ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକଙ୍କୁ ଗୋପାଳପୁରରେ ସମ୍ବର୍ଦ୍ଧନା | News Room Odisha

ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକଙ୍କୁ ଗୋପାଳପୁରରେ ସମ୍ବର୍ଦ୍ଧନା

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡି ତରଫରୁ ଦଳର ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବହୁ ଦଳୀୟ ନେତା ଓ କର୍ମୀ ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଡୁରା ଓଭରବ୍ରିଜ୍ ନିକଟରୁ ବାଇକ୍ ରାଲି କରି ଗୋପାଳପୁର ସଭାସ୍ଥଳକୁ ପାଛୋଟି ନେଇଥିଲେ। ସେଠାରେ ତାଙ୍କୁ ଦଳର ନେତା ଓ କର୍ମୀ, ମହିଳା ସଂଘ ସଦସ୍ୟା, ଏନଏସିର ସମସ୍ତ କାଉନସିଲର ଓ ବ୍ଲକର ସବୁ ପଞ୍ଚାୟତ ପ୍ରତିନିଧିଉପସ୍ଥିତ ଥିଲେ। ସମ୍ବର୍ଦ୍ଧନାର ଉତ୍ତରେ ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ କହିଥିଲେ ଯେ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି ତାହାକୁ ଆଦର୍ଶ, ନିଷ୍ଠାର ସହ ସମ୍ପୂର୍ଣ୍ଣ ଦାୟିତ୍ୱ ପାଳନ କରିବି। ରାଜ୍ୟସଭା ସାଂସଦ ଭାବେ ନିଜସ୍ୱ ପାଣ୍ଠିରୁ ଗୋପାଳପୁର ଅଞ୍ଚଳର ଉନ୍ନତି ନିମନ୍ତେ ଅନୁଦାନ ପ୍ରଦାନ କରିବି। ୨୦୨୪ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଗୋପାଳପୁର ନିର୍ବାଚନ ମଣ୍ଡଳୀ ପାଇଁ ଯାହାକୁ ବିଧାୟକ ପ୍ରାର୍ଥୀ କରିବେ ସମସ୍ତେ ତାଙ୍କୁ ସମର୍ଥନ କରି ବିଜୟ କରିବାକୁ ଆହ୍ବାନ ଦେଇଥିଲେ। ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ହେଉଥିବା ବିଭିନ୍ନ ସରକାରୀ ଜନକଲ୍ୟାଣ ଯୋଜନା ଏବଂ ଉନ୍ନତିମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏହି ସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ଇ. ବିବେକ ରେଡ୍ଡୀ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗୋପାଳପୁର ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ. ଗୋପବନ୍ଧୁ ଦାଶ, ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରା, ଗୋପାଳପୁର ଏନ୍ଏସି ଅଧ୍ୟକ୍ଷ ଏ. ଜାନକୀ ରାମ ପ୍ରମୁଖ ମଞ୍ଚାସୀନ ଥିଲେ।

ଏଥିସହ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଜେଡି କାର୍ଯ୍ୟାଳୟକୁ ଉଦଘାଟନ କରାଯାଇଥିଲା। ପରେ ଗୋପାଳପୁର ପୁରୁଣା ସର୍କିଟ ହାଉସରେ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।