ଭୁବନେଶ୍ଵର – ଓଡିଶା କ୍ୟାଡର ୬ ଜଣ ଟ୍ରେନି ପ୍ରଶିକ୍ଷାର୍ଥୀ ଆଇଏଏସ ଅଧିକାରୀ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଦର୍ଶନ କରିଛନ୍ତି । ଭୁବନେଶ୍ବର ସ୍ଥିତ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରେ ତାଲିମ ନେଉଥିବା ଏହି ପ୍ରଶାସନିକ ଅଧିକାରୀମାନେ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ( ଓସେପା) କାର୍ଯ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ସ୍ତରରେ ରୂପାୟନ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟଶୈଳୀ ଅନୁଧ୍ୟାନ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମଗୁଡିକ ସମ୍ବନ୍ଧରେ ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା, “ମୋ ସ୍କୁଲ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ ଜେନା ଓ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ବିଦ୍ୟାଳୟ ଶିକ୍ଷା ସମ୍ବନ୍ଧରେ ସେମାନଙ୍କୁ ଅବଗତ କରାଇଥିଲେ । ଏହାସହ ଅନୁପମ ଶାହା ସେମାନଙ୍କୁ ପ୍ରଶାସନିକ ଶାସନ ବ୍ଯବସ୍ଥା ବିଷୟରେ ପରାମର୍ଶ ଦେଇଥୁଲେ । ଟ୍ରେନି ଆଇଏଏସ୍ ଅଧିକାରୀମାନେ ଚନ୍ଦ୍ରଶେଖରପୁରଠାରେ ଆଇକନିକ୍ ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପରିଦର୍ଶନ କରିଥିଲେ । ସେଠାରେ ସେମାନେ ପିଲାମାନଙ୍କ ସହ ଆଲୋଚନା କରିଥିଲେ । ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୋ ସ୍କୁଲ ଅଧିନରେ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ, ସମଗ୍ର ଶିକ୍ଷା ମଧ୍ୟାହ୍ନ ଭୋଜନ ଆଦି କାର୍ଯ୍ୟକ୍ରମର ବିସ୍ତୃତ ଧାରଣା ସେମାନଙ୍କୁ ପ୍ରଦାନ କରାଯାଇଥିଲା । ଚଳିତ ଶିକ୍ଷା ବର୍ଷରୁ ପ୍ରଚଳିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିଭିନ୍ନ ବର୍ଗ ବିଷୟରେ ସେମାନଙ୍କୁ ଧାରଣା ପ୍ରଦାନ କରାଯିବା ସହ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣର ସଫଳ ରୂପାୟନ ସମ୍ପର୍କରେ ଅବଗତ କରାଯାଇଥୁଲା । ଏହାସହ ପ୍ରି-ସ୍କୁଲିଂ, ଏଫ୍ଏଲ୍ଏନ୍ ଓ ଭିଏସିକେ( ବିଦ୍ୟା ସମୀକ୍ଷା କେନ୍ଦ୍ର) ସମ୍ବନ୍ଧରେ ମଧ୍ଯ ପ୍ରାଥମିକ ଧାରଣା ପ୍ରଦାନ କରାଯାଇଥିଲା ।