ଆଇସିସି ବିଶ୍ୱକପ୍ ବିଜ୍ଞାପନରେ ନଜର ଆସିବେ ଗଞ୍ଜାମର ପିଣ୍ଟୁ | News Room Odisha

ଆଇସିସି ବିଶ୍ୱକପ୍ ବିଜ୍ଞାପନରେ ନଜର ଆସିବେ ଗଞ୍ଜାମର ପିଣ୍ଟୁ

ବ୍ରହ୍ମପୁର: ଏମିତି ସୁଯୋଗ ବା କେତେଜଣଙ୍କ ଭାଗ୍ୟରେ ଜୁଟେ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବିଶ୍ବକପ୍ ପ୍ରଚାର ପ୍ରସାର ବିଜ୍ଞାପନରେ ଦେଖାଦେବେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ମସିଆଖାଲି ଗ୍ରାମର ପିଣ୍ଟୁ ବେହେରା। ୨ ମିନିଟ ୧୨ ସେକଣ୍ଡର ଏହି ବିଜ୍ଞାପନରେ ପିଣ୍ଟୁଙ୍କୁ ତାଙ୍କର ଚିର ପରିଚିତ ନିଜ ଦେହରେ ଅଙ୍କାଯାଇ ଥିବା ବିରାଟ କୋହଲିଙ୍କ ଟାଟୁ ସହ କ୍ରିକେଟ୍ ଫ୍ୟାସନ୍ ଭାବେ ଚିତ୍ରଣ କରାଯାଇଛି। ତାଙ୍କୁ ଏବେ ସାରା ବିଶ୍ବର କ୍ରିକେଟ ପ୍ରେମୀ, ଖେଳାଳି ଓ ଦର୍ଶକ ଦେଖିବାକୁ ପାଇବେ।

୨୦୧୯ ଅକ୍ଟୋବର ପହିଲାରେ ପିଣ୍ଟୁ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ଭେଟିବା ପରେ ସାରା ଭାରତରେ ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ। ତାଙ୍କର ଦେହ ସାରା ବିରାଟ କୋହଲିଙ୍କ ଚେହେରା, ତାଙ୍କ ରେକର୍ଡ ଆଦିର ଟାଟୁ ଅଙ୍କା ହୋଇଛି। ବିରାଟ କୋହଲିଙ୍କ ଜଣେ ଦୃଢ ପ୍ରଶଂସକ ଭାବେ ସାରା ଭାରତରେ ପରିଚିତ ଥିବା ବେଳେ ବର୍ତ୍ତମାନ ସେହି‌ ଖ୍ୟାତି ଲାଗି ଆଇସିସି ନିଜ ପ୍ରମୋରେ ପିଣ୍ଟୁଙ୍କୁ ସ୍ଥାନ ଦେଇଛି। ଆସନ୍ତା ଅକ୍ଟୋବର ମାସରେ ହେବ ଆଇସିସି ବିଶ୍ୱକପ୍ ପ୍ରତିଯୋଗିତା। ଏଥିପାଇଁ ପ୍ରସ୍ତୁତ ବିଜ୍ଞାପନରେ ଭାରତର ମାତ୍ର ଦୁଇ ଜଣ ବ୍ୟକ୍ତି ଥିବା ବେଳେ ପିଣ୍ଟୁ ସେମାନଙ୍କ ମଧ୍ୟରୁ ଜଣେ। ଏହି ପ୍ରମୋରେ ଦୁଇଟି ସଟ୍ ମାଧ୍ୟମରେ ପିଣ୍ଟୁଙ୍କୁ ବିରାଟ କୋହଲିଙ୍କ ଟାଟୁ ସହ ଚିତ୍ରଣ କରାଯାଇଛି। ଏଥିରେ ବିଭିନ୍ନ ଦେଶର କ୍ରିକେଟର ଓ ସେଲିବ୍ରିଟି‌ମାନେ ନିଜେ ନିଜ ଦେଶର ଚିତ୍ରଣ କରିଛନ୍ତି। ଗୋଟିଏ ଦିନ ମୁମ୍ବାଇରେ ପିଣ୍ଟୁ ଏହି ପ୍ରମୋ ସୁଟିଙ୍ଗ ବେଳେ ସେ ବହୁତ କ୍ରିକେଟରଙ୍କୁ ମଧ୍ୟ ଭେଟିଥିଲେ। କୁକୁଡାଖଣ୍ଡି ବ୍ଲକ୍ ମସିଆଖାଲି ଗ୍ରାମର ପିଣ୍ଟୁ ଏବେ ସବୁଆଡ଼େ ପ୍ରଶଂସାର ପାତ୍ର ପାଲଟିଛନ୍ତି।