ବରଗଡ଼ : ରାଜ୍ୟର ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଓଡ଼ିଶା ବିଜେପିର କୌଣସି ଦରଦ ନାହିଁ । ସେମାନେ କେବଳ କେନ୍ଦୁପତ୍ର ତୋଳାଳିଙ୍କୁ ନେଇ ରାଜନୀତି କରିବା ଜାଣନ୍ତି । କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବଦାନକୁ ସ୍ବୀକାର କରିବାକୁ ରାଜ୍ୟ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସତ୍ ସାହାସ ନାହିଁ । କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ୍ ଓ ପ୍ରୋତ୍ସାହନ ରାଶି ପ୍ରଦାନ ପ୍ରସଙ୍ଗରେ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବୟାନକୁ ନେଇ ରାଜ୍ୟ ବିଜେପି ଉପରେ ଏମିତି ବର୍ଷିଛନ୍ତି ବିଜେଡି ରାଜ୍ୟ ସମ୍ପାଦକ ରାଜୁ ଘିବେଲା।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳର ନେତା ତଥା ବିଜୁ ଜନତା ରାଜ୍ୟ ସଂପାଦକ ରାଜୁ ଘିବେଲା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ୨୦୨୨ ଶସ୍ୟ ବର୍ଷ ପାଇଁ ରାଜ୍ୟର ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ତୋଳାଳି ଓ ହିତାଧିକାରୀଙ୍କୁ ୩ଟି ପର୍ଯ୍ୟାୟରେ ୨୫୦ କୋଟି ୭୮ ଲକ୍ଷ ଟଙ୍କା ବୋନସ୍ , ପ୍ରୋତ୍ସାହନ ରାଶି ଓ ଆର୍ଥିକ ସହାୟତା ଦେଇ ସାରିଲେଣି । ସେଥିରୁ ୫୬ କୋଟି ଟଙ୍କା ଗତକାଲି ତୃତୀୟ ପର୍ଯ୍ୟାୟରେ ପ୍ରଦାନ କରିଛନ୍ତି । କୌଣସି ରାଜ୍ୟରେ କେବେ ବି କେନ୍ଦୁପତ୍ର ତୋଳାଳି ଓ ହିତାଧିକାରୀଙ୍କୁ ଗୋଟିଏ ବର୍ଷରେ ଏତେ ଟଙ୍କାର ପ୍ରୋତ୍ସାହନ ରାଶି କେହି ଦେଇ ନାହାନ୍ତି । ଏ କଥା ରାଜ୍ୟର ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳି ଏବଂ ଏଥସହ ସଂପୃକ୍ତ ସମସ୍ତ ହିତାଧିକାରୀ ଭଲ ଭାବେ ଜାଣିଛନ୍ତି । ମାତ୍ର ବିଡ଼ମ୍ବନା ହେଲା , ନିଜକୁ କେନ୍ଦୁପତ୍ର ତୋଳାଳି ସଂଘର ନେତା ନେତା ବୋଲାଉଥିବା ବିଜେପି ନେତା ପ୍ରଦୀପ ପୁରୋହିତ କେବେବି ଏ ବିଷୟରେ ମୁହଁ ଖୋଲିବେନି । କାରଣ ସତ କହିଲେ ତାଙ୍କ ଛାତି ଫାଟିଯିବ ।
ଶ୍ରୀ ଘିବେଲା ଆହୁରି କହିଛନ୍ତି ଯେ, କେନ୍ଦୁପତ୍ର ଉପରୁ କେନ୍ଦ୍ର ସଂଗ୍ରହ କରୁଥିବା ୧୮ ପ୍ରତିଶତର ଜିଏସଟି ଛାଡ଼ କରିବାକୁ ରାଜ୍ୟ ସରକାର ବାରମ୍ବାର ଦାବି କରି ଆସୁଛନ୍ତି । ହେଲେ ଓଡ଼ିଶାର ବିଜେପି ନେତାମାନେ କେବେ କେନ୍ଦ୍ର ସରକାରଙ୍କ ଆଗରେ ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ଏହି ଦାବିକୁ ଉଠାଇଛନ୍ତି କି ? ବିଭିନ୍ନ ଅପରାଧିକ ମାମଲାରେ ଅଭିଯୁକ୍ତ ପ୍ରଦୀପ ପୁରୋହିତଙ୍କ ଭଳି ବ୍ୟକ୍ତିଙ୍କର କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି କୌଣସି ଦରଦ କେବେ ନଥିଲା କି ଆଜି ମଧ୍ୟ ନାହିଁ । ସେ କେବଳ ସେମାନଙ୍କୁ ନେଇ ସେ କେବଳ ସେମାନଙ୍କୁ ନେଇ ରାଜନୀତି କରିବା ଜାଣନ୍ତି । ପ୍ରଦୀପ ପୁରୋହିତ କେନ୍ଦୁପତ୍ର ତୋଳାଳି , କେନ୍ଦୁପତ୍ର ବନ୍ଧାଲି ଓ କର୍ମଚାରୀ ମାନଙ୍କୁ ବୋକା ବନାଇ ଚାନ୍ଦା ଆଦାୟ କରି ନିଜ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ବୋଲି ଶ୍ରୀ ଘିବେଲା କହିଛନ୍ତି ।