ବେଲଜିୟମରେ ପ୍ରବାସୀ ଓଡିଆଙ୍କ ସମ୍ମିଳନୀରେ ଯୋଗଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ  | News Room Odisha

ବେଲଜିୟମରେ ପ୍ରବାସୀ ଓଡିଆଙ୍କ ସମ୍ମିଳନୀରେ ଯୋଗଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ 

ବ୍ରସେଲସ/ଭୁବନେଶ୍ୱର – ବେଲଜିୟମ ଗସ୍ତରେ ଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସେଠାରେ ପ୍ରବାସୀ ଓଡିଆମାନଙ୍କ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇଛନ୍ତି ।

ବେଲଜିୟମର ବ୍ରସେଲସ ସହରର ସିଟି ସେଣ୍ଟରଠାରେ ପ୍ରବାସୀ ଓଡିଆ ଦ୍ୱାରା ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇଥିଲେ । ବେଲଜିୟମରେ ରହୁଥିବା ପ୍ରବାସୀ ଓଡିଆମାନେ ଏବେ ବି ନିଜ ଜନ୍ମମାଟି ପ୍ରତି ଆବେଗ ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ମନ୍ତ୍ରୀ ।

ଏହି ଅବସରରେ ମନ୍ତ୍ରୀ ନାୟକ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାର ସାମଗ୍ରିକ ବିକାଶ ଆଜି ବିଶ୍ୱ ମାନଚିତ୍ରରେ ଓଡିଶାକୁ ପରଚିତ କରାଇପାରିଛି । ଏ କ୍ଷେତ୍ରରେ ପ୍ରବାସୀ ଓଡିଆମାନଙ୍କର ମଧ୍ୟ ବଡ ଅବଦାନ ରହିଛି । ଏଥି ସହିତ ପ୍ରବାସୀ ଓଡିଆମାନଙ୍କ ପାଇଁ ଓଡିଶା ସରକାର ଗ୍ରହଣ କରିଥିବା ସ୍ୱତନ୍ତ୍ର ପଦକ୍ଷେପ, ଓଡିଶା ମୋ ପରିବାର ଏବଂ ମିଶନ ଶକ୍ତିର ସଫଳତା ଆଦି ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ ।

ବିଦେଶରେ ରହୁଥିବା ପ୍ରବାସୀ ଓଡିଆମାନେ ଓଡିଶାର ଏହି ବିକାଶ ଧାରାରେ ନିଜକୁ ସାମିଲ କରିବାପାଇଁ ମନ୍ତ୍ର ସେମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବେଲଜିୟମ ସ୍ଥିତ ପ୍ରବାସୀ ଓଡିଆମାନଙ୍କୁ ସହାୟତା ତରଫରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମନ୍ତ୍ରୀ ନାୟକଙ୍କ ସହିତ ବେଲଜିୟମ ଗସ୍ତରେ ଥିବା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି.ପ୍ରସାଦ ରାଓ ଦୋରା ଏବଂ ପରିଚାଳନା ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ପ୍ରବାସୀ ଓଡିଆମାନଙ୍କ ପକ୍ଷରୁ ଆୟୋଜିତ ସମ୍ମିଳନୀକୁ ବେଲଜିୟମର ସଞ୍ଜୟ ପରିଡା, ରଞ୍ଜିତ ପାଇକରାୟ, ରାମ କୁମାର ରଣା ଯାଦବ, ଅଂଶୁମାନ ତ୍ରିପାଠୀ ଏବଂ ନେଦରଲ୍ୟାଣ୍ଡର ଦୀପକ ପରିଡା ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ ।