ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ତିଥୀର ସନ୍ଧ୍ୟାରେ ଆଡ଼ପ ମଣ୍ଡପ ଅର୍ଥାତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଯେଉଁ ଦର୍ଶନ ହୁଏ, ତାକୁ ସନ୍ଧ୍ୟାଦର୍ଶନ କୁହାଯାଏ। ଆଷାଢ଼ ଶୁକ୍ଳପକ୍ଷ ସପ୍ତମୀ ଓ ଅଷ୍ଟମୀ ତିଥିରେ ତିନିରଥର ଦକ୍ଷିଣୀ ମୋଡ଼ ପରେ ନବମୀ ତିଥିର ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ଶେଷ ଗୁପ୍ତରାସ ପାଳିତ ହୋଇଥାଏ।
ଏହିଦିନ ପ୍ରଭାତରୁ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନ ସାରି ସନ୍ଧ୍ୟାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବାର ବିଧାନ ରହିଛି। କାରଣ ଶାସ୍ତ୍ରରେ ଉଲ୍ଲେଖ ରହିଛି :
” ନିଳାଦ୍ରୌ ଦଶ ବର୍ଷଣି ଗୁଣ୍ଡିଚା ମଣ୍ଡପେ ଦିନେ
ଦିବାତି ଦର୍ଶନମ ପୁଣ୍ୟମ ରାତ୍ର ଦଶଗୁଣ ଭବେତ”
ଶ୍ରୀମନ୍ଦିର ରେ ଦଶବର୍ଷ ଦର୍ଶନର ଫଳ ଗୁଣ୍ଡିଚା ମନ୍ଦିରରେ ଗୋଟିଏ ଦିନ ଦର୍ଶନର ଫଳ ସହ ସମାନ। ପକ୍ଷାନ୍ତରେ ଏହିଦିନକୁ ମଧ୍ୟ ଇନ୍ଦ୍ରଦ୍ୟୁମ୍ନ ମହୋତ୍ସବ କୁହାଯାଏ। ସ୍କନ୍ଦପୁରାଣ ଅନୁସାରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏହି ସ୍ଥାନରେ ସାତଦିନ ଧରି ଯଜ୍ଞ କରିଥିଲେ। ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀରେ ଏହିଦିନ ଯଜ୍ଞର ପୂର୍ଣ୍ଣାହୁତି ଦିଆ ଯାଇଥିଲା।
ଏହିଦିନର ଯଜ୍ଞାଅନ୍ନ ହେଉଛି ପ୍ରଥମମହାପ୍ରସାଦ। ଉକ୍ତ ଦିନଟି ମଧ୍ୟ ଅନ୍ନବ୍ରହ୍ମଙ୍କ ଜନ୍ମଦିବସ। ସେଥି ପାଇଁ ପୁରିବାସୀ ତଥା ଭକ୍ତମାନେ ଆଡ଼ପ ମଣ୍ଡପରେ ବ୍ରାହ୍ମଣ ଭୋଜନ ଦେଇ ମହାପ୍ରସାଦ ସେବନ କରିଥାନ୍ତି।
ଏହି ନବମୀ ତିଥିରେ ଶ୍ରୀ ରମାନନ୍ଦାଚର୍ଯ୍ୟ ମହାପ୍ରଭୁଙ୍କୁ ଶ୍ରୀରାମ ରୂପରେ ଏହି ଜନ୍ମ ବେଦିରେ ଦର୍ଶନ କରିଥିଲେ। ଆଜିବି ଏହାର ସ୍ମାରକୀ ସ୍ୱରୂପ ରମାନନ୍ଦୀ ନିଶାନ ଗୁଣ୍ଡିଚା ମନ୍ଦିର ପ୍ରଦକ୍ଷିଣ କରି ଦଶାବତାର ମଠରେ ବୈଠକି କରିଥାନ୍ତି। ନବମୀ ତିଥିର ରାତ୍ରରେ ସ୍ୱତନ୍ତ୍ର ଭାବରେ ବଡ଼ସିଂହାର ନୀତିରେ ଇନ୍ଦ୍ରଦ୍ୟୁମ୍ନ ବନ୍ଦାପନା ନୀତି ସମ୍ପର୍ଣ୍ଣ ହୋଇଥାଏ।