ଗଞ୍ଜାମ ଜିଲ୍ଲାରେ ଅଗଷ୍ଟ ୧୦ରୁ ୧୯ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ | News Room Odisha

ଗଞ୍ଜାମ ଜିଲ୍ଲାରେ ଅଗଷ୍ଟ ୧୦ରୁ ୧୯ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ

ଛତ୍ରପୁର: ଅଗଷ୍ଟ ମାସ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ହେବ। ବୟସ ଓ ଉଚ୍ଚତା ଅନୁପାତରେ ଜିଲ୍ଲାବାସୀଙ୍କୁ ଡିଇସି, ଆଲବେଣ୍ଡାଜାଲ୍‌, ଆଇଭରମେକ୍ଟିନ୍‌ ବଟିକା ଦିଆଯିବ। ଦୁଇରୁ କମ୍‌ ବର୍ଷ ବୟସର ଶିଶୁ, ଗର୍ଭବତୀ ଓ ଦୀର୍ଘଦିନ ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଏଥିରୁ ବାଦ୍‌ ଦିଆଯିବ। ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ବେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାସାରା ୭୫ ଲକ୍ଷ ୧୪ ହଜାର ୨୨୩ ଗୋଟି ଡିଇସି ବଟିକା, ୭୫ ଲକ୍ଷ ୧୪ ହଜାର ୨୨୩ ଗୋଟି ଆଇଭରମେକ୍ଟିନ୍‌ ବଟିକା ଏବଂ ୩୦ ଲକ୍ଷ ୫୬୮୯ ଗୋଟି ଆଲବେଣ୍ଡାଜାଲ୍ ବଟିକା ବଣ୍ଟାଯିବ। ସାମୁହିକ ଔଷଧ ସେବନ ନେଇ ଅନୁଷ୍ଠିତ ଦ୍ବିତୀୟ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ବୈଠକରେ ଏହି ସୁଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବୈଠକରେ ଅଧ୍ୟକ୍ଷତା କରି କହିଥିଲେ ଯେ- ବୈଜ୍ଞାନିକ ପଦ୍ଧତି ଅନୁସରଣ କରି କାର୍ଯ୍ୟପନ୍ଥା ସ୍ଥିର କଲେ କାର୍ଯ୍ୟକ୍ରମର ସୁଫଳ ମିଳିବ। ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା, ଫାଇଲେରିଆ ରୋଗର ନିରାକରଣ ସକାଶେ ପଞ୍ଚାୟତରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଜନପ୍ରତିନିଧଙ୍କୁ ଅନ୍ତର୍ଭୁକ୍ତ କରି ସମସ୍ତଙ୍କ ସହଭାଗିତାରେ କାର୍ଯ୍ୟ କରିବାକୁ ହେବ। ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ବେଳେ ସଭା ସମିତି ଦ୍ଵାରା ସର୍ବପ୍ରଥମେ ଜନ ପ୍ରତିନିଧି, ଅଧିକାରୀ କିମ୍ବା ଶ୍ରେଣୀ ଗୃହରେ ଶିକ୍ଷକ ଶିକ୍ଷୟିତ୍ରୀ ସେବନ କଲେ ବଟିକା ଖାଇବା ସକାଶେ ଲୋକଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର ହେବ। ତେବେ ଯାଇ ଔଷଧ ସେବନ ସଫଳ ହେବ ବୋଲି କହିଥିଲେ ସେ। ଚଳିତ ଥର ସେବନ ହେବାକୁ ଥିବା ଔଷଧଗୁଡ଼ିକ ଅତି ଉତ୍ତମ ଏବଂ ଏଗୁଡ଼ିକ ଜାପାନ, ଫ୍ରାନ୍ସରୁ ଆସିଛି। ସମସ୍ତ ଔଷଧର ବ୍ୟବହାର ଯେଭଳି ଉତ୍ତମ ରୂପେ ହେବ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ମଧ୍ୟ ଏହି ଔଷଧ ବିତରଣ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ପ୍ରତି ଜିଲ୍ଲାରେ ଆଖିଧରା ରୋଗ ବ୍ୟାପି ଚାଲିଛି। ଯେଉଁ ଛାତ୍ରଛାତ୍ରୀଗଣ ଆଖିଧରାରେ ପୀଡ଼ିତ ହେଉଛନ୍ତି ସେମାନେ ଶିକ୍ଷାନୁଷ୍ଠାନକୁ ନଯାଇ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ଏଡିସ୍‌ ମଶା ଦ୍ଵାରା ବ୍ୟାପୁଥିବା ଡେଙ୍ଗୁ ଜ୍ଵରରୁ ସୁରକ୍ଷିତ ରହିବା ପାଇଁ ନିୟମିତ ମଶାରୀ ବ୍ୟବହାର, ପାଣି ରହୁଥିବା ` ପାତ୍ର, ଟାଙ୍କି, କୁଲର୍‌ ଇତ୍ୟାଦିକୁ ନିୟମିତ ସଫା କରିବା ତଥା ଏ ବାବଦରେ ସଚେତନତା କରିବାକୁ କୁହାଯାଇଛି। ବୈଠକରେ ପ୍ରୋବେସନାରୀ ଆଇଏଏସ୍‌ ସମୀର କୁମାର ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା. ଜଗଦୀଶ ପଟ୍ଟନାୟକ, ଅତିରିକ୍ତ ମୁଖ୍ଯ ଜିଲ୍ଲା ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାଢ଼ୀ ଓ ଡା ଭି.ସରୋଜିନୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।