କୁନି ଶିଶୁଙ୍କ ଜୀବନର ନୂଆ ଅଧ୍ୟାୟ: ପୋଷ୍ୟ ସନ୍ତାନ ଗ୍ରହଣରେ ଆଗୁଆ ଗଜପତି ଜିଲ୍ଲା | News Room Odisha

କୁନି ଶିଶୁଙ୍କ ଜୀବନର ନୂଆ ଅଧ୍ୟାୟ: ପୋଷ୍ୟ ସନ୍ତାନ ଗ୍ରହଣରେ ଆଗୁଆ ଗଜପତି ଜିଲ୍ଲା

ପାରଳାଖେମୁଣ୍ଡି: କେଉଁଠି ଲାଳନପାଳନରେ ଅସମର୍ଥ ପରିବାର ଶିଶୁ କନ୍ୟାକୁ ଶିଶୁ ମଙ୍ଗଳ ସମିତିକୁ ସମର୍ପଣ କରିଥଲେ ତ କେଉଁଠି ବାପା, ମାଆଙ୍କ ଦ୍ଵାରା ଅବହେଳିତ ଛୁଆ ଏବେ ଶିଶୁ ଯତ୍ନ କେନ୍ଦ୍ରରେ ମୁଣ୍ଡ ଗୁଞ୍ଜିଥିଲା। କେଉଁଠି ଦୁର୍ଘଟଣା ତ କେଉଁଠି ଅଭାବନୀୟ ଅଘଟଣରେ ପିତାମାତାଙ୍କୁ ହରାଇ ଅନାଥପ୍ରାୟ ହୋଇଯାଇଥିଲେ ଅନେକ ଶିଶୁ। ସେମାନଙ୍କୁ ଅନାଥାଶ୍ରମ ତଥା ଶିଶୁ ଯତ୍ନ କେନ୍ଦ୍ରରେ ଥଇଥାନ କରାଯାଇ ଥିଲା। ହେଲେ ସେତିକିରେ ରହି ଯାଇ ନଥିଲା ଗଜପତି ଜିଲ୍ଲା ପ୍ରଶାସନ। ବରଂ ଉକ୍ତ ଶିଶୁଙ୍କୁ ନୂଆ ଜୀବନ ଦେବାକୁ ପ୍ରୟାସ ଜାରି ରହିଥିଲା। ଫଳରେ ଏଭଳି ଅନାଥ ଶିଶୁଙ୍କ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ ହୋଇପାରିଛି। ସେମାନଙ୍କୁ ମିଳି ପାରିଛନ୍ତି ନୂଆ ପିତା ମାତା, ଯେଉଁମାନେ ସେମାନଙ୍କ ଉଚିତ ଲାଳନପାଳନ କରି ସେମାନଙ୍କ ଜୀବନକୁ ଉତ୍ତମ ରୂପେ ଗଢ଼ିପାରିବା ଆଶା କରାଯାଉଛି। ଏ ଦିଗରେ ରାଜ୍ୟରେ ଅଗ୍ରଣୀ ରହିଛି ଗଜପତି ଜିଲ୍ଲା ପ୍ରଶାସନ।

ନିକଟରେ ଗଜପତି ଜିଲ୍ଲାର ଦୁଇ କୁନି ଅନାଥ ଛୁଆଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଦମ୍ପତି। ଶିଶୁଙ୍କୁ ମିଳିଛି ମାଆର କୋଳ। ଗତ କିଛି ମାସ ମଧ୍ୟରେ ଏହା ଥିଲା ୩୯ତମ ଓ ୪୦ତମ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା। ଏହି ଶିଶୁକୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ତଥ୍ୟ ଅପ୍‌ଲୋଡ଼ କରାଯାଇଥିଲା। କିଛି ବର୍ଷ ଧରି ସନ୍ତାନ ପାଇଁ ଅନ୍‌ଲାଇନ୍‌ରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିଲେ ଏହି ଦମ୍ପତି। ନିକଟରେ ସେମାନଙ୍କୁ ଅନୁମୋଦନ କରିଥିଲା କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର। ସେମାନେ ଶାରୀରିକ ଭାବେ ଶିଶୁଙ୍କୁ ପସନ୍ଦ କରି ନେବା ପାଇଁ ସ୍ଥିର କରିଥିଲେ। ହସ୍ତାନ୍ତର ସମୟରେ ପ୍ରଶାସନର ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ରହି ଶିଶୁମାନଙ୍କୁ ସେମାନଙ୍କ ନବଜୀବନ ପାଇଁ ଶୁଭକାମନା ଜଣାଇଥିଲେ।