କନ୍ଯାକୁମାରୀ ବିବେକ ସୁପରଫାଷ୍ଟ ଏକ୍ସପ୍ରେସରେ ଧୂଆଁ ଦେଖି ଯାତ୍ରୀ ଭୟଭୀତ | News Room Odisha

କନ୍ଯାକୁମାରୀ ବିବେକ ସୁପରଫାଷ୍ଟ ଏକ୍ସପ୍ରେସରେ ଧୂଆଁ ଦେଖି ଯାତ୍ରୀ ଭୟଭୀତ

ବ୍ରହ୍ମପୁର: ବ୍ରହ୍ମପୁର ଷ୍ଟେସନ ନିକଟରେ ଏକ ଅଘଟଣକୁ ଏଡ଼ାଇ ଦିଆଯାଇଛି। ଦିବ୍ରୁଗଡ- କନ୍ଯାକୁମାରୀ ବିବେକ ସୁପରଫାଷ୍ଟ ଏକ୍ସପ୍ରେସର ବଗି ଏସ୍-୧୦ ଚକ ତଳୁ ଧୂଆଁ ଉଠୁଥିଲା। ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁର ଜଙ୍କସନରେ ଏହାକୁ ପ୍ରଥମେ କିଛି ଯାତ୍ରୀ ଦେଖିଥିଲେ। ସେମାନେ ତୁରନ୍ତ ଅନ୍ୟ ଯାତ୍ରୀଙ୍କୁ ଜଣାଇବା ପରେ ବ୍ରହ୍ମପୁର ଷ୍ଟେସନ୍ ନିକଟ କମାପଲ୍ଲୀ ଓଭରବ୍ରିଜ୍‌ ପାଖରେ ଯାତ୍ରୀମାନେ ଚେନ୍ ଟାଣି ଟ୍ରେନ୍ ଅଟକାଇଥିଲେ। ସେହି ବଗି ସମେତ ଆଖପାଖ ବଗିରୁ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ଘଟଣାସ୍ଥଳରେ ବ୍ରହ୍ମପୁର ଷ୍ଟେସନ୍‌ ମ୍ଯାନେଜର ଦୁର୍ଗାପ୍ରସାଦ ବ୍ରହ୍ମା, ଜିଆରପି ଓ ଆରପିଏଫ୍‌ ପହଞ୍ଚିଥିଲା। ଅଗ୍ନିନିର୍ବାପକ ଯନ୍ତ୍ର ପ୍ରୟୋଗ କରି ତୁରନ୍ତ ଧୂଆଁ ଲିଭାଇ ଦିଆଯାଇଥିଲା । ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ଟ୍ରେନ୍‌ ଚକରେ ଏକ ଅଖା ଜରି ଲାଗିଥିବାରୁ ବ୍ରେକରେ ଘଷି ହୋଇ ଧୂଆଁ ବାହାରୁଥିବା ଜଣାପଡିଛି। ଟ୍ରେନ୍‌ଟି ପ୍ରାୟ ୩୦ ମିନିଟ୍ ଧରି ଅଟକି ରହିବା ପରେ ୧.୫୦ ମିନିଟ୍‌ରେ ଛାଡ଼ିଥିଲା।