ଆଜି ଶ୍ରୀଜୀଉଙ୍କ ଦେବ ଦୁର୍ଲ୍ଲଭ ବାହୁଡା଼ ଯାତ୍ରା ବା ଦକ୍ଷିଣାଭିମୁଖୀ ଯାତ୍ରା | News Room Odisha

ଆଜି ଶ୍ରୀଜୀଉଙ୍କ ଦେବ ଦୁର୍ଲ୍ଲଭ ବାହୁଡା଼ ଯାତ୍ରା ବା ଦକ୍ଷିଣାଭିମୁଖୀ ଯାତ୍ରା

ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା଼ ବା ଦକ୍ଷିଣାଭିମୁଖୀ ଯାତ୍ରା କୁହାଯାଏ। ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ଉଲ୍ଲେଖ ଅଛି –

“ ନବମ୍ୟାବାସୟେଦ୍ଦେବାନ୍ ତେଷୁ ପ୍ରାତଃ ସମୃଦ୍ଧିମତ୍ ।
ଦକ୍ଷିଣାଭିମୁଖୀ ଯାତ୍ରା ବିଷ୍ଣୋରେଷା ସୁଦୁର୍ଲଭା ॥

”( ସ୍କନ୍ଦ ପୁରାଣ, ଉତ୍କଳ ଖଣ୍ଡ )

ଅର୍ଥାତ୍ ନବମ ଦିବସରେ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଇବେ। ଉକ୍ତ ଦିନ ପ୍ରାତଃ କାଳ ଅତ୍ୟନ୍ତ ସମୃଦ୍ଧିବାନ୍ ଅଟେ । ସେଦିନ ବିଷ୍ଣୁଙ୍କର ପାଲିତ ଦକ୍ଷିଣାମୁଖୀ ଯାତ୍ରା ଅତ୍ୟନ୍ତ ଦୁର୍ଲଭ ।

ସମ୍ପୂର୍ଣ୍ଣ ଯାତ୍ରାକୁ ତିନୋଟି ଅଙ୍ଗ ରୂପେ ଧରାଯାଇଛି। ଏଥିମଧ୍ୟରୁ

୧.ରଥଯାତ୍ରା ଗୋଟିଏ ଅଙ୍ଗ,
୨.ଗୁଣ୍ଡିଚା ମଣ୍ଡପରେ ବାସ ଦ୍ଵିତୀୟ ଅଙ୍ଗ
୩.ଏବଂ ବାହୁଡା଼ଯାତ୍ରା ପୂର୍ବକ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ ।

ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ରଥଯାତ୍ରା ସମୟରେ ପ୍ରଭୁମାନେ ଉତ୍ତରାଭିମୁଖି ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା଼ ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳିଥାଏ। ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ଵମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ଵାସ କରାଯାଏ ।

ନବମୀ ଦିନ ରାତିରେ ବଡ଼ସିଂହାର , ପହୁଡ଼ ଆଳତି ସରିବା ପରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକମାନେ ଗମ୍ଭୀରାରୁ ବାହାରି ଆସିଥାନ୍ତି। ଏହା ପରେ ଦଇତାପତିମାନେ ଠାକୁରମାନଙ୍କ ଅନ୍ୟାନ୍ୟ ଗୁପ୍ତସେବା କରିବା ସହିତ କୋଠ ସୁଆଁସିଆମାନେ ସିଂହାସନକୁ ଲଗାଇ ଚାରମାଳ ବାନ୍ଧିଥାନ୍ତି। ରାଘବ ଦାସ ମଠ ଦେଇଥିବା ଶୁକ୍ଳ ସଜକୁ ଦଇତା ସେବକମାନେ ଠାକୁରମାନଙ୍କୁ ଲାଗି କରାଇଥାନ୍ତି। ବାହୁଡା଼ ଯାତ୍ରା ଦିନ ସକାଳ ସମୟରେ ମଙ୍ଗଳ ଆଳତି, ଅବକାଶ ଇତ୍ୟାଦି ନୀତି ଭିତରଚ୍ଛ ମହାପାତ୍ର ଓ ପାଳିଆ ପୁଷ୍ପାଳକମାନେ ବଢାଇବା ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ପୂଜାପଣ୍ଡା ଓ ଅନ୍ୟାନ୍ୟ ନୀତି ସମ୍ପୃକ୍ତ ସେବକମାନଙ୍କ ସାହାର୍ୟ୍ୟରେ ପୂଜା ସମାପନ ହୋଇଥାଏ। ଏହା ପରେ ଦଇତାପତିମାନେ ଶ୍ରୀବିଗ୍ରହମାନଙ୍କର ସେନାପଟା ଲାଗି (ଗୁପ୍ତ ନୀତି) କରିଥାନ୍ତି ।

ଉକ୍ତ କାର୍ଯ୍ୟ ଶେଷ ହେବାପରେ ଶ୍ରୀଗୁଣ୍ଡିଚା ଦିନ ପରି ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକଙ୍କ ଦ୍ଵାରା ତିନିବାଡ଼ରେ ମଙ୍ଗଳାର୍ପଣ ହୋଇଥାଏ। ତତ୍ପରେ ମୁଦିରସ୍ତ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ସମାପନ କରିବା ପରେ ବିଜେ କାହାଳୀ ବାଜେ ଓ ଠାକୁରମାନଙ୍କର ବାହୁଡା଼ ପହଣ୍ଡି ଆରମ୍ଭ ହୋଇଥାଏ। ଶ୍ରୀବିଗ୍ରହମାନେ ଜଗମୋହନ ଦୁଆର ପାଖେ ପହଞ୍ଚିବା କ୍ଷଣି ରାଘବ ଦାସ ମଠ ପ୍ରଦତ୍ତ ଟାହିୟା ଶ୍ରୀମସ୍ତକରେ ଲାଗି କରାଯିବା ସହିତ, ପତି ମହାପାତ୍ର ପ୍ରସାଦ ଲାଗି, ବନ୍ଦାପନା, କର୍ପୂର ଆଳତି, ସାତବତୀ , ସଞ୍ଜ କାହାଳି ଓ ଘସା, ବିଡ଼ିଆ ମଣୋହି କରିଥାନ୍ତି। ଏହି ସମୟରେ ପୁଷ୍ପାଳକ ମହାଜନମାନେ ତୁଳି ଲାଗି ବଢାଇଥାନ୍ତି। ଏହି ନୀତି ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ସ୍ଵ ସ୍ଵ ରଥକୁ ବିଜେ କରିଥାନ୍ତି। ସମସ୍ତ ବିଗ୍ରହ ପହଣ୍ଡି ବିଜେ ହୋଇ ରଥାରୂଢ଼ ହେବାପରେ ରୁନ୍ଧା କାର୍ଯ୍ୟ ବଢିଥାଏ। ଠାକୁରମାନଙ୍କ ବାହୁଡା଼ ପହଣ୍ଡି ଓ ରଥଟଣା ସମୟରେ ହେଉଥିବା ପନ୍ତି ତାଲିକା ନିମ୍ନରେ ଉଲ୍ଲେଖ କରାଯାଇଛି।

୧.ଗୋପୀନାଥ ପୂଜାପଣ୍ଡା, ୨.ଗୁଣ୍ଡିଚାଘର ମୁକ୍ତି ମଣ୍ଡପ, ୩. ଗୋପାଳ ତୀର୍ଥ ମଠ, ୪. ଶ୍ରୀରାମ ଦାସ ମଠ, ୫.ସରକାରୀ (ରାଘବ ଦାସ), ୬. ଓଡ଼ିଆ ମଠ, ୭.ଜଗନ୍ନାଥ ବଲ୍ଲଭ, ୮.ଗଙ୍ଗାମାତା ମଠ, ୯.ଉତ୍ତର ପାର୍ଶ୍ଵ ମଠ, ୧୦.ସଂକ୍ରାନ୍ତି ମଠ, ୧୧.ରାଧା ବଲ୍ଲଭ, ୧୨.ବିଶୁନି ଜାଗା, ୧୩.ଇନ୍ଦ୍ରାସ୍ଵାମୀ, ୧୪.ଲୋକନି ବାବୁ, ୧୫.ମାଳି ଜେଗା, ୧୬.(କ) ବିମ୍ବଳା ବାବୁ ଓ (ଖ) ସୁନାର ଗୌରାଙ୍ଗ ମଠ ୧୭. ଭାରତୀ କୋଠା, ୧୮.ଜଗନ୍ନାଥ ମିଶ୍ର, ୧୯.ନିମି ଆଖେଡା଼ ,୨୦.ମଣ୍ଡଳ କୋଠା, ୨୧.ଜଗନ୍ନାଥ ବଲ୍ଲଭ ମଠ ପରିସର, ୨୨.ଭିଙ୍ଗାରପୁର, ୨୩. କେନ୍ଦୁଝର କୋଠି, ୨୪.ଅଦ୍ଵୈତ ପ୍ରସାଦ, ୨୫. ନୀଳମଣି ବ୍ରହ୍ମା, ୨୬.ଗଙ୍ଗାଧର ମହାପାତ୍ର, ୨୭. ସାଗର ହରି ପ୍ରତିହାରୀ, ୨୮. ମରିଚ କୋଟ, ୨୯. ବଳରାମ କୋଟ, ୩୦. ଶ୍ରୀରାମ ଦାସ ।

ଠାକୁରମାନେ ରଥାରୂଢ଼ ହେବା ପୂର୍ବରୁ ବିଶ୍ଵକର୍ମା ମହାରଣା , ଦରଜୀ ସେବକ, କୋଠ ସୁଆଁସିଆ ପ୍ରଭୃତି ସେବକ ତିନି ରଥର ଆବଶ୍ୟକୀୟ ମରାମତି କାର୍ଯ୍ୟ ପୂର୍ବଦିନରୁ କରି ଦେଇଥାନ୍ତି।

ସମ୍ପ୍ରତି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦାଧିକାରୀ ଛେରା ପହଁରା ନିମିତ୍ତ ଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀନଅର ଅଭିମୁଖେ ଯାଇଥାନ୍ତି। ସେହି ଦିନ ଗଜପତି ବଡ଼ଶଙ୍ଖଠାରୁ ହସ୍ତୀ, ଛତି, କାହାଳୀ ସହ ବର୍ଣ୍ଣାଢ୍ୟ଼ ଶୋଭାଯାତ୍ରାରେ ତାମଯାନ୍ ରେ ବସି ଗୁଣ୍ଡିଚା ଘର ନାକଚଣା ଦ୍ଵାରଠାରେ ରହିଥିବା ରଥ ନିକଟକୁ ଆସିଥାନ୍ତି। ସେଠାରେ ଶ୍ରୀଗୁଣ୍ଡିଚା ଦିନ ପରି ତିନି ରଥରେ ଛେରା ପହଁରା କରିଥାନ୍ତି। ଛେରା ପହଁରା ନୀତି ସରିବା ପରେ ଭୋଇ ସେବକମାନେ ରଥରୁ ଚାରମାଳ ଖୋଲିବା ସଙ୍ଗେ ସଙ୍ଗେ ରୂପକାର ସେବକମାନେ ରଥରେ ଘୋଡା଼ ବାନ୍ଧିଥାନ୍ତି। ମହାରଣା ଓ ଭୋଇ ସେବକମନେ ଅରଥ ଦଉଡି ଲଗାଇବା ପରେ ରଥ ନିର୍ଦ୍ଦେଶକ ଦଳଙ୍କ ପରାମର୍ଶରେ ରଥଟଣା ହୋଇଥାଏ। ବଳଭଦ୍ର ଓ ସୁଭଦ୍ରା ଦେବୀଙ୍କ ରଥଟଣା ହୋଇ ସିଂହଦ୍ଵାରକୁ ଆସିଥାଏ।

ଲକ୍ଷ୍ମୀନାରାୟଣ ଭେଟ:-

ଜଗନ୍ନାଥ ମହାପ୍ରଭୁଙ୍କ ରଥ ମରିଚିକୋଟ ନିକଟସ୍ଥ ଶ୍ରୀନଅରଠାରେ ପହଞ୍ଚିବା ପରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ହୋଇଥାଏ । ମହାଜନ ସେବକ ମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟବସ୍ତ୍ର, ମାଳଫୁଲ, ଅଳଙ୍କାରରେ ବେଶ କରାଇ ସାତ ପାହଚ ଦ୍ଵାର ଠାରେ ଥିବା ପାଲିଙ୍କିରେ ବିଜେ କରାନ୍ତି। ପାଲିଙ୍କି ଆନନ୍ଦବଜାରସ୍ଥିତ ଚାହାଣୀ ମଣ୍ଡପକୁ ନିଆଯାଏ। ଚାହାଣୀ ମଣ୍ଡପରେ ଲକ୍ଷ୍ମୀ ବିଜେ ହୋଇବା ପରେ ଉକ୍ତ ପାଲିଙ୍କି ନନ୍ଦିଘୋଷ ରଥରେ ବିରାଜମାନ କରିଥିବା ଜଗନ୍ନାଥଙ୍କ ରଥ ନିକଟରେ ପହଞ୍ଚନ୍ତି। ପରମ୍ପରା ଅନୁଯାୟୀ ସେହି ସମୟରେ ବଳଭଦ୍ରଙ୍କ ରଥ ସମ୍ମୁଖରେ ରଥ ଘେର ପକାଯାଇଥାଏ। ଶ୍ରୀନଅର ସିଂହଦ୍ଵାରରେ ଗଜପତି ମହାରାଜା ଉପସ୍ଥିତ ହୋଇଥାନ୍ତି। ଦହିପଟି ମଣୋହି ପରେ ଗଜପତିଙ୍କ ହସ୍ତରେ ଲକ୍ଷ୍ମୀ ଦେବୀ ବିଜେ ହୋଇ ଜଗନ୍ନାଥଙ୍କ ସହିତ ଭେଟ ହୁଅନ୍ତି। ତତ୍ପରେ ରଥ ପ୍ରଦକ୍ଷିଣ ଓ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିବା ସଙ୍ଗେ ସଙ୍ଗେ ଶ୍ରୀନଅର ଠାରୁ ନନ୍ଦିଘୋଷ ଟଣା ଯାଇ ସିଂହଦ୍ଵାରଠାରେ ରଖାଯାଇଥାଏ। ଏହି ନୀତିରେ ଭିତରଚ୍ଛ, ପତି ମହାପାତ୍ର, ଗରାବଡୁ, ବିମାନବଡୁ, ମହାଜନ, ବଜନ୍ତରୀ ପ୍ରମୁଖ ସେବକମାନେ ଉପସ୍ଥିତ ରହିଥାନ୍ତି।