ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା, କାର୍ଯ୍ୟରେ ଅବହେଳା ପାଇଁ ଷ୍ଟେସନ ମାଷ୍ଟର ଓ ପଏଣ୍ଟମ୍ୟାନ ନିଲମ୍ବିତ | News Room Odisha

ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା, କାର୍ଯ୍ୟରେ ଅବହେଳା ପାଇଁ ଷ୍ଟେସନ ମାଷ୍ଟର ଓ ପଏଣ୍ଟମ୍ୟାନ ନିଲମ୍ବିତ

ଭୁବନେଶ୍ୱର – ନୀଳଗିରି ରୋଡ ଷ୍ଟେସନ ନିକଟରେ ମେମୁ ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିବା ଘଟଣା ପରେ କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଷ୍ଟେସନ ମାଷ୍ଟର ଓ ପଏଣ୍ଟମ୍ୟାନଙ୍କୁ ନିଲମ୍ବନ କରାଯାଇଛି । ଖଡଗପୁର ରେଳ ଡିଭିଜନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଗତକାଲି ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ୍‌ ୧୦ଟା ପରେ ଭଦ୍ରକ ଷ୍ଟେସନ୍‌ରୁ ଡାଉନ୍‌ ଲାଇନ୍‌ରେ ବାଲେଶ୍ବର ଅଭିମୁଖେ ବାହାରିଥିଲା। ​ଟ୍ରେନ୍‌ଟିର ଗତି ବଢ଼ୁଥିବା ବେଳେ ଏହା ମେନ୍‌ ଲାଇନ୍‌ରେ ନଯାଇ ଷ୍ଟେସନ୍‌ ନିକଟ ଲୁପ୍‌ ଲାଇନ୍‌କୁ ଚାଲିଯାଇଥିଲା। ଯାହାର ଆଗକୁ ମେନ୍‌ ଲାଇନ୍‌ ସହ କୌଣସି ସଂଯୋଗ ନଥିଲା। ଏହି ସମୟରେ ଟ୍ରେନ୍‌ର ଦୁଇ ଲୋକୋ ପାଇଲଟ୍‌ଙ୍କ ସନ୍ଦେହ ହୋଇଥିଲା ।

ଟ୍ରେନ୍‌ଟି ଲୁପ୍‌ ଲାଇନ୍‌ରେ ଯାଉଥିବା ଏବଂ ନିଶ୍ଚିତ ଦୁର୍ଘଟଣା ହେବା ଜାଣି ଏମର୍‌ଜେନ୍‌ସି ବ୍ରେକ୍‌ ଲଗାଇଥିଲେ। ଫଳରେ ଟ୍ରେନ୍‌ଟି ଜୋର୍‌ ଶବ୍ଦ କରି ଅଟକିଥିଲା। ଯାତ୍ରୀମାନେ ହଠାତ୍‌ କିଛି ବୁଝିପାରି ପାରି ନଥିଲେ। ଭୟରେ ସମସ୍ତ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ। ଷ୍ଟେସନ୍‌ ମାଷ୍ଟର ଶରତ ଚନ୍ଦ୍ର ସେଠୀ, କର୍ମଚାରୀ ଓ ଲୋକୋ ପାଇଲଟ୍‌ ସ୍ଥିତି ଅନୁଧ୍ୟାନ କରିଥିଲେ। ଅଧଘଣ୍ଟା ମଧ୍ୟରେ ବାଲେଶ୍ବରରୁ ୪ ଜଣିଆ ଟେକ୍‌ନିକାଲ୍‌ ଟିମ୍‌ ପହଞ୍ଚି ଘଟଣାର ତଦାରଖ କରିଥିଲା। ପରେ ଲୋକୋ ପାଇଲଟ୍‌ ଟ୍ରେନ୍‌ ପଛକୁ ନେଇ ମେନ୍‌ ଲାଇନ୍‌କୁ ଆଣିଥିଲେ।