ବ୍ରହ୍ମପୁରରେ ଜଳାଶୟ ସଂରକ୍ଷଣର ଉତ୍କୃଷ୍ଟ ନଜିର: ବେଙ୍ଗାଲୁରୁ ମଡେଲ୍‌ର ପ୍ରୟୋଗ ସାଙ୍ଗକୁ ୬୪.୩୬ କୋଟିର ପ୍ରକଳ୍ପ କାର୍ଯ୍ୟକାରୀ | News Room Odisha

ବ୍ରହ୍ମପୁରରେ ଜଳାଶୟ ସଂରକ୍ଷଣର ଉତ୍କୃଷ୍ଟ ନଜିର: ବେଙ୍ଗାଲୁରୁ ମଡେଲ୍‌ର ପ୍ରୟୋଗ ସାଙ୍ଗକୁ ୬୪.୩୬ କୋଟିର ପ୍ରକଳ୍ପ କାର୍ଯ୍ୟକାରୀ

ବ୍ରହ୍ମପୁର: ନିକଟରେ ଗଞ୍ଜାମ ଜିଲ୍ଲା ଜଳ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ ଲାଗି ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସହରାଞ୍ଚଳ ପୋଖରୀ ପୁନଃଉଦ୍ଧାର ସହ ସୌନ୍ଦର୍ଯ୍ୟକରଣ ଦୃଷ୍ଟିରୁ ବ୍ରହ୍ମପୁର ମହାନଗର ନିଗମର ପଦକ୍ଷେପ ଏବେ ନୂଆ ଆଶା ସଞ୍ଚାର କରିଛି। ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ଆମ ପୋଖରୀ ଯୋଜନାର ପ୍ରଥମ ପର୍ଯ୍ୟାୟରେ ମହାନଗରର ୪ଟି ପ୍ରମୁଖ ଜଳାଶୟକୁ ପ୍ରାକୃତିକ ଉପାୟରେ ପୁନଃଉଦ୍ଧାର ସାଙ୍ଗକୁ ସୌନ୍ଦର୍ଯ୍ୟକରଣ କରାଯାଉଛି। ଏଥିପାଇଁ ବିଏମ୍‌ସି ଖର୍ଚ୍ଚ କରୁଛି ୬୪ କୋଟି ୩୬ ଲକ୍ଷ ଟଙ୍କା। ସେହିପରି ଦେଶରେ ନାଁ କରିଥିବା ବେଙ୍ଗାଲୁରୁ ମଡେଲ୍‌କୁ ଆପଣାଇ ବେଢ଼ା ବନ୍ଧ, ଆଗୁଳ ବନ୍ଧ, ଆଇନା ବନ୍ଧ ଓ ହରିଡ଼ାଖଣ୍ଡି ପୋଖରୀକୁ ପୁନଃଖନନ ଓ ଚତୁଃପାର୍ଶ୍ଵ ସୌନ୍ଦର୍ଯ୍ୟକରଣ କରାଯାଉଛି।

ବ୍ରହ୍ମପୁର ସହରରେ ରହିଛି ୪୨ ଗୋଟି ଜଳାଶୟ। ସେଥିରୁ ୨୮ ପୋଖରୀ ପୁନଃଉଦ୍ଧାର କରାଯାଇ ସାରିଛି। ସେଥିମଧ୍ୟରୁ ଅନେକ ଜଳାଶୟ ସୌନ୍ଦର୍ଯ୍ୟକରଣ ପରେ ସ୍ଥାନୀୟ ଲୋକଙ୍କ ଆମୋଦପ୍ରମୋଦର କେନ୍ଦ୍ର ପାଲଟିଛି। ଅନେକ ପୋଖରୀ ଚତୁଃପାର୍ଶ୍ଵରେ କଂକ୍ରିଟ୍‌ ହୁଡ଼ା କରାଯାଇ ସ୍ଥାୟୀ ଭାବେ ସଂରକ୍ଷଣ ପ୍ରୟାସ କରାଯାଇ ଥିଲା। ତେବେ ସହରର ଅନ୍ୟ ୧୪ଟି ଜଳାଶୟକୁ ପ୍ରାକୃତିକ ଉପାୟରେ ପୁନଃଉଦ୍ଧାର ଓ ଉନ୍ନତୀକରଣ ପାଇଁ ମହାନଗର ନିଗମ ବେଙ୍ଗାଲୁରୁ ମଡେଲ୍‌କୁ କାର୍ଯ୍ୟକାରୀ କରୁଛି। ଉକ୍ତ ମଡେଲ୍‌ ଅନୁସାରେ ଏବେ ୨୯.୨୦ କୋଟିରେ ବେଢ଼ା ବନ୍ଧ, ୧୧.୪୫ କୋଟିରେ ଆଗୁଳା ବନ୍ଧ, ୧୦.୪୩ କୋଟିରେ ଆଇନା ବନ୍ଧ ଓ ୧୩.୨୬ କୋଟିରେ ହରିଡ଼ାଖଣ୍ଡି ବନ୍ଧର ପୁନଃଉଦ୍ଧାର କାର୍ଯ୍ୟ କରାଯାଉଛି। ଏହି ମଡେଲ୍‌ରେ କେମିକାଲ୍‌ ପ୍ରୟୋଗ କରା ନଯାଇ କଂକ୍ରିଟ୍‌ମୁକ୍ତ ତଥା ପ୍ରାକୃତିକ ପଦ୍ଧତିରେ ଜଳାଶୟର ପୁନଃଉଦ୍ଧାର କରାଯାଉଛି।

ବ୍ରହ୍ମପୁରରେ ଜଳାଶୟ ମାନବ ଏମ୍.ଆନନ୍ଦ

ପ୍ରକାଶ ଥାଉକି ବେଙ୍ଗାଲୁରୁର ମେକାନିକାଲ୍‌ ଇଞ୍ଜିନିୟର୍‌ ଏମ୍‌.ଆନନ୍ଦ ଯେକି ଆମ ଦେଶର ଜଳାଶୟ ମାନବ ଭାବେ ନାଁ କମାଇଛନ୍ତି ସେ ଜଳାଶୟ ଗୁଡ଼ିକର ପ୍ରାକୃତିକ ପଦ୍ଧତିରେ ସଂରକ୍ଷଣର ଅଭିନବ ପଦ୍ଧତି ସୃଷ୍ଟି କରିଛନ୍ତିି। ସେ ୨୦୧୭ରେ ବେଙ୍ଗାଲୁରୁ ମହାନଗରର ଜଳାଶୟଗୁଡ଼ିକର ଶୋଚନୀୟ ଅବସ୍ଥା ଦେଖି ତାହାର ସଂରକ୍ଷଣ ସକାଶେ କମ୍‌ ଖର୍ଚ୍ଚରେ ପ୍ରାକୃତିକ ଉପାୟରେ ଉପରୋକ୍ତ ପ୍ରୟୋଗ କରିଥିଲେ। ଫଳରେ ସେଠିକାର ଜଳାଶୟଗୁଡିକ ପୁଣି ପୂର୍ବବସ୍ଥାକୁ ଫେରି ଆସି ପାରିଥିଲା। ଏହି ପଦ୍ଧତିରେ ପୁନଃଉଦ୍ଧାର ବେଳେ ପ୍ରଥମେ ଜଳାଶୟକୁ ପ୍ରବେଶ କରୁଥିବା ସିଓ୍ବରେଜ୍‌ ପାଣିକୁ ପୃଥକ୍‌ କରାଯାଏ। ପୋଖରୀ ଜଳ ନିଷ୍କାସନ କରି ପଙ୍କୋଦ୍ଧାର କରାଯାଏ। ପରେ ପୋଖରୀ ନିକଟରେ ହିଡ଼ କରି ସିଓ୍ବରେଜ୍‌ ପାଣିକୁ ପର୍ଯ୍ୟାୟକ୍ରମେ ପ୍ରଦୂଷଣମୁକ୍ତ କରି ତାହାକୁ ପୋଖରୀରେ ପୁନଃପ୍ରବେଶ କରାଇ ଲୋକଙ୍କ ବ୍ୟବହାର ଉପଯୋଗୀ କରାଯାଏ।

କିଛିଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବିଏମ୍‌ସି କମିଶନର ଜେ. ସୋନାଲ ବେଙ୍ଗାଲୁରୁ ଯାଇ ଉକ୍ତ ମଡେଲ୍‌ ଅନୁଧ୍ୟାନ କରିଥିଲେ। ତା ପରେ ତାହାକୁ ରେଶମ ସହରରେ ପ୍ରୟୋଗ କରାଯାଉଛି। ଆଉ ଏବେ ଜଳାଶୟ ମାନବ ଏମ୍‌.ଆନନ୍ଦ ବ୍ରହ୍ମପୁର ଆସି ଏକାଧିକ ପୋଖରୀ ବୁଲି ଦେଖଛନ୍ତି। ଉକ୍ତ ପଦ୍ଧତିର ସଫଳ ପ୍ରୟୋଗ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି। ସେ ବେଢ଼ା ବନ୍ଧ, ହରିଡ଼ାଖଣ୍ଡି ବନ୍ଧ ଓ ମାଣ୍ଡିଆ ବନ୍ଧ ଆଦି ପରିଦର୍ଶନ କରିଥିଲେ। ପ୍ରାକୃତିକ ଉପାୟରେ ପୋଖରୀ ପୁନଃଉଦ୍ଧାର କରାଯାଉଥବାରୁ ଆନନ୍ଦ ପ୍ରକାଶ କରିଛନ୍ତି ସେ। ଉଲ୍ଲେଖଯୋଗ୍ୟ ଯେ ଏଥିସହ ବିଦେଶରୁ ବହୁ ମୂଲ୍ୟବାନ ଓ ଅତ୍ୟାଧୁନିକ ବୈଷୟିକ କୌଶଳରେ କାର୍ଯ୍ୟ କରୁଥିବା ମେସିନ୍‌ ଅଣାଯାଇ ରେଶମ ସହରର ପୋଖରୀଗୁଡିକର ସଫେଇ ତଥା ସଂରକ୍ଷଣ କାର୍ଯ୍ୟରେ ନିୟୋଜିତ କରାଯାଇଛି।