ଠାକୁରାଣୀ ପୀଠର ନବକଳେବରକୁ ମଞ୍ଜୁରୀ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ | News Room Odisha

ଠାକୁରାଣୀ ପୀଠର ନବକଳେବରକୁ ମଞ୍ଜୁରୀ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ବ୍ରହ୍ମପୁର: ରେଶମ ସହରବାସୀଙ୍କ ଆରାଧ୍ୟା ମା’ ବୁଢ଼ି ଠାକୁରାଣୀଙ୍କ ପୀଠ ନବ କଳେବର ପରେ ଝଲସି ଉଠିବ। ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ ସାଜିବ। ଏଥିପାଇଁ ୧୮ କୋଟି ୯୧ ଲକ୍ଷ ଟଙ୍କାରେ ପ୍ରସ୍ତୁତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ଗତ ଏପ୍ରିଲ ମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ ବ୍ରହ୍ମପୁର ବୁଢ଼ି ଠାକୁରାଣୀ ପୀଠ ପରିଦର୍ଶନ କରି ମନ୍ଦିରର ରୂପାନ୍ତରୀକରଣ ପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ତାହାର ବାସ୍ତବ ରୂପାୟନ ବେଳ ଉପନୀତ ହୋଇଛି।

ମା’ ବୁଢ଼ି ଠାକୁରାଣୀଙ୍କ ମନ୍ଦିର ଓ ଚତୁଃପାର୍ଶ୍ଵ ବେଢ଼ା ତଥା ରାସ୍ତାର ଉନ୍ନତିକରଣ, ପ୍ରଶସ୍ତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଅନୁଦାନ ରାଶି ଅନୁମୋଦନ କରିଥିବାରୁ ବ୍ରହ୍ମପୁର ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଶନିବାର ସ୍ଥାନୀୟ ରାମଲିଙ୍ଗେଶ୍ୱର ଉଦ୍ୟାନ ନିକଟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ମନ୍ଦିର ନିକଟରେ ପହଞ୍ଚିଥିଲା। ମା’ ବୁଢ଼ି ଠାକୁରାଣୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ମୁଖ୍ୟମନ୍ତ୍ରୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି ସହରର ବୁଦ୍ଧିଜୀବୀ, ନିର୍ବାଚିତ ପ୍ରତିନିଧି, ପୂଜକ, ଭକ୍ତ ପ୍ରମୁଖ। ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମହାନଗର ନିଗମ ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ, ସମସ୍ତ କର୍ପୋରେଟର୍ ପ୍ରମୁଖ ଏହି ଶୁଭ ଅବସରରେ ଯୋଗ ଦେଇଥିଲେ।