ଗିରଫ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ କଲେ ତାମିଲନାଡୁ ରାଜ୍ୟପାଳ, କୋର୍ଟରେ ଚ୍ୟାଲେଞ୍ଜ କରିବେ ଷ୍ଟାଲିନ ସରକାର | News Room Odisha

ଗିରଫ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ କଲେ ତାମିଲନାଡୁ ରାଜ୍ୟପାଳ, କୋର୍ଟରେ ଚ୍ୟାଲେଞ୍ଜ କରିବେ ଷ୍ଟାଲିନ ସରକାର

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ଆର.ଏନ୍ ରବି ଗୁରୁବାର ଗିରଫ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ କରିଛନ୍ତି । ରାଜ୍ୟ ସରକାରଙ୍କ ସହ ପରାମର୍ଶ ନ କରି ରାଜ୍ୟପାଳଙ୍କ ଏପରି ନିଷ୍ପତ୍ତି ଯୋଗୁଁ ବିବାଦ ସୃଷ୍ଟି ହୋଇଛି । ରାଜ୍ୟପାଳ ଆର.ଏନ୍ ରବିଙ୍କ ଏହି ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ।

ଦୁର୍ନୀତି ଅଭିଯୋଗରେ କିଛି ଦିନ ତଳେ ସେନ୍ଥିଲ ବାଲାଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା ।

ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀ ଚାକିରି ପାଇଁ ଟଙ୍କା ଦାବି କରିବା ଏବଂ ମନି ଲଣ୍ଡରିଂ ଭଳି ଗୁରୁତର ଦୁର୍ନୀତିର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟପାଳ ତାଙ୍କୁ କ୍ୟାବିନେଟରୁ ବରଖାସ୍ତ କରିଛନ୍ତି ବୋଲି ରାଜ ଭବନ ତରଫରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ।

ଷ୍ଟାଲିନ୍ ଏହି ନିଷ୍ପତ୍ତିକୁ ବିରୋଧ କରି କହିଛନ୍ତି, ‘ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବହିଷ୍କାର କରିବାର ଅଧିକାର ରାଜ୍ୟପାଳଙ୍କ ନାହିଁ, ଆମେ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିବୁ।

ଆରଜେଡି ସାଂସଦ ମନୋଜ ଝା ମଧ୍ୟ ତାମିଲନାଡୁ ରାଜ୍ୟପାଳଙ୍କ ପଦକ୍ଷେପକୁ ବିରୋଧ କରିଛନ୍ତି । ସେ କହିଛନ୍ତି ମୁଁ ଏଥିପାଇଁ ତାମିଲନାଡୁର ରାଜ୍ୟପାଳଙ୍କୁ ଦାୟୀ କରିବି ନାହିଁ। କାହାର ନିର୍ଦ୍ଦେଶରେ ସେ ଏହା କରିଛନ୍ତି ତାହା ପୂରା ଦେଶ ଜାଣେ। ଏହା ସାମ୍ବିଧାନିକ ପ୍ରକ୍ରିୟାର ଉଲ୍ଲଂଘନ। ଦିଲ୍ଲୀର ଶୀର୍ଷ ନେତୃତ୍ବଙ୍କ ନିର୍ଦ୍ଦେଶରେ ଏହା ହୋଇଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଜୁନ୍ ୧୪ରେ ଇଡି ତାମିଲନାଡୁ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ଗିରଫ କରିଥିଲା। ଚେନ୍ନାଇ କୋର୍ଟ ତାଙ୍କୁ ମନି ଲଣ୍ଡରିଂ ମାମଲାରେ ଜୁନ୍ ୨୮ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇଥିଲେ।

ଗିରଫ ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଚେନ୍ନାଇର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି ହୋଇଥିଲେ। ତାଙ୍କ କାନ୍ଦିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା |

ବାଲାଜୀ ତାମିଲନାଡୁ ସରକାରରେ ଶକ୍ତି, ଅବକାରୀ ମନ୍ତ୍ରୀ ଅଛନ୍ତି।