ଶ୍ରୀମନ୍ଦିର ଆନନ୍ଦ ବଜାରରୁ ତଡ଼ା ଖାଇବେ ଅଣସୁପକାର | News Room Odisha

ଶ୍ରୀମନ୍ଦିର ଆନନ୍ଦ ବଜାରରୁ ତଡ଼ା ଖାଇବେ ଅଣସୁପକାର

ପୁରୀ – ଶ୍ରୀମନ୍ଦିର ଆନନ୍ଦବଜାରରେ ବିଶୃଙ୍ଖଳା ଓ ଭକ୍ତଙ୍କୁ ଆକ୍ରମଣ ପରି ଘଟଣା ରୋକିବାକୁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ, ଦଇତାପତି ନିଯୋଗ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆନନ୍ଦବଜାର ସମ୍ପର୍କିତ ପ୍ରାୟ ୨୦ଟି ପ୍ରସଙ୍ଗରେ ଆଲୋଚନା ହେବା ସହ ଆବଶ୍ୟକ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଆବଶ୍ୟକ ବିଚାରବିମର୍ଶ ଓ ସୁପାରିଶ ପାଇଁ ଏକ ସବ୍‌କମିଟି ଗଠନ କରାଯାଇଛି। ଏହି ସବକମିଟି ୭ରୁ ୧୦ ଦିନ ଭିତରେ ଆବଶ୍ୟକ ସୁପାରିସ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ଦେବ । ସୁପାରିଶ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, କେବଳ ସ୍ବତ୍ବଲିପି ଆଧାରରେ ଯେଉଁମାନଙ୍କ ଅଧିକାର ରହିଛି, ସେହି ସୁପକାରମାନେ ହିଁ ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି କରିବେ। ଏହାର ତାଲିକା ସୁଆର ମହାସୁଆର ନିଯୋଗ ପ୍ରଦାନ କରିବ। କିଏ, କେଉଁଠି, କେତେ ପରିମାଣର ମହାପ୍ରସାଦ ବିକ୍ରି କରିବ, ତାର ସବିଶେଷ ତାଲିକା ନିଯୋଗ ଦେବ। ଏହି ତାଲିକା ଆଧାରରେ ଅଣସୁପକାର ଓ ଅନ୍ୟ ବ୍ୟକ୍ତିଙ୍କୁ ଆନନ୍ଦବଜାରରୁ ତଡ଼ାଯିବ।