କେନ୍ଦୁପତ୍ର ହିତାଧିକାରୀଙ୍କ ଆର୍ଥିକ ସହାୟତା ବୃଦ୍ଧି କରିଥିବାରୁ ମୁଖ୍ଯମନ୍ତ୍ରୀଙ୍କୁ ଫୁଲବାଣୀ କେନ୍ଦୁପତ୍ର କର୍ମଚାରୀ ସଂଘର କୃତଜ୍ଞତା | News Room Odisha

କେନ୍ଦୁପତ୍ର ହିତାଧିକାରୀଙ୍କ ଆର୍ଥିକ ସହାୟତା ବୃଦ୍ଧି କରିଥିବାରୁ ମୁଖ୍ଯମନ୍ତ୍ରୀଙ୍କୁ ଫୁଲବାଣୀ କେନ୍ଦୁପତ୍ର କର୍ମଚାରୀ ସଂଘର କୃତଜ୍ଞତା

ଫୁଲବାଣୀ – ରାଜ୍ୟର ପ୍ରାୟ ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସାମୟିକ କର୍ମଚାରୀମାନଙ୍କ ପାଇଁ ଆର୍ଥିକ ସହାୟତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆଜି ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ଆର୍ଥିକ ବର୍ଷରେ ତୃତୀୟ ପର୍ଯ୍ୟାୟରେ ସରକାର ୫୬ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଏହାକୁ ମିଶାଇ ସମୁଦାୟ ସହାୟତା ୨୫୦ କୋଟିରେ ପହଞ୍ଚିଛି ଯାହାକି ଏକ ସର୍ବକାଳୀନ ରେକର୍ଡ ବୋଲି ସରକାର କହିଛନ୍ତି। କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ଚପଲ, ପାଣି ବୋତଲ ଓ ଅନ୍ୟାନ୍ୟ ସହାୟତା ରାଶି ମଧ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

କେନ୍ଦୁପତ୍ର ତୋଳାଳି ଓ ସାମୟିକ କର୍ମଚାରୀଙ୍କ ସମସ୍ୟା ଉପଲବ୍ଧ କରି ସହାୟତା ରାଶି ବୃଦ୍ଧି କରିଥିବାରୁ ଫୁଲବାଣୀ ଡିଭିଜନ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ମୁଖ୍ଯମନ୍ତ୍ରୀ। ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଫୁଲବାଣୀ ଡିଭିଜନ ଅନ୍ତର୍ଗତ କନ୍ଧମାଳ ଜିଲ୍ଲା ସମେତ ଭଞ୍ଜନଗର ଓ ଦଶପଲ୍ଲା ଅଞ୍ଚଳର ୩୭ ହଜାର କେନ୍ଦୁପତ୍ର ତୋଳାଳି ଓ ୨ ହଜାରରୁ ଅଧିକ ସାମୟିକ କର୍ମଚାରୀ ଉପକୃତ ହେବେ ବୋଲି ଏକ ପ୍ରେସ ବିବୃତିରେ କହିଛନ୍ତି ଫୁଲବାଣୀ ଡିଭିଜନ କେନ୍ଦୁପତ୍ର କର୍ମଚାରୀ ସଂଘର ସମ୍ପାଦକ ସରୋଜ କର୍ଣ୍ଣ।