ବ୍ରହ୍ମପୁରରେ ମିଶନ୍‌ ଶକ୍ତିର ସଚେତନତା କର୍ମଶାଳା: ଅର୍ଥନୈତିକ ବିକାଶରେ ଏସ୍‌ଏଚ୍‌ଜି ସହଭାଗୀ | News Room Odisha

ବ୍ରହ୍ମପୁରରେ ମିଶନ୍‌ ଶକ୍ତିର ସଚେତନତା କର୍ମଶାଳା: ଅର୍ଥନୈତିକ ବିକାଶରେ ଏସ୍‌ଏଚ୍‌ଜି ସହଭାଗୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ୪୨ ହଜାର ଏସ୍‌ଏଚ୍‌ଜି ରହିଛି। ବ୍ରହ୍ମପୁର ମହାନଗରରେ ଅଛି ୩ ହଜାର ସ୍ଵୟଂ ସହାୟିକା ଗୋଷ୍ଠୀ। ମିଶନ୍‌ ଶକ୍ତି ଆନୁକୂଲ୍ୟରେ ଏହି ମହିଳା ଗୋଷ୍ଠୀ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ଆର୍ଥିକ ସ୍ଵାବଲମ୍ବୀ ହେବା ସହ ନାରୀ ସଶକ୍ତୀକରଣକୁ ଅଧିକ ମଜବୁତ ଓ ସଙ୍ଗଠିତ କରୁଛନ୍ତି। ନିଜର, ଗୋଷ୍ଠୀର ତଥା ସାମଗ୍ରିକ ଭାବେ ରାଜ୍ୟର ଅର୍ଥନୈତିକ ବିକାଶରେ ଏମାନେ ସହଭାଗୀ ହୋଇପାରୁଛନ୍ତି। ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେଉଛନ୍ତି। ବ୍ରହ୍ମପୁର ଟାଉନ୍‌ ହଲ୍‌ ଠାରେ ମିଶନ୍‌ ଶକ୍ତି ତଥା ସମନ୍ଵିତ ଶିଶୁ ଓ ମହିଳା ବିକାଶ ଯୋଜନା ଦ୍ଵାରା ଆୟୋଜିତ ୪ ଦିନିଆ ସଚେତନତା କର୍ମଶାଳାର ଉଦ୍‌ଘାଟନୀ ସଭାରେ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି।

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କର୍ମଶାଳାରେ ମହିଳା ଏସ୍‌ଏଚ୍‌ଜିମାନଙ୍କ ନିମନ୍ତେ ବ୍ୟାଙ୍କ୍ ରଣ ନେବା ଓ ସୁଧ ଫେରସ୍ତ ବ୍ଯବସ୍ଥାକୁ ନେଇ ସଚେତନ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ସହରାଞ୍ଚଳମାନଙ୍କରେ ଆରମ୍ଭ ହୋଇଥିବା ମୁକ୍ତା (ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା)ରେ ଏସ୍‌ଏଚ୍‌ଜି ସଭ୍ୟାମାନେ କିଭଳି ବିଭିନ୍ନ ଉନ୍ନୟନମୂଳକ ତଥା ନିର୍ମାଣ କାର୍ଯ୍ୟରେ ସାମିଲ ହୋଇପାରିବେ ଓ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇପାରିବେ ତାହା ଉପରେ ଗୁରୁତ୍ଵ ଦିଆଯାଇ ଥିଲା। ଉଦ୍‌ଘାଟନୀ ସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ତା, ମେୟର୍‌ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍‌ ଇ. ବିବେକ ରେଡ୍ଡୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବିଏମ୍‌ସି କମିଶନର ଜେ. ସୋନାଲ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି ଅଭିଯାନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରଣରେ ବ୍ୟାଙ୍କ୍‌ କୌଣସି ସୁଧ ଦାବି କରିବ ନାହିଁ। ସଠିକ୍‌ ଭାବେ ରଣ ସୁଝିଲେ, ପରବର୍ତ୍ତୀ ପର୍ଯ୍ୟାୟ ରଣରେ ସରକାର ସୁଧରେ ରିହାତି ପ୍ରଦାନ କରିବେ। ଏସ୍‌ଏଚ୍‌ଜି ଆଉ କେବଳ ଆଚାର, ପାମ୍ପଡ ପ୍ରସ୍ତୁତି କିମ୍ବା କେବଳ ସିଲେଇ କାର୍ଯ୍ୟରେ ସୀମିତ ରହିନି। ବରଂ ମହିଳା ଗୋଷ୍ଠୀ ଚାଷବାସ, ହାତ ତିଆରି ସାମଗ୍ରୀ, ଖାଦ୍ୟ ଜିନିଷ ପ୍ରସ୍ତୁତି ସାଙ୍ଗକୁ ଏବେ ସହର ସୌନ୍ଦର୍ଯ୍ୟକରଣ, ନିର୍ମାଣ କାର୍ଯ୍ୟରେ ମଧ୍ୟ ନିୟୋଜିତ ହେଲେଣି। ଏହି ରଣ ବ୍ୟବସ୍ଥା ସେମାନଙ୍କୁ ବହୁତ ସୁଦୃଢ଼ କରିଛି। ସେମାନେ କିଭଳି ଆହୁରି ଅଧକ ପ୍ରଗତି କରିବେ, ରଣ ପାଇପାରିବେ ଏବଂ ବ୍ୟାଙ୍କ୍ ସହିତ ସୁସମ୍ପର୍କ ସ୍ଥାପନ କରିହେବ ସେନେଇ ଏହି କର୍ମଶାଳାରେ ସଚେତନ କରାଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାରେ ଏସ୍‌ଏଚ୍‌ଜି ସଭ୍ୟାମାନେ ନିୟମିତ ରଣ ପରିଶୋଧ କରି ଆସୁଥିବା ଯୋଗୁଁ ବ୍ୟାଙ୍କମାନେ ମଧ୍ଯ ଏବେ ସେମାନଙ୍କ ଉପରେ ବିଶ୍ଵାସ ଜନ୍ମାଇଛନ୍ତି। ଆଗକୁ ମଧ୍ଯ କିଭଳି ରଣ ନେଇ ତାକୁ ସଠିକ୍‌ ଭାବେ କାର୍ଯ୍ୟରେ ଲଗାଇବା ସହ ଅଧିକ ମହିଳାଙ୍କୁ ଏଥିରେ ଯୋଡ଼ିବା ଏବଂ ଗଞ୍ଜାମର ମହିଳାଙ୍କ ଆର୍ଥିକ ବିକାଶ ହୋଇପାରିବ ସେନେଇ ଲକ୍ଷ୍ୟ ରହିଥିବା କହିଛନ୍ତି ଜିଲ୍ଳାପାଳ।

ମହିଳାମାନଙ୍କ ବିକାଶ ପାଇଁ ସେମାନଙ୍କ ଆର୍ଥିକ ପ୍ରଗତି ନିତାନ୍ତ ଜରୁରୀ। ଏଣୁ ବ୍ୟାଙ୍କରୁ ଆବଶ୍ୟକ ରଣ ନେଇ ସଠିକ୍‌ ଭାବେ ତାହାକୁ ପରିଶୋଧ କରି ବ୍ୟବସାୟରେ ଖୁବ୍‌ ଲାଭବାନ୍‌ ହୁଅନ୍ତୁ ବୋଲି ମହିଳାମାନଙ୍କୁ ଉତ୍ସାହିତ କରିଥଲେ ଅତିଥିଗଣ। ଏହି ଅବସରରେ ମମତା ସ୍କିମ୍‌, ସ୍କୁଟି ଯୋଜନା, ବିଏସ୍‌କେୱାଇ, ବ୍ୟାଙ୍କ୍ ରଣ ବିଷୟରେ ମହିଳା ଗୋଷ୍ଠୀମାନଙ୍କୁ ଅବଗତ କରାଯାଇଥିଲା। ୪ ଦିନିଆ କର୍ମଶାଳାରେ ମୋଟ ୧୫୦୦ ମହିଳା ଗୋଷ୍ଠୀର ସଭ୍ୟାମାନେ ଯୋଗ ଦେଇ ବହୁତ କିଛି ଶିଖିପାରିବେ ବୋଲି ଅଶା କରଯାଉଛି।