ନୂଆ ଧବଳେଶ୍ଵର ପୀଠ ସ୍ଥାୟୀ ସେତୁର ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ | News Room Odisha

ନୂଆ ଧବଳେଶ୍ଵର ପୀଠ ସ୍ଥାୟୀ ସେତୁର ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ

ଭୁବନେଶ୍ବର- ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂଆଷସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷସସ୍ପର୍ଶ ଦିଆଯିବା ପରେ ଏହା ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ଖୋଲି ଦିଆଯିବ । ସେତୁର ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଛନ୍ତି ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ । ଏଣିକି ସ୍ଥଳପଥ ଦେଇ ଧବଳେଶ୍ଵର ପୀଠରେ ପହଞ୍ଚି ପାରିବେ ଭକ୍ତ । ସୁଗମ ହେବ ଭକ୍ତଙ୍କ ଯାତ୍ରା । ଏହାଫଳରେ ଧବଳେଶ୍ଵର ପୀଠକୁ ଆଶାତୀତ ଭାବେ ଭକ୍ତ ଓ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ସଞ୍ଜୟ କୁମାର ସିଂହ ଆଜି ସେତୁ ନିର୍ମାଣସ୍ଥଳ ପରିଦର୍ଶନ ଓ କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ କରି କହିଛନ୍ତି ।

ଧବଳେଶ୍ଵର ପୀଠର ଭୌଗୋଳିକ ଅବସ୍ଥିତି ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀର ବୈଭବକୁ ମଣ୍ଡନ କରେ । ଏହି ସ୍ଥାନକୁ ସୁରକ୍ଷିତ ଯୋଗାଯୋଗ ସୁନିଶ୍ଚିତ ହୋଇଯିବା ପରେ ଏହା ପର୍ଯ୍ୟଟକମାନଙ୍କୁ ବହୁଳ ଭାବରେ ଆକୃଷ୍ଟ କରିବ ବୋଲି ଆଶା କରାଯାଉଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ମତବ୍ୟକ୍ତ କରିଛନ୍ତି ।

ବିଜୁ ସେତୁ ଯୋଜନା ଅନ୍ତର୍ଗତ ମଞ୍ଚେଶ୍ଵର ଗ୍ରାମଠାରୁ ଧବଳେଶ୍ଵର ପୀଠ ପର୍ଯ୍ୟନ୍ତ ଏହି ବିସ୍ତୃତ ସେତୁ ୨୨ କୋଟି ୨୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହାର ଦୈର୍ଘ୍ୟ ୨୭୬ ମିଟର ରହିଥିବା ବେଳେ ପ୍ରସ୍ଥ ରହିଛି ୬.୨ ମିଟର । ଏହାର ଉଭୟ ପାର୍ଶ୍ଵରେ ୩୬୦ ମିଟର ସଂଯୋଗକାରୀ ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି ।

ପ୍ରକାଶଥାଉକି ଧବଳେଶ୍ଵର ପୀଠକୁ ଏଥିପୂର୍ବରୁ କୌଣସି ସ୍ଥାୟୀ ସେତୁ ସଂଯୋଗ କରୁନଥିଲା । ଯାହାଫଳରେ ଶ୍ରଦ୍ଧାଳୁ, ଭକ୍ତ ଓ ଦର୍ଶନାର୍ଥୀମାନଙ୍କୁ ଝୁଲାପୋଲ ଉପରେ ନିର୍ଭର କରିବାକୁ ପଡୁଥିଲା । ଏଥିସହ ଦର୍ଶନାର୍ଥୀମାନେ ଶ୍ରାବଣମାସ, ବଡଓଷା ଓ ବିଭିନ୍ନ ପର୍ବପର୍ବାଣୀ ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । କେବଳ ଦର୍ଶନାର୍ଥୀ ନୁହଁନ୍ତି ପୂଜକମାନେ ମଧ୍ୟ ବାବା ଧବଳେଶ୍ଵରଙ୍କ ରୀତିନୀତି ସମ୍ପନ୍ନ ନିମନ୍ତେ ଆବଶ୍ୟକ ସାମଗ୍ରୀ ପରିବହନ ଓ ଗମନାଗମନରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀମୁଖ୍ୟ ପ୍ରଦୀପ କୁମାର ସାମଲ , ମୁଖ୍ୟଯନ୍ତ୍ରୀ (ସେତୁ ଓ କୋଠାବାଡି) ରମେଶ ଚନ୍ଦ୍ର ବେହେରା , ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସୋମନାଥ ପରିଡା, ଅଧୀକ୍ଷଣ ଯନ୍ତ୍ରୀ ଅଶୋକ କୁମାର ସାହୁ, ଉପନିର୍ଦ୍ଦେଶକ ସୂଚନା ଓ ଲୋକସଂପର୍କ ବିଭାଗ ତଥା ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଅଜୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ କଟକ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ଏହି ସେତୁର ଲୋକାର୍ପଣ କାର୍ଯ୍ୟକ୍ରମ କରାଯିବ ।