ବ୍ରହ୍ମପୁର ପାର୍କ ଜଳାଶୟରୁ ୨ ଶବ ଉଦ୍ଧାର | News Room Odisha

ବ୍ରହ୍ମପୁର ପାର୍କ ଜଳାଶୟରୁ ୨ ଶବ ଉଦ୍ଧାର

ବ୍ରହ୍ମପୁର: ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କରେ ଅଘଟଣ। ମଙ୍ଗଳବାର ସକାଳେ ପାର୍କ ପରିସରରେ ବୋଟିଂ ପାଇଁ ଉଦ୍ଦିଷ୍ଟ ଜଳାଶୟ ମଧ୍ୟରୁ ୨ଟି ଶବ ଉଦ୍ଧାର କରାଯାଇଛି। ସେଥିରୁ ଜଣେ ବୃଦ୍ଧ ଥିବା ବେଳେ ଅନ୍ୟ ଜଣେ ବୟସ୍କ ବ୍ୟକ୍ତି ରହିଛନ୍ତି। କୌଣସି ମତେ ସେମାନେ ଜଳାଶୟ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ବୋଧହୁଏ ପାର୍କ ବୁଲିବା ବେଳେ ଗତକାଲି ବିଳମ୍ବିତ ସନ୍ଧ୍ୟାରେ କିପରି ପାଣି ଭିତରକୁ ଖସି ପଡ଼ିଥିବେ ବୋଲି ପୋଲିସ ସନ୍ଦେହ କରୁଛି। ତେବେ ପାର୍କ କର୍ମଚାରୀ ବା ଅନ୍ୟମାନେ କିପରି ତାହା ଜାଣିପାରି ନଥିଲେ। ମଙ୍ଗଳବାର ଦୁଇ ମୃତ ଦେହ ପାଣିରେ ଭାସୁଥିବା ଦେଖି ପାର୍କ କର୍ମଚାରୀଙ୍କ ଠାରୁ ଖବର ପାଇ ଦମକଳ ବାହିନୀ ଶବ ଉଦ୍ଧାର କରିଥିଲେ। ପୋଲିସ ପହଞ୍ଚି ଶବ ଜବତ କରିଛି। ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ। ଏମାନଙ୍କ ମଧ୍ୟରୁ ଜଣେ ବ୍ରହ୍ମପୁର କୁଠାରୀ ମନ୍ଦିର ସାହିର ବୋଲି ଜଣାପଡିଛି। ଅନ୍ୟ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇପାରିନି। ଦୁହେଁ ସାଥିରେ ଥିଲେ ନା କ’ଣ, କିଭଳି ଓ କେତେବେଳେ ଘଟଣା ଘଟିଛି ତାହା ପୋଲିସ ତଦନ୍ତ କରୁଛି।