ଫୁଲବାଣୀରେ ଜିଲ୍ଲା କୋର୍ଟ ନୂତନ କମ୍ପ୍ଲେକ୍ସର ଭର୍ଚୁଆଲ ଶିଳାନ୍ୟାସ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି | News Room Odisha

ଫୁଲବାଣୀରେ ଜିଲ୍ଲା କୋର୍ଟ ନୂତନ କମ୍ପ୍ଲେକ୍ସର ଭର୍ଚୁଆଲ ଶିଳାନ୍ୟାସ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ଫୁଲବାଣୀ: ଅଦାଲତ ଭିତରେ ଓ ବାହାରେ ସାମ୍ବିଧାନିକ ମୂଲ୍ୟବୋଧ ବଜାୟ ରହିବା ଦରକାର। ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ନ୍ୟାୟିକ ବ୍ୟବସ୍ଥା ଓ ଏହାର ଭିତ୍ତିଭୂମି ବିକାଶ ଦିଗରେ ଅନେକ ଉଲ୍ଲେଖନୀୟ ସଫଳତା ମିଳିଛି। ସାଧାରଣ ଲୋକଙ୍କ ପାଖରେ ସହଜରେ ନ୍ୟାୟ ପଦ୍ଧତିର ସୁଫଳ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରହିଛି। ଏ ଦିଗରେ ବୈଷୟିକ ଜ୍ଞାନକୌଶଳର ପ୍ରମୁଖ ଅବଦାନ ରହିଛି ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟ ମୁଖ୍ଯ ବିଚାରପତି ଡ. ଏସ୍. ମୂରଲୀଧର। ଆଜି ଫୁଲବାଣୀ ଠାରେ ଜିଲ୍ଲା କୋର୍ଟର ନୂତନ କମ୍ପ୍ଲେକ୍ସର ସେ ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି। ଆୟୋଜିତ ସଭାରେ ଏହି ମତବ୍ୟକ୍ତ କରିଛନ୍ତି ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି।

ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟ ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ, ହାଇକୋର୍ଟ ନିର୍ମାଣ କମିଟି ଅଧ୍ୟକ୍ଷ ତଥା ଜଷ୍ଟିସ ଏମ୍. ଶେଖର ସାହୁ ଅତିଥି ଥିଲେ। ଯୁଗପଯୋଗୀ ଚାହିଦା ଆଧାରରେ ବିଭିନ୍ନ ସ୍ତରର କୋର୍ଟ ଗୁଡ଼ିକର ଭିତ୍ତିଭୂମି ବିକାଶ କରାଯାଉଥିବା ସେମାନେ ମତବ୍ୟକ୍ତ କରିଛନ୍ତି।

ଫୁଲବାଣୀ ସରକାରୀ ଆଇଟିଆଇ ସମ୍ମୁଖରେ ପ୍ରାୟ ୫ ଏକର ଜାଗାରେ ଜିଲ୍ଲା ନ୍ୟାୟାଳୟ ନୂତନ କମ୍ପ୍ଲେକ୍ସ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରାଯାଇଛି। ଗୋଟିଏ ପରିସରରେ ସମସ୍ତ ଜିଲ୍ଲାସ୍ତରୀୟ ଅଦାଲତ ସମେତ ବିଚାରପତି ଓ କର୍ମଚାରୀଙ୍କ ନିମନ୍ତେ ବାସଗୃହ, ଓକିଲ ସଂଘ କାର୍ଯ୍ୟାଳୟ, ଗ୍ରନ୍ଥାଗାର ଇତ୍ୟାଦି ରହିବ। ଏଥିପାଇଁ ୪୦ କୋଟି ଟଙ୍କା ବଜେଟ୍ ରହିଛି। ଏହି ସଭାରେ ଜିଲ୍ଲା ଦୌରା ଜଜ୍ ସତ୍ୟପୀର ମିଶ୍ର, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, ଏସପି ଶୁଭେନ୍ଦୁ କୁମାର ପାତ୍ର, ଜିଲ୍ଲା ଓକିଲ ସଂଘ ସଭାପତି ଭଗବାନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।