ପୁରୁଷୋତ୍ତମପୁର: କୂଅ ଓଝାଳିବା ବେଳେ ଶ୍ରମିକଙ୍କ ମୃତ୍ୟୁ | News Room Odisha

ପୁରୁଷୋତ୍ତମପୁର: କୂଅ ଓଝାଳିବା ବେଳେ ଶ୍ରମିକଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ତଥା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସିକରପୁର ଗ୍ରାମରେ କୂଅ ଓଝାଳିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କୂଅ ମଧ୍ୟରେ ଅମ୍ଳଜାନ ଅଭାବରୁ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ଭାଟକୁମରଡାର ମଙ୍ଗଳୁ ସ୍ବାଇଁ (୫୫)। ଗତକାଲି ସନ୍ଧ୍ୟାରେ ସେ ସିକରପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଗଭୀର କୂଅ ଭିତରକୁ ଏକାକୀ ପାଣି ଓଝାଳିବାକୁ ଓହ୍ଲାଇ ଥିଲେ। ତେବେ ସାଥିରେ କିରୋସିନି ଚାଳିତ ଲାଇଟ୍ ଓ ମୋଟର ପମ୍ପ୍ ନେଇଥିଲେ। ଅନ୍ୟମାନେ ବାହାରେ ତାଙ୍କର ଅପେକ୍ଷା କରିଥିଲେ। ତେବେ ଦୀର୍ଘ ସମୟ ଧରି ସେ ନ ବାହାରିବାରୁ ତଥା କୂଅ ଭିତରକୁ ଧୂଆଁ ବାହାରିବାରୁ ଲୋକେ ଆଶଙ୍କାରେ ରାତିରେ ଦମକଳବାହିନୀକୁ ଖବର ଦେଇଥିଲେ। ପୁରୁଷୋତ୍ତମପୁର ଓ ଛତ୍ରପୁରରୁ ଦମକଳବାହିନୀ ଆଜି କୂଅ ଭିତରୁ ମୃତଦେହ ଉଦ୍ଧାର କରିଛନ୍ତି। କୂଅ ଭିତରେ ଧୂଆଁ ଭରି ରହିଥିବାରୁ ଅଗ୍ନିଶମ କର୍ମଚାରୀମାନେ ଅକ୍ସିଜେନ୍ ସିଲିଣ୍ଡର୍ ସହ ଗଭୀରତାକୁ ଓହ୍ଲାଇବା ସାଙ୍ଗକୁ ସାହାସର ସହ ଉଦ୍ଧାର କାର୍ଯ୍ୟ କରିଥିଲେ। ହିଞ୍ଜିଳିକାଟୁ ଥାନା ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।