ସଂସଦରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଦୃଢ଼ ଭାବେ ଉଠାଇବା ପାଇଁ ବିଜେଡି ସାଂସଦଙ୍କୁ ନବୀନଙ୍କ ପରାମର୍ଶ | News Room Odisha

ସଂସଦରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଦୃଢ଼ ଭାବେ ଉଠାଇବା ପାଇଁ ବିଜେଡି ସାଂସଦଙ୍କୁ ନବୀନଙ୍କ ପରାମର୍ଶ

ଭୁବନେଶ୍ୱର – ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବିଜେଡି ସଂସଦୀୟ ଦଳ ବୈଠକ ବସିଛି । ଉଭୟ ଗୃହରେ ଦଳ କେଉଁ କେଉଁ ପ୍ରସଙ୍ଗ ଉଠାଇବ , ସେ ନେଇ ବୈଠକରେ ଆଲୋଚନା କରାଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ସଂସଦରେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବା ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ଦଳୀୟ ସାଂସଦମାନଙ୍କୁ ବିଜେଡି ସୁପ୍ରିମୋ ପରାମର୍ଶ ଦେଇଛନ୍ତି । ମହିଳା ସଂରକ୍ଷଣ, କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ଘର, ଏମଏସପି ବୃଦ୍ଧି ପ୍ରସଙ୍ଗରେ ସ୍ୱାମୀନାଥନ୍ କମିଟି ସୁପାରିଶକୁ ଲାଗୁ, କୋଷ୍ଟାଲ ହାଇୱେ ନିର୍ମାଣ, ଜାତୀୟ ରାଜପଥ ନିର୍ମାଣରେ ବିଳମ୍ବ, ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରୀ ଓ ଭୂମିଜ ଭାଷାକୁ ସାମିଲ ସହ ବହୁ ଆଦିବାସୀ ସମୁଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ, ଏଫସିଆଇ ବଳକା ଚାଉଳ ଉଠାଣ , ଚାଷୀଙ୍କୁ ଫସଲବୀମା ସୁବିଧା ନମିଳିବା, କେନ୍ଦ୍ର ସରକାରରୁ ଆବଶ୍ୟକ ସହଯୋଗ ମିଳୁନଥିବା, କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟର ଅଂଶ ମିଳିବାରେ ଅବହେଳା ଆଦି ପ୍ରସଙ୍ଗକୁ ସଂସଦରେ ଉଠାଇବାକୁ ଦଳୀୟ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ବିଜେଡି ସାଂସଦମାନଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ,ଓଡ଼ିଶା ଲଗାତର ଭାବେ ରାଜ୍ୟର ଅଂଶଧନ ଓ କେନ୍ଦ୍ରୀୟ ପାଣ୍ଠି ପାଇବାରେ ଅବହେଳାର ସମ୍ମୁଖୀନ ହେଉଛି । ‘ସ୍ପେଶାଲ ଫୋକସ ଷ୍ଟେଟ’ ଦାବିକୁ ଦୃଢ଼ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି ।

ନବୀନ କହିଛନ୍ତି ଯେ, ବିଧାନସଭା ଓ ସଂସଦରେ ମହିଳାଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗକୁ କେନ୍ଦ୍ର ସରକାର ଭୁଲି ଯାଇଛନ୍ତି । ସଂଘୀୟ ବ୍ୟବସ୍ଥାରେ ଯେଭଳି ସହଯୋଗ କେନ୍ଦ୍ର ସରକାରଙ୍କଠୁ ମିଳିବା ଆବଶ୍ୟକ, ତାହା ମିଳୁନି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ୪ ବର୍ଷ ଧରି ବନ୍ଦ ରଖାଗଲା । ଆବାସ ପୋର୍ଟାଲ ଖୋଲା ଗଲାନି । ବାରମ୍ବାର ଅନୁରୋଧ ପରେ ୮ଲକ୍ଷ ଘର ମଞ୍ଜୁର କରାଯାଇଛି, କିନ୍ତୁ ବାସ୍ତବରେ ୧୫ଲକ୍ଷ ଘରର ଆବଶ୍ୟକ ଅଛି ବୋଲି ନବୀନ ବୈଠକରେ କହିଛନ୍ତି।

ସେହିପରି ୬ଟି ଜିଲ୍ଲାରେ ଏବେବି ରେଳବାଇ ନେଟୱାର୍କ ନାହିଁ । ଜାତୀୟ ରାଜପଥର ବହୁ ପ୍ରକଳ୍ପ ବିଳମ୍ବ ହେଉଛି, କୋଷ୍ଟାଲ ହାଇୱେ ନିର୍ମାଣରେ ଅଗ୍ରଗତି ପରିଲକ୍ଷିତ ହେଉନି । ମୋବାଇଲ, ବ୍ୟାଙ୍କିଙ୍ଗ ଓ ଡଜିଟାଲ ସଂଯୋଗରେ ମଧ୍ୟ ସମସ୍ୟା ରହିଛି । ଏସବୁ ଭିତ୍ତିଭୂମି ସଂକ୍ରାନ୍ତ ସମସ୍ୟା ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାର ଆବଶ୍ୟକତା ରହିଛି ବୋଲି ନବୀନ ବିଜେଡି ସଂସଦୀୟ ଦଳ ବୈଠକରେ କହିଛନ୍ତି ।