ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସାଉଦି ଆରବରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ | News Room Odisha

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସାଉଦି ଆରବରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର – ସାଉଦି ଆରବରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏ ସଂପର୍କରେ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି। ଓଡ଼ିଶାରୁ ୩୩ ଜଣ ଶ୍ରମିକଙ୍କୁ ଗୋଟିଏ ଠିକା ସଂସ୍ଥା ଗତବର୍ଷ ସାଉଦି ଆରବ ପଠାଇଥିଲା । ସେମାନଙ୍କୁ ମାତ୍ର ୬ ମାସର ଭିସା ଦିଆଯାଇଥିଲା ।

ଭିସା ଅବଧି ସରିଯିବା ପରେ ସମ୍ପୃକ୍ତ କମ୍ପାନୀ ଶ୍ରମିକମାନଙ୍କ କଥା ଆଉ ବୁଝୁନାହିଁ । କମ୍ପାନୀ ଶ୍ରମିକଙ୍କ ଦରମା ବି ବକେୟା ରଖିଥିବା ଅଭିଯୋଗ ହୋଇଛି। ଏ ନେଇ ଶ୍ରମିକମାନେ ଗୋଟିଏ ଭିଡିଓ ଜାରି କରି ଭାଇରାଲ୍‌ କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କୁ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ ।ନିର୍ଦ୍ଦେଶକ ଉପସାଗରୀୟ ଦେଶର ଓଡ଼ିଆ ସୋସାଇଟି ସହିତ ଯୋଗାଯୋଗ କରି ଶ୍ରମିକମାନଙ୍କ ଟେଲିଫୋନ୍‌ ନମ୍ବର ସଂଗ୍ରହ କରିଥିଲେ । ପରେ ଓଡ଼ିଆ ସୋସାଇଟିର କର୍ମକର୍ତ୍ତା ଶ୍ରମିକଙ୍କୁ ଭେଟି ସେମାନଙ୍କ ଉଦ୍ଧାର ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶାଳୟକୁ ଜଣାଇଥିଲେ ।