ଅପହରଣ ହୋଇନାହାନ୍ତି ୨ ବ୍ୟବସାୟୀ, ଉଠାଇ ନେଇଛି କର୍ଣ୍ଣାଟକ ପୋଲିସ, ବିଶାଖାପାଟଣାରୁ ଠାବ | News Room Odisha

ଅପହରଣ ହୋଇନାହାନ୍ତି ୨ ବ୍ୟବସାୟୀ, ଉଠାଇ ନେଇଛି କର୍ଣ୍ଣାଟକ ପୋଲିସ, ବିଶାଖାପାଟଣାରୁ ଠାବ

ଛତ୍ରପୁର: ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତଳା ଛକର ଏକ ଦୋକାନରୁ ଶୁକ୍ରବାର ରାତିରେ ଦୁଇ ବ୍ୟବସାୟୀ ଭାଇଙ୍କୁ ବନ୍ଧୁକ ମୁନରେ ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ତେବେ ଏହା କୌଣସି ଅପହରଣ ନୁହେଁ, ବରଂ ୨ ଜଣଙ୍କୁ କୌଣସି ମାମଲାରେ କର୍ଣ୍ଣାଟକର ଏକ ପୋଲିସ ଟିମ୍ ହେପାଜତରେ ରଖିବାକୁ ଉଠାଇ ନେଇଛି ବୋଲି ସ୍ପଷ୍ଟ କରିଛି ଗଞ୍ଜାମ ଜିଲ୍ଲା ପୋଲିସ। ସ୍ଥାନୀୟ ପୋଲିସକୁ ଅବଗତ ନ କରାଇ ସେମାନେ ଗୁପ୍ତ ଭାବେ ତଥା ବଳପୂର୍ବକ ସାଥିରେ ନେଇ ଯାଇଛନ୍ତି। ସେଥିରୁ ଏହା ଅପହରଣ ଘଟଣା ବୋଲି ଦ୍ବନ୍ଦ୍ବ ଉପୁଜୁଥିବା ପୋଲିସ ଦର୍ଶାଇଛି। ଗଞ୍ଜାମ ଏସପି ଜଗମୋହନ ମିନାଙ୍କ ତତ୍ତ୍ଵାବଧାନରେ ପୋଲିସ ଏହାର ତଦନ୍ତ ଜାରି ରଖିଛି। ଦୁଇ ବ୍ୟବସାୟୀ ଭାଇ ଓ ସେମାନଙ୍କୁ ନେଇଥିବା କର୍ଣ୍ଣାଟକ ପୋଲିସ ଟିମକୁ ଆନ୍ଧ୍ରପ୍ରଦେଶ ରାଜ୍ୟ ବିଶାଖାପାଟଣାର ଏକ ହୋଟେଲରେ ଠାବ କରାଯାଇଛି। ସେମାନଙ୍କୁ ଉଦ୍ଧାର କରିବା ତଥା ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଯୋଜନାବଦ୍ଧ ଭାବେ ଗଞ୍ଜାମ ପୋଲିସ ଟିମ୍ ବିଶାଖାପାଟଣା ଅଭିମୁଖେ ଯାଇଛି। ସେମାନେ ସ୍ଥାନୀୟ ଥାନାରେ ଶନିବାର ପୂର୍ବାହ୍ନରେ ହାଜର ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ପୋଲିସ ସହାୟତାରେ ଘଟଣାର ବିଧିବଦ୍ଧ ତଦନ୍ତ କରିବା ଯୋଜନା ରହିଛି।

ପୁଇଁତୋଳା ଗ୍ରାମ ଜାତୀୟ ରାଜପଥ-୧୬ ନିକଟ ଏକ ଦୋକାନରୁ ଦୁଇ ଭାଇ ପୁଇଁତୋଳା ଗ୍ରାମର ପଞ୍ଚାନନ ସାହୁ ଏବଂ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ନିଜ ସାଥିରେ ଗାଡିରେ ବଳପୂର୍ବକ ନେଇ ଯାଇଥିଲେ କର୍ଣ୍ଣାଟକ ପୋଲିସ। ଫଳରେ ଅପହରଣ ବୋଲି ଭ୍ରମ ସୃଷ୍ଟି ହୋଇଥିଲା। ସେମାନଙ୍କୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ନିଆଯାଇଥିଲା ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର। ଛତ୍ରପୁର ଏସଡିପିଓଙ୍କ ନେତୃତ୍ୱରେ ଗତକାଲି ରାତିରେ ହିଁ ଗଞ୍ଜାମ ଥାନା, ଛତ୍ରପୁର ଥାନା ଆଇଆଇସିଙ୍କ ସମେତ ଆଉ କିଛି ବରିଷ୍ଠ ପୋଲିସ ଅଧିକାରୀ ବିଶାଖାପାଟଣା ଅଭିମୁଖେ ଯାଇଛନ୍ତି। ଏହି ଘଟଣାରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଗଞ୍ଜାମ ପୋଲିସକୁ ସୁରାକ ମିଳିଥିବା ଅତିରିକ୍ତ ଏସପି କହିଛନ୍ତି। ଯଦିଓ ସମସ୍ତ ଘଟଣା ଉପରୁ ରହସ୍ୟ ଉଠିବା ବାକି ରହିଛି, ତେବେ ଉଦ୍ଧାର କାର୍ଯ୍ୟ ପରେ ଏ ନେଇ ତନାଘନା କରାଯିବ।

ଅପରପକ୍ଷରେ ଏହି ଘଟଣା ପ୍ରତିବାଦରେ ହୋଇଥିବା ଜାତୀୟ ରାଜପଥ ଅବରୋଧ ରାତି ପ୍ରାୟ ୨ଟା ବେଳେ ପ୍ରତ୍ୟାହାର ହୋଇଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ଅଟକି ରହିଥିବା ଶହ ଶହ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା।