ବିଶିଷ୍ଟ ସାମ୍ବାଦିକ ଡ. ଜଗନ ମୋହନ ମହାପାତ୍ରଙ୍କ ହୃଦ୍‌ଘାତରେ ପରଲୋକ | News Room Odisha

ବିଶିଷ୍ଟ ସାମ୍ବାଦିକ ଡ. ଜଗନ ମୋହନ ମହାପାତ୍ରଙ୍କ ହୃଦ୍‌ଘାତରେ ପରଲୋକ

ବ୍ରହ୍ମପୁର: ଅଫେରା ରାଇଜକୁ ଚାଲିଗଲେ ଦୈନିକ ଖବରକାଗଜ ସକାଳର ବ୍ରହ୍ମପୁର ସଂସ୍କରଣ ମୁଖ୍ୟ, ସୁନାମଧନ୍ୟ ବରିଷ୍ଠ ସାମ୍ବାଦିକ ଡ. ଜଗନ ମୋହନ ମହାପାତ୍ର। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କାଜୁଆଲିଟିରେ ଭର୍ତ୍ତି କରାଯାଇ ଜରୁରିକାଳୀନ ଚିକିତ୍ସା ଆରମ୍ଭ କରାଯାଇ ଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି।

ଗଞ୍ଜାମ ଜିଲ୍ଲା ତଥା ରାଜ୍ୟର ସାମ୍ବାଦିକ ମହଲରେ ସେ ବେଶ୍‌ ଜଣାଶୁଣା ଥିଲେ। ସମ୍ବାଦ, ନିତିଦିନ, ସକାଳ ଆଦି ଖବରକାଗଜ ସମେତ ଲୋକାଲ୍‌ କେବୁଲ୍‌ ଚ୍ୟାନେଲ୍‌ରେ ସେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଯୁବ ସାମ୍ବାଦିକଙ୍କ ପାଇଁ ପ୍ରେରଣା ପାଲଟିଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପୁରାତନ ଛାତ୍ର ଡ. ମହାପାତ୍ର (ଜିତୁ ସାର୍‌ ବା ଜିତୁ ଭାଇ ଭାବେ ମଧ୍ୟ ସୁପରିଚିତ) ପିଏଚ୍‌ଡି ହାସଲ ସହ ଏହି ବିଭାଗରେ ସାମୟିକ ବା ଅତିଥି ଅଧ୍ୟାପକ ଭାବେ ମଧ୍ୟ ଅନେକ ସମୟ ଧରି ଦାୟିତ୍ଵ ତୁଲାଇ ଆସୁଥିଲେ। ବ୍ରହ୍ମପୁରରେ ସାମ୍ବାଦିକ ସଙ୍ଗଠନ କ୍ଷେତ୍ରରେ ଏକ ଅଗ୍ରଣୀ ନାମ ଥିଲେ ସେ। ଜଣେ ମେଳାପୀ, ହସଖୁସି ମିଜାଜର ବିନ୍‌ଦାସ ବ୍ଯକ୍ତିତ୍ଵ ଭାବେ ତାଙ୍କୁ ସମସ୍ତେ ଜାଣିଥିଲେ। ଏହି ଖବର ଅନେକଙ୍କୁ ହତଚକିତ କରିଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ଗଜପତି ନଗରସ୍ଥିତ ତାଙ୍କ ଘରେ ଅନ୍ତିମ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚିଛନ୍ତି। ଏହି ଖବର ସାମ୍ବାଦିକଙ୍କ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି।