ପୂରଣ ହେବ ନିଜ ମୁଣ୍ଡ ଉପରେ ନିଜ ଛାତର ସ୍ବପ୍ନ: ଗଞ୍ଜାମ ଜିଲ୍ଲାରେ 'ମୋ ଘର' ଯୋଜନା ଆରମ୍ଭ | News Room Odisha

ପୂରଣ ହେବ ନିଜ ମୁଣ୍ଡ ଉପରେ ନିଜ ଛାତର ସ୍ବପ୍ନ: ଗଞ୍ଜାମ ଜିଲ୍ଲାରେ ‘ମୋ ଘର’ ଯୋଜନା ଆରମ୍ଭ

ଛତ୍ରପୁର: ନିଜ ମୁଣ୍ଡ ଉପରେ ରହିବ ନିଜର ଛାତ। ନିଜର ବୋଲି ଘର କହି ସେଥିରେ ଆରାମରେ ମୁଣ୍ଡ ଗୁଞ୍ଜି ରହିପାରିବେ ପରିବାରର ସମସ୍ତ ଲୋକ। ପୂରଣ ହେବ ସେମାନଙ୍କ ଦୀର୍ଘ ଇପ୍‌ସିତ ସ୍ବପ୍ନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମାଜର ଘର ବା ଛାତବିହୀନ ଲୋକଙ୍କ ଏହି ଆକାଂକ୍ଷା ପୂରଣ କରିବାକୁ ଯାଉଛି। ଏ ନେଇ ଗଞ୍ଜାମ ଜିଲ୍ଲାରେ “ମୋ ଘର” ଯୋଜନା ଆରମ୍ଭ ହୋଇଛି। ଏହି ସ୍କିମ୍‌ରେ ନୂତନ ଗୃହ ନିର୍ମାଣ ସକାଶେ ଆବେଦନକାରୀଙ୍କୁ ବ୍ୟାଙ୍କ୍‌ ରଣ ସହିତ ସରକାରଙ୍କ ସବ୍‌ସିଡି ରାଶିକୁ ପ୍ରଦାନ କରାଯାଉଛି। ଗଞ୍ଜାମ ଜିଲ୍ଲାର ପ୍ରଥମ ହିତାଧିକାରୀ ସାଜିଛନ୍ତି ହିଞ୍ଜିଳିକାଟୁ ବ୍ଲକ୍‌ ବୁରୁପଡା ପଞ୍ଚାୟତ ପୋଡଙ୍ଗି ଗ୍ରାମର ସୁମତି ଦାସ। ତାଙ୍କୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ କାର୍ଯ୍ୟାଳୟରେ ପ୍ରଥମ କିସ୍ତି ରାଶି ବାବଦ ଏକ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି।

ସୁମତି ତିନି ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଗୃହ ନିର୍ମାଣ ସକାଶେ ଆବେଦନ କରିଛନ୍ତି। ତାଙ୍କୁ ଚେକ୍‌ ପ୍ରଦାନ ସହ ଜିଲ୍ଲାପାଳ ପରିଡ଼ାଙ୍କ ଦ୍ଵାରା ମୋ ଘର ଯୋଜନା ଆରମ୍ଭ କରାଯାଇଛି। ଏହି ଅର୍ଥ ରାଶି ହିଞ୍ଜିଳିକାଟୁ ବ୍ଲକ୍‌ ପ୍ରଶାସନ ଜରିଆରେ ସେଠାକାର ଷ୍ଟେଟ୍‌ ବ୍ୟାଙ୍କ୍‌ ଶାଖା ତରଫରୁ ପ୍ରଦାନ କରାଯାଇଛି। ନିଜ ଘର ନିର୍ମାଣର ସ୍ବପ୍ନ ପୂରା ହେବାକୁ ଯାଉଥିବା ଦେଖି ଖୁସିରେ ଗଦ୍‌ଗଦ୍‌ ସୁମତି କହିଛନ୍ତି ଯେ- ବ୍ୟାଙ୍କ୍‌ ରଣ ସହ ସରକାରଙ୍କ ସବ୍‌ସିଡି ରାଶିକୁ ନେଇ ଶୀଘ୍ର ଗୃହ ନିର୍ମାଣ ସାରିବି। ବ୍ୟାଙ୍କ୍‌ ରଣ ମଧ୍ଯ ସମୟ ପୂର୍ବରୁ ପରିଶୋଧ କରିବି। ପ୍ରକାଶ ଥାଉ କି ସୁମତି ପୂର୍ବରୁ ରାଜ୍ୟ ସରକାରଙ୍କ ଠାରୁ ଗ୍ରାମ କଣ୍ଟ ପଟ୍ଟା ପାଇଛନ୍ତି। ଏବେ ରାଜ୍ୟ ସରକାରଙ୍କ ସହାୟତାରେ ଗୃହ ନିର୍ମାଣ ପାଇଁ ସହାୟତା ପାଇଥବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍, ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା, ହିଞ୍ଜିଳି ଷ୍ଟେଟ୍‌ ବ୍ୟାଙ୍କ୍ ଶାଖା ପରିଚାଳକ ସୌମ୍ୟକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।