ରଥଯାତ୍ରାର ବିଶେଷ ଅଙ୍ଗ ଶ୍ରୀଜୀଉଙ୍କ ରଥ ଉପରେ ଅଧରପଣା ନୀତି ସମ୍ପର୍ଣ୍ଣ | News Room Odisha

ରଥଯାତ୍ରାର ବିଶେଷ ଅଙ୍ଗ ଶ୍ରୀଜୀଉଙ୍କ ରଥ ଉପରେ ଅଧରପଣା ନୀତି ସମ୍ପର୍ଣ୍ଣ

ବାହୁଡା଼ ଯାତ୍ରା ପରେ ସୁନାବେଶ ଓ ତତ୍ ପରଦିନ ତିନିରଥ ଉପରେ ଠାକୁର ମାନଙ୍କୁ ଅଧର ପଣା ଭୋଗ ନୀତି ସମ୍ପର୍ଣ୍ଣ ହୋଇଛି।

ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧରପଣା କୁହାଯାଏ। ସ୍ୱତ୍ତ୍ୱଲିପି ଅନୁଯାୟୀ ବାହୁଡା଼ ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଅଧରପଣା ଭୋଗ ହେବାକଥା । କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହେଉଥିଲା। ଏବେ କିନ୍ତୁ ଏକାଦଶୀ ଦିନ ମଧ୍ୟ ହୋଇ ନ ପାରି ଦ୍ୱାଦଶୀ ତିଥିରେ ଏହି ଅଧର ପଣା ଭୋଗ କରାଯାଉଛି। ଗବେଷକଙ୍କ ମତରେ ଏହା ପୂର୍ବେ ବାହୁଡା଼ ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧରପଣା ଓ ବଳଭଦ୍ରଙ୍କ ରଥରେ ରାମ ଓ କୃଷ୍ଣଙ୍କ ଉଦ୍ଦେଶ୍ୟରେ ୨ ହାଣ୍ଡି (ସାନ) ଓ ଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ନିମିତ୍ତ ୧ ହାଣ୍ଡି (ସାନ) କ୍ରମରେ ମୋଟ ୧୨ଟି ହାଣ୍ଡି ଅଧର ପଣା ଭୋଗ ହେଉଥିଲା। ସମ୍ପ୍ରତି ତିନି ରଥ ପାଇଁ ଦ୍ୱାଦଶୀ ଦିନ ମୋଟ ୯ ହାଣ୍ଡି ଅଧର ପଣା ଭୋଗ ହେଉଅଛି।

ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ରଥ ଉପରେ ଠାକୁରମାନଙ୍କ ମଧ୍ୟାହ୍ନଧୂପ ଶେଷ ହେବାପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥିଲା। ମନ୍ଦିର ପ୍ରଶାସନ , ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ , ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଇତ୍ୟାଦି ପଣା ଦ୍ରବ୍ୟ ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖିଥିଲେ। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁମାନଙ୍କର ଶ୍ରୀଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖା ଯାଇଥିଲା। କିନ୍ତୁ ପ୍ରତ୍ୟେକ ହାଣ୍ଡି ସମାନ ମାପର ହୋଇ ନଥାଏ। ପୂର୍ବରୁ ପାଣିଆ ଆପଟ ସେବକ ମାନେ ସିଂହଦ୍ୱାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାମାନଙ୍କରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତଳ ହଣ୍ଡାମାନଙ୍କରେ ରଖିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବେ ଅଧର ପଣା ପାଇଁ ଆବଶ୍ୟକ ଜଳ ରାଧାବଲ୍ଲଭ ମଠ କୂପରେ ଆସୁଥିଲା । ପରବର୍ତ୍ତୀ ସମୟରେ ସିଂହଦ୍ୱାରା ସମ୍ମୁଖ କୂପରୁ ଏହି ଜଳ ଅଣାଯାଉଛି। ଜଳବୁହା ବେଳେ ମନ୍ଦିର ଚର୍ଚ୍ଚା ଓ ବରକନ୍ଦାଜ କର୍ମଚାରୀ ମାନେ ଆଗରେ ଗୁଆ ଖୋଳପା ଧରି ଲୋକଙ୍କୁ ଆଡେଇଥାନ୍ତି, ଯେପରିକି କେହି ଜଳକୁ ସ୍ପର୍ଶ କରିପାରିବେ ନାହିଁ । ଅଧରପଣା ଭୋଗ ପୂରରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳୁଚ୍ଛ ଓ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥିଲେ। ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା କରିକା (ଜାଲିକନା) ପକାଯାଇଥିଲା। ଜଳ ଛଣା ଉଦ୍ଦେଶ୍ୟରେ ଏହା ପକାଯାଏ ବୋଲି କଥିତ ରହିଛି। ମହାସୁଆରମାନେ ପ୍ରତି ରଥରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥିଲେ। ଏହାପରେ ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ତିନି ରଥରେ ପୂଜା ଠା’ କରିଥିଲେ। ତତ୍ ପରେ ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା ସମ୍ପର୍ଣ୍ଣ କରିବା ପରେ ଉକ୍ତ ଅଧର ହାଣ୍ଡି କୁ ରଥ ଉପରେ ଭାଙ୍ଗି ଦିଆ ଯାଇଥିଲା।

କଥିତ ଅଛି ଏହି ଅଧର ପଣାକୁ ଯକ୍ଷ ରାକ୍ଷସ ଓ ଅଶରୀର ମାନେ ପାନ କରି ଉକ୍ତ ଯୋନିରୁ ମୁକ୍ତିଲାଭ କରିଥାନ୍ତି।