ୍ରୟୋଗ କରାଯିବ। ଏଣିକି କୋଟଗଡ଼, ସୁବର୍ଣ୍ଣଗିରି, ତୁମୁଡ଼ିବନ୍ଧ, ଲଙ୍କାଗଡ଼, ବେଲଘର ଭଳି ଦୁର୍ଗମ ଅଞ୍ଚଳର ଡାକ୍ତରଖାନା ଜରିଆରେ ରୋଗୀଙ୍କୁ ଜରୁରିକାଳୀନ ସ୍ଥିତିରେ ସେବା ଯୋଗାଇବ ଡ୍ରୋନ୍। କିଛି ଦିନ ଧରି ପରୀକ୍ଷାନିରୀକ୍ଷା ପରେ ଆଜି ଠାରୁ ଏହାକୁ ପ୍ରୟୋଗାତ୍ମକ ଭାବେ ବ୍ୟବହାର କରାଯାଉଛି। ଏହି ଡ୍ରୋନ୍ ପ୍ରୋଜେକ୍ଟ କାର୍ଯ୍ୟ ଏବେ ବାସ୍ତବ ରୂପ ନେଇଛି। ଜିଲ୍ଲାକୁ ୩ଟି ଡ୍ରୋନ୍ ଯୋଗାଇ ଦିଆଯାଇଛି, ଯାହାର ପ୍ରତ୍ୟେକର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା। ଏହା ୨ କିଲୋ ଲେଖାଏଁ
ଓଜନର ଜିନିଷ ଧରି ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବ। ଏଗୁଡ଼ିକ ଗୋଟିଏ ଥରରେ ପ୍ରାୟ ୧୫୦ କିମି ଉଡ଼ିପାରିବା କ୍ଷମତା ରଖିଛି। ଏହା ଜରିଆରେ ରୋଗୀଙ୍କ ନିକଟରେ ଅତ୍ୟାବଶ୍ୟକ ଔଷଧ, ଟିକା ପହଞ୍ଚାଇବା ସହ ପରୀକ୍ଷା ପାଇଁ ରକ୍ତ, ମଳମୂତ୍ର ଆଦି ନମୁନା ନେବା ଆଣିବା କରାଯିବ। କମ୍ ସମୟ ଓ କମ୍ ଖର୍ଚ୍ଚରେ ଏସବୁ ପରିଚାଳନା କରାଯିବ। ଫୁଲବାଣୀ, ବାଲିଗୁଡ଼ା ଏବଂ ତୁମୁଡ଼ିବନ୍ଧରେ ଉଡ଼ାଣ ପାଇଁ ନିୟନ୍ତ୍ରଣ କକ୍ଷ ବ୍ୟବସ୍ଥା
କରାଯାଇଛି। ପରୀକ୍ଷାମୂଳକ ଭାବେ ବାଲିଗୁଡ଼ାରୁ ଉଡ଼ାଣ ଭରି ଫୁଲବାଣୀ ଆସିବା ପରେ ଫୁଲବାଣୀରୁ ଔଷଧ ନେଇ ଫେରିଥିଲା।

ନିକଟରେ କନ୍ଧମାଳ ଜିଲ୍ଲା ଗସ୍ତ କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ଡ୍ରୋନ୍ ଉଡ଼ାଣ ପରୀକ୍ଷଣ ଅନୁଧ୍ୟାନ କରିଛନ୍ତି। ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନା ଓ ଦାରିଙ୍ଗିବାଡ଼ି ଡାକ୍ତରଖାନା ‘ଆମ ହସ୍‌ପିଟାଲ’ ରୂପାନ୍ତରଣ ଯୋଜନାରେ ଅନ୍ତର୍ଭୁକ୍ତ
ହୋଇଥିବା ସୂଚନା ଦେଇଛନ୍ତି ସେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ କହିଛନ୍ତି ଯେ- ଆଜି ଠାରୁ ଡ୍ରୋନ୍‌ ଜରିଆରେ ଉପାନ୍ତ ଇଲାକାର ଲୋକଙ୍କୁ ଯଥାସମ୍ଭବ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ରାଜ୍ୟରେ ଏହା ପ୍ରଥମ କରି କନ୍ଧମାଳ ଜିଲ୍ଲାରେ ପ୍ରୟୋଗ କରାଯିବ। ଅପରପକ୍ଷରେ ଏୟାର୍ ଆମ୍ବୁଲାନ୍ସ ପରି ଡ୍ରୋନ୍‌ ଜରିଆରେ ସ୍ୱାସ୍ଥ୍ୟ ସେବା ଲୋକଙ୍କୁ ଯୋଗାଇବାକୁ ଚେଷ୍ଟା କରି ତୃଣମୂଳସ୍ତର ପର୍ଯ୍ୟନ୍ତ ଜନସାଧାରଣଙ୍କ ହିତରେ ପ୍ରଯୁକ୍ତି ଜ୍ଞାନକୌଶଳର ପ୍ରୟୋଗ ଦିଗରେ ରାଜ୍ୟ ସରକାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଡ୍ରୋନ୍‌ ଜରିଆରେ ସ୍ୱାସ୍ଥ୍ୟ ସେବା କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି।