ଶ୍ରାବଣ ପ୍ରଥମ ସୋମବାର: ଶୈବପୀଠରେ ବୋଲବମ୍‌ ଭକ୍ତଙ୍କ ସମାଗମ | News Room Odisha

ଶ୍ରାବଣ ପ୍ରଥମ ସୋମବାର: ଶୈବପୀଠରେ ବୋଲବମ୍‌ ଭକ୍ତଙ୍କ ସମାଗମ

ବ୍ରହ୍ମପୁର: ଶ୍ରାବଣ ମାସର ପ୍ରଥମ ସୋମବାରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧ ଓ ପ୍ରତ୍ୟକ୍ଷ ଶୈବପୀଠରେ ମାନସିକଧାରୀ ବୋଲବମ୍‌ ଭକ୍ତମାନେ ମହାଦେବଙ୍କୁ ଜଳଲାଗି କରିଛନ୍ତି। ବୋଲବମ୍‌, ହର ହର ବମ୍‌… ଗଣପତି ବାପା ପାର୍‌ କରେଗା… ପାର୍ବତୀପତି ପାର୍‌ କରେଗା… ତୁଣ୍ଡରେ ଏଭଳି ଠାକୁରଙ୍କ ନାମ ଡାକି ଡାକି ଲମ୍ବା ଦୂରତା ଖାଲି ପାଦରେ ଚାଲି ଚାଲି ଆସି ମହାପ୍ରଭୁ ଈଶ୍ଵରଙ୍କ ଜଳାଭିଷେକ କରିଛନ୍ତି। ସେଥିପାଇଁ ଚଳଚଞ୍ଚଳ ଥିଲା ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧ ଶିବ ମନ୍ଦିର। ବାଟେ ଘାଟେ ଶୁଣିବାକୁ ମିଳିଥିଲା ବୋଲବମ୍‌ ହର ହର ବମ୍‌ ଡାକ। ଆସିକା, ଗଞ୍ଜାମ, ପୁରୁଷୋତ୍ତମପୁର ନିକଟ ରଷିକୁଲ୍ୟା ନଦୀ, ବ୍ରହ୍ମପୁର ଉପକଣ୍ଠ ଲାଠୀସ୍ଥିତ ସାପୁଆ ନଈ ସମେତ ଜିଲ୍ଲାର ଛୋଟ ବଡ଼ ନଦୀରେ ରବିବାର ଦିନ ବା ମଧ୍ୟରାତ୍ରରେ ସ୍ନାନ ସହ ପୂଜାର୍ଚ୍ଚନା କରି ଶୁଦ୍ଧପୁତ ଭାବେ କାନ୍ଧରେ ବାହୁଙ୍ଗି ଧରିଥିଲେ ଶିବ ଭକ୍ତ। ଗେରୁଆ ବସ୍ତ୍ର ପିନ୍ଧିବା ସହ ଶରୀରରେ ଧାରଣ କରିଥିଲେ ପଇତା। ନଦୀ ପଠାରେ ହୋମ, ସୂର୍ଯ୍ୟ ପୂଜା, ବରୁଣ ପୂଜା ପରେ ବାଲିରେ ଶିବଲିଙ୍ଗ କରି ପୂଜାର୍ଚ୍ଚନା ପରେ କାଉଡ଼ିଆମାନେ କୁମ୍ଭରେ ପାଣି ଧରିଥିଲେ। ସେଥିରେ ଥିଲା ନଦୀ ଜଳ, ଗଙ୍ଗା ଜଳ, ଚନ୍ଦନ, ଗୁଆ, ଫୁଲ, ବେଲପତ୍ର ଆଦିର ସମ୍ମିଶ୍ରଣ। ଏହାପରେ ବିଭିନ୍ନ ଶୈବପୀଠ ଅଭିମୁଖେ ଆରମ୍ଭ ହୋଇଥିଲା ଯାତ୍ରା। ସେଠାରେ ସୋମବାର ସକାଳେ ଶିବଲିଙ୍ଗରେ ଜଳ ଢାଳିବା ପରେ ଭକ୍ତିଭାବର ସହ ପୂଜା କରିଥିଲେ।

ମାନସିକ ପୂର୍ଣ୍ଣ ପାଇଁ ଶରୀରକୁ କଷ୍ଟ ଓ ମନରେ ଭକ୍ତିଭାବର ମିଶ୍ରଣ ଦେଖିବାକୁ ମିଳିଥିଲା ବୋଲବମ୍‌ ଯାତ୍ରାରେ। ବିଭିନ୍ନ ବୋଲବମ୍‌ ସଂଘ ପକ୍ଷରୁ ମଧ୍ୟ ଏଥିପାଇଁ ପ୍ରସ୍ତୁତି ହୋଇଥିଲା। ଡାଲା ଗାଡ଼ିରେ ସାଉଣ୍ଡ୍ ବକ୍ସ ଲଗାଇ ଶିବ ଭଜନ ବଜାଇ କାଉଡ଼ିଆମାନଙ୍କୁ ଉତ୍ସାହିତ କରୁଥିଲେ। ବ୍ରହ୍ମପୁର ସହର ତଥା ଆଖପାଖର ଅଷ୍ଟଶମ୍ଭୁ ପୀଠ ସାଙ୍ଗକୁ ନୀଳକଣ୍ଠେଶ୍ଵର, ଗୋକର୍ଣ୍ଣେଶ୍ଵର, ଧବଳେଶ୍ବର, ସ୍ପଟିକ ଲିଙ୍ଗ ମନ୍ଦିର ଗଞ୍ଜାମ ନିକଟ ବଟେଶ୍ଵର ଆଦି ପ୍ରସିଦ୍ଧ ଶିବ ମନ୍ଦିରରେ କାଉଡ଼ିଆମାନେ ଶାନ୍ତିଶୃଙ୍ଖଳାର ସହିତ ପାଣି ଢାଳିବା ପାଇଁ ବ୍ୟବସ୍ଥା କରାଯାଇଛି। ବାହୁଙ୍ଗି ରଖିବାକୁ ବାଉଁଶ ବାନ୍ଧି ଷ୍ଟାଣ୍ଡ୍‌ କରାଯାଇଛି।

ଅପରପକ୍ଷରେ ୧୯ ବର୍ଷ ପରେ ଚଳିତ ଥର ଯୋଡ଼ା ଶ୍ରାବଣ ମାସ ପଡୁଛି। ମଳ ମାସ କାରଣରୁ ମଝି ସପ୍ତାହ ମାନଙ୍କରେ ଜଳଲାଗି ବାରଣ ରହିବ। ଏଣୁ ମାସ ଆରମ୍ଭରୁ ଶୈବଭକ୍ତ ବେଶ୍‌ ତତ୍ପର ଥିବା ଦେଖିବାକୁ ମିଳିଛି। ପୁଣି ଶେଷ ସମୟରେ ମଧ୍ୟ ଭିଡ଼ ଜମିବ। ଆସିକା ନିକଟ ରଷିକୁଲ୍ୟା ଓ ବଡ଼ ନଦୀ ସଙ୍ଗମ ସ୍ଥଳୀରୁ ହଜାର ହଜାର କାଉଡ଼ିଆ ରବିବାରରୁ ଯାତ୍ରାରମ୍ଭ କରି ସୋମବାର ଠାକୁରଙ୍କୁ ଜଳାଭିଷେକ କରିଥିଲେ। ସେହିପରି ଗଞ୍ଜାମ ସହର ନିକଟ ରଷିକୁଲ୍ୟା, ରାମେଶ୍ବର ମନ୍ଦିର ଓ ବାଲିଲୋକନାଥ ମନ୍ଦିର ନିକଟ ନଦୀ ଘାଟରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସଂସାରର ସଂହାରକର୍ତ୍ତା ଦେବ ଦେବ ମହାଦେବ ସେମାନଙ୍କ ମନୋସ୍କାମନା ପୂରଣ କରିବେ, ଏଇ ଆଶାରେ ମନରେ ଭକ୍ତିଭାବ ସହ ପୂଜା କରିଛନ୍ତି, ଜଳ ଚଢାଇଛନ୍ତି ମାନସିକଧାରୀ ବୋଲବମ୍‌ ଶ୍ରଦ୍ଧାଳୁ।