ନୂଆପଡା ବିରୁନପଦରରେ ଭାଲୁ ଆକ୍ରମଣ: ବାପା ମୃତ, ପୁଅ ଗୁରୁତର | News Room Odisha

ନୂଆପଡା ବିରୁନପଦରରେ ଭାଲୁ ଆକ୍ରମଣ: ବାପା ମୃତ, ପୁଅ ଗୁରୁତର

ନୂଆପଡା : ନୂଆପଡ଼ା ବିରୁନପଦରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ଏହି ଆକ୍ରମଣରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛି । ମୃତକ ଜଣକ ହେଲେ ବିରୁନପଦର ଗାଁର ଘନଶ୍ୟାମ ପଟେଲ । ସକାଳୁ ଘନଶ୍ୟାମ ତାଙ୍କ ପୁଅ ସହ ଦାବରିମୁଣ୍ଡା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଉଭୟଙ୍କୁ ଭାଲୁ ଆକ୍ରମଣ କରିଥିଲା । ବାପା-ପୁଅଙ୍କ ଚିତ୍କାର ଶୁଣି ଗାଁଲୋକ ଧାଇଁ ଆସି ଭାଲୁକୁ ଘଉଡାଇଥିଲେ । ତେବେ ସେତେବେଳକୁ ଭାଲୁ ଆକ୍ରମଣରେ ଘନଶ୍ୟାମଙ୍କ ମୃତ୍ୟୁ ହୋଇସାରିଥିଲା । ତାଙ୍କ ପୁଅ ଚଏତୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ କୋମନା ସିଏଚସିରେ ଭର୍ତି କରିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଗୁରୁତରକୁ ଆବଶ୍ୟକ ଚିକିତ୍ସା ଦାବିରେ ବିରୁନପଦର ଛକରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । ଫଳରେ ନୂଆପଡାରୁ ଖଡିଆଳ ମୁଖ୍ୟରାସ୍ତାରେ ଯାତାୟାତ ବନ୍ଦ ରହିଛି । କୋମନା ପୁଲିସ, ବନ ବିଭାଗ ଓ ଅଗ୍ନିଶମ କର୍ମଚାରୀ ପହଂଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।