ଘରେ ପଶି ନାବାଳିକାଙ୍କ ତଣ୍ଟି କାଟି ହତ୍ୟା | News Room Odisha

ଘରେ ପଶି ନାବାଳିକାଙ୍କ ତଣ୍ଟି କାଟି ହତ୍ୟା

ବଲାଙ୍ଗୀର – ବଲାଙ୍ଗୀରରେ ଚାଞ୍ଚଲ୍ୟ। ଘରେ ପଶି ଜଣେ ନାବାଳିକାଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ସହରର ନିଖିଲ ନଗର ଅଞ୍ଚଳରେ ଘଟିଛି ଏହି ଘଟଣା । ନାବାଳିକା ଜଣକ ଯୁକ୍ତ ଦୁଇ ଛାତ୍ରୀ ଥିଲେ।

ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳେ ନାବାଳିକାଙ୍କ ବାପାମା’ କାମକୁ ଯାଇଥିଲେ। ଏହି ସମୟରେ ନାବାଳିକା ଜଣଙ୍କ ଘରେ ଏକା ଥିଲେ। ୧୨ଟା ବେଳେ ରୋଷେଇ କରି ଖାଇବା ପହଞ୍ଚାଇବାକୁ ଝିଅକୁ ବାପାମା’ କହିଥିଲେ। ହେଲେ ଝିଅ ଠିକ୍‌ ସମୟରେ ବାପାମା’ ଙ୍କ ପାଖକୁ ଖାଇବାକୁ ନେଇକି ଯାଇ ପାରିନଥିଲା । ଫୋନ୍‌ ବି ଉଠାଇ ନଥିଲା। ଏନେଇ ସନ୍ଦେହ ହେବାରୁ ବାପାମା’ ଘରକୁ ଆସି ଝିଅର ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ସେମାନେ ପାଖ ପଡୋଶୀଙ୍କୁ ପଚରାଉଚରା କରିବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ନାବାଳିକାଙ୍କୁ କିଏ ହତ୍ୟା କଲା, କାହିଁକି ହତ୍ୟା କଲା ତାହା ଜଣାପଡ଼ି ନାହିଁ। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।