ବ୍ରହ୍ମପୁର: ଆଷାଢ଼ ପୂର୍ଣ୍ଣିମା ତିଥି ସନ୍ଧ୍ୟାରେ ରେଶମ ସହରର ବଡ଼ ବଜାର ଖାସ୍ପା ସାହିରେ ଅନୁଷ୍ଠିତ ହୋଇଛି ପାରମ୍ପରିକ ଓ ପ୍ରାୟ ଦୁଇ ଶହ ବର୍ଷରୁ ଅଧିକ ପ୍ରାଚୀନ କଣ୍ଢେଇ ଯାତ୍ରା। ଏଭଳି ଏକ ଜନସମାଗମ ଯାହା ତତ୍କାଳୀନ ବ୍ରହ୍ମପୁର ଅଞ୍ଚଳର ଜନଜୀବନ, ପରମ୍ପରା, ସାମାଜିକ ପରିସ୍ଥିତିର ଝଲକ ପ୍ରତିଫଳିତ କରାଇଥାଏ। ଆଧୁନିକତାର ଚାକଚକ୍ୟରେ ହଜି ଯାଉଥିବା ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ପ୍ରୟାସର ଏହା ଏକ ବଳିଷ୍ଠ ଉଦାହରଣ। ଅପରପକ୍ଷରେ ପ୍ରାଚୀନତାରୁ ଆଧୁନିକତାର ଯାତ୍ରାକୁ ଦର୍ଶାଉଛି ଏହି କଣ୍ଢେଇ ଯାତ୍ରା। ଏଥିରେ ବ୍ରହ୍ମପୁର ସହର ସମେତ ଆଖପାଖ ଅଞ୍ଚଳରୁ ବହୁ ଖେଳନା ବେପାରୀ, ମାଟି କଣ୍ଢେଇ କାରିଗର ଓ ବିକ୍ରେତା ସାମିଲ ହୋଇଥାନ୍ତି। ଆଉ ଏହି ଅବସରକୁ ଉପଭୋଗ କରିବା ପାଇଁ ମଧ୍ୟ ବିଭିନ୍ନ ବୟସ ବର୍ଗର ବହୁ ଲୋକ ମଧ୍ୟ ସାମିଲ ହୋଇଥାନ୍ତି।
ଇତିହାସ ପୃଷ୍ଠାରେ ଏହି ଯାତ୍ରା ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲା, ଯଦିଓ ବର୍ତ୍ତମାନ ପୂର୍ବପେକ୍ଷା ଗହଳି ବେଶ୍ କମିଯାଇଛି। ପୂର୍ବେ କଣ୍ଢେଇ ଯାତ୍ରାରେ ହାତ ତିଆରି ତଥା ଗୋବର, ମାଟି, ଚିନି ଶିରା, କାଠ ସମେତ ଅନ୍ୟାନ୍ୟ ପଦାର୍ଥରେ ନିର୍ମିତ କଣ୍ଢେଇର ଚାହିଦା ରହିଥିଲା। କାଳକ୍ରମେ ଆଧୁନିକତାର ଛାପରେ ପ୍ଲାଷ୍ଟିକ୍ କଣ୍ଢେଇ, ଉଲ୍, ସିନ୍ଥେଟିକ୍ ନିର୍ମିତ କଣ୍ଢେଇର ପ୍ରଚଳନ ବୃଦ୍ଧି ପାଇଛି। କିନ୍ତୁ ପରମ୍ପରା ବଜାୟ ରଖିବା ପାଇଁ ହାତଗଣତି ବ୍ୟବସାୟୀ ଏବେ ମଧ୍ୟ ମାଟିରେ ନିର୍ମିତ ହାତୀ, ଘୋଡ଼ା, ମୟୂର, ହରିଣ, ତିନି ଠାକୁର, ଶ୍ରୀଜଗନ୍ନାଥ, ଶ୍ରୀରାଧାକୃଷ୍ଣଙ୍କ ଛୋଟ ଛୋଟ ମୂର୍ତ୍ତିର ବିକ୍ରିବଟା କରିବା ପାଇଁ ଆସି ନିଜର ପସରା ମେଲାଇଥାନ୍ତି।
ଆଜକୁ ୨୦୦ ବର୍ଷ ପୂର୍ବେ ଏହି ଯାତ୍ରା ପ୍ରଥମେ ମହୁରି ରାଜବଂଶ ଅମଳରୁ ଆରମ୍ଭ ହୋଇଥିଲା। ତତ୍କାଳୀନ ମହୁରୀ ଗଡର ପେଣ୍ଠସ୍ଥଳୀ ଥିଲା ବର୍ତ୍ତମାନର ଖାସପା ସାହି। ଗଡ଼ ଆଖପାଖ ଅଞ୍ଚଳରୁ ବହୁ ବ୍ୟବସାୟୀ ଓ ସାଧାରଣ ଲୋକ ଏହି ଯାତ୍ରା ଦେଖିବା ସହ ପିଲାଙ୍କ ନିମନ୍ତେ ହାତ ତିଆରି କଣ୍ଢେଇ କିଣିବା ପାଇଁ ଭିଡ଼ ଜମାଉଥିଲେ। ପାରମ୍ପରିକ ବ୍ୟବସାୟୀମାନେ ବିଭିନ୍ନ ହାତ ତିଆରି କଣ୍ଢେଇ ବିକ୍ରିବଟା କରି ବେଶ୍ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରୁଥିଲେ। ଏପରିକି ଘରର ବିବାହିତା ଝିଅ ଶାଶୂ ଘରକୁ ଯିବା ବେଳେ ଛୋଟ ଛୁଆମାନଙ୍କ ପାଇଁ ବିଭିନ୍ନ ରକମର କଣ୍ଢେଇ ସାଥିରେ ନେଇଯିବାର ପ୍ରଥା ରହିଥିଲା।
କରୋନା ମହାମାରୀ ଯୋଗୁଁ ଗତ ୩ ବର୍ଷ ଏହି ଯାତ୍ରା ବନ୍ଦ ରହିଥିଲା। ତେବେ ଆମ ସଂସ୍କୃତି ଆମ ପରମ୍ପରା ଅନୁଷ୍ଠାନ ସହଯୋଗରେ ଏହି ପ୍ରାଚୀନ ଯାତ୍ରାର ଐତିହ୍ୟ ବଜାୟ ରଖିବାକୁ ପ୍ରୟାସ ଆରମ୍ଭ ହୋଇଛି। ବିଗତ କିଛି ବର୍ଷ ହେବ ଯାତ୍ରା ଆୟୋଜନରେ ସକ୍ରିୟ ଭୂମିକା ଗ୍ରହଣ କରି ଆସୁଛି ଏହି ସଙ୍ଗଠନ। ଏଥର କଣ୍ଢେଇ ଯାତ୍ରା ସହ ଚଟପଟା ଖାଦ୍ୟ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ ମହାନ୍ତି, ମହାନଗର ନିଗମ ଡେପୁଟି କମିଶନର ବିନୋଦ ବେହେରା, ସଂସ୍କୃତି ଗବେଷକ ହୃଷୀକେଶ ପାଣିଗ୍ରାହୀ ସମାଜସେବୀ ନିରଞ୍ଜନ ପାଣିଗ୍ରାହୀ ମଞ୍ଚାସୀନ ଥିଲେ। ଅନୁଷ୍ଠାନ ସଭାପତି ସୂର୍ଯ୍ୟ ଦାସ, ସମ୍ପାଦକ ଗୋପାଳ ପଟ୍ଟନାୟକ, ନାରାୟଣ ମହାଙ୍କୁଡ ସହଯୋଗ କରିଥିଲେ। ସାଂସ୍କୃତିକ ସମ୍ପାଦକ ସୁଦିପ ସାହୁ ଓ ରଶ୍ମିତା ଦଳାଇ ମଞ୍ଚ ସଞ୍ଚାଳନ କରିଥିଲେ।