ସଡ଼କ ଦୁର୍ଘଟଣା ତଦନ୍ତ ତାଲିମ ନେଲେ ପୁଲିସ ଅଧିକାରୀ | News Room Odisha

ସଡ଼କ ଦୁର୍ଘଟଣା ତଦନ୍ତ ତାଲିମ ନେଲେ ପୁଲିସ ଅଧିକାରୀ

ବ୍ରହ୍ମପୁର: ସଡ଼କ ଦୁର୍ଘଟଣାର ତଦନ୍ତ କିଭଳି କରାଯିବ, କିଭଳି ପୀଡ଼ିତ ନ୍ୟାୟ ପାଇବେ ତଥା ଦୋଷୀଙ୍କ ଦଣ୍ଡବିଧାନ ହୋଇପାରିବ, ପ୍ରମାଣ ସଂଗ୍ରହ ଓ କୋର୍ଟରେ କେସ୍‌ ପରିଚାଳନା କିଭଳି କରାଯିବ ସେ ନେଇ ତାଲିମ ନେଉଛନ୍ତି ପୁଲିସ ଅଧିକାରୀ। ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଏନେଇ ଦୁଇଦିନିଆ କର୍ମଶାଳା ଆୟୋଜିତ ହୋଇଛି। ପ୍ରଥମ ଦିନ ବ୍ରହ୍ମପୁର ପୁଲିସ ରେଞ୍ଜ ଅଧୀନସ୍ଥ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାର ବଛା ବଛା ଅଧିକାରୀମାନେ ପ୍ରଶିକ୍ଷଣ ନେଇଥିବା ବେଳେ ଦ୍ଵିତୀୟ ଦିନ ଶୁକ୍ରବାର କନ୍ଧମାଳ ଓ ଗଜପତି ଜିଲ୍ଲାର ପୁଲିସ ଅଧିକାରୀମାନେ ତାଲିମ ନେଉଛନ୍ତି। ଏ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞ ରବି ଶଙ୍କର ପୁଲିସ ଅଧିକାରୀମାନଙ୍କୁ ଦୁର୍ଘଟଣାସ୍ଥଳରେ କିପରି ଯାଞ୍ଚ କରାଯିବ, ସେ ନେଇ ବୁଝାଇ କହି ଥିଲେ। ଏନ୍‌ଆଇସି ସଂଯୋଜକ ଗୁରୁ ପ୍ରସାଦ ଆଇଆର୍‌ଡିଏ ଆପ୍ଲିକେସନ୍‌ ଉପରେ ପୁଲିସ ଅଧିକାରୀଙ୍କୁ ତାଲିମ ଦେଇଥିଲେ। ସଠିକ ଢଙ୍ଗରେ ତଦନ୍ତ କଲେ ଦୁର୍ଘଟଣା ବାବଦରେ ସଠିକ ତଥ୍ୟ ରଖିହେବ। ସେହିପରି କେଉଁ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି ତାହା ଜାଣିବା ସହ ତାହାର କାରଣ ଓ ନିରାକରଣ ନେଇ ପଦକ୍ଷେପ ଗ୍ରହଣ କରିହେବ। ଫଳରେ ଦୁର୍ଘଟଣା ସଂଖ୍ୟା ହ୍ରାସ ସହ ଧନଜୀବନ ରକ୍ଷା କରିହେବ। ମୃତାହତ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଏ। ଯେଉଁ ସ୍ଥାନରେ ଅଧିକ ଦୁର୍ଘଟଣା ଘଟୁଥବ ସେ ସ୍ଥାନକୁ ଦୁର୍ଘଟଣାପ୍ରବଣ ଅଞ୍ଚଳ ତଥା ବ୍ଲାକ୍‌ ସ୍ପଟ୍‌ ଭାବେ ଚିହ୍ନଟ କରାଯାଇ ଦୁର୍ଘଟଣା ରୋକି ହେବ। କର୍ମଶାଳାରେ ଏସବୁ ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରାଯାଇଥିଲା। କର୍ମଶାଳାରେ ବ୍ରହ୍ମପୁର ରେଞ୍ଜ୍ ଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌, ଗଞ୍ଜାମ ଆର୍‌ଟିଓ ମାନସ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଦୁଇ ଦୁଇଟି ଜାତୀୟ ରାଜପଥ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ବେଳେ ରାଜ୍ୟରେ ସଡ଼କ ଦୁର୍ଘଟଣା ସଂଖ୍ୟା ଓ ଏଥିରେ ମୃତାହତରେ ଗଞ୍ଜାମ ଜିଲ୍ଲା ଉପର ଆଡ଼କୁ ରହିଛି।